SBIର ବଡ଼ ଘୋଷଣା: ପାଞ୍ଚଟି ସ୍ୱାସ୍ଥ୍ୟ ବୀମା ପ୍ରଡକ୍ଟସର ପ୍ରିମିୟମ ଦରରେ ହେବ ସଂଶୋଧନ

ନୂଆଦିଲ୍ଲୀ: ଦୀପାବଳି ଅବସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଏକ ବଡ଼ ଘୋଷଣା କରିଛି । ୨୦୨୫ ମସିହା ଫେବୃଆରୀ ପହିଲାରୁ ପ୍ରଭାବୀ ହେବାକୁ ଥିବା ସ୍ୱାସ୍ଥ୍ୟ ବୀମା ପ୍ରଡକ୍ଟସ ପାଇଁ ପ୍ରିମିୟମ ଦରରେ ସଂଶୋଧନ କରିବା ନେଇ ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ତରଫରୁ ଘୋଷଣା କରାଯାଇଛି । ବୃଦ୍ଧି ପାଉଥିବା ଚିକିତ୍ସା ଖର୍ଚ୍ଚ ଓ ବଢ଼ୁଥିବା ସ୍ୱାସ୍ଥ୍ୟ ସେବାର ଜରୁରତକୁ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଗ୍ରାହକଙ୍କୁ ଅଧିକ ବିତ୍ତୀୟ ସୁରକ୍ଷା ପ୍ରଦାନ ଉଦ୍ଦେଶ୍ୟରେ କମ୍ପାନୀ ଏହି ନିଷ୍ପତ୍ତି ନେଇଛି । ତେବେ ଏହି ସଂଶୋଧନ ୫ଟି ପ୍ରମୁଖ ପ୍ରଡକ୍ଟସ ଉପରେ ଲାଗୁ ହେବ । ମାତ୍ର କମ୍ପାନୀ କେତେ ପ୍ରତିଶତ ଦର ବୃଦ୍ଧି କରିବ, ସେନେଇ କୌଣସି ସୂଚନା ଦିଆଯାଇ ନାହିଁ ।

ସଂଶୋଧନ ହେବାକୁ ଥିବା ଲିଷ୍ଟରେ ଆରୋଗ୍ୟ ସଞ୍ଜିବନୀ ପଲିସୀ, ମାଇକ୍ରୋ ଇନସ୍ୟୁରାନ୍ସ ପ୍ରଡକ୍ଟ, ଗ୍ରୁପ ମାଇକ୍ରୋ ଇନସ୍ୟୁରାନ୍ସ ପ୍ରଡକ୍ଟ ଓ ଆରୋଗ୍ୟ ଟପ-ଅପ ପଲିସୀ ସାମିଲ ରହିଛି । ନିକଟରେ ଆସିଥିବା ରେଗୁଲେଟରୀ ଆଦେଶର ଅନୁରୂପ, କମ୍ପାନୀ ପୂର୍ବରୁ ବର୍ତ୍ତମାନର ରୋଗ ପାଇଁ ୱେଟିଂ ପିରିୟଡକୁ ୪୮ରୁ ହ୍ରାସ କରି ୩୬ ମାସ କରିଦେଇଥିଲା । ଗ୍ରାହକଙ୍କୁ ଅଧିକ ଫାଇଦା ଦେବା ଲକ୍ଷ୍ୟରେ ଏହି ପରିବର୍ତ୍ତନ କରାଯାଇଥିବା କୁହାଯାଇଛି । ବର୍ଦ୍ଧିତ ସ୍ୱାସ୍ଥ୍ୟସେବା ଖର୍ଚ୍ଚ ଓ ଜୀବନଶୈଳୀ ସମ୍ବନ୍ଧିତ ବୀମାରୀ ମଧ୍ୟରେ ସୁଲଭ ସ୍ୱାସ୍ଥ୍ୟ କଭରେଜର ଆବଶ୍ୟକ ଅଧିକ ମହତ୍ୱପୂର୍ଣ୍ଣ ହୋଇଥିବା ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ଚିଫ୍ ପ୍ରଡକ୍ଟ ଆଣ୍ଡ ମାର୍କେଟିଂ ଅଧିକାରୀ କହିଛନ୍ତି । ଏହି ପ୍ରିମିୟମ ଆମକୁ ଉଚ୍ଚ ଗୁଣବତ୍ତାଯୁକ୍ତ ଓ ସମାଧାନ ପ୍ରଦାନ କ୍ଷେତ୍ରରେ ସହାୟକ ହେବ । ଫଳରେ ଗ୍ରାହକମାନେ ଅଧିକ ଆର୍ଥିକ ଶିକ୍ଷା ପାଇପାରିବେ ବୋଲି ସେ କହିଛନ୍ତି ।