SBIର ଗ୍ରାହକଙ୍କୁ ଉପହାର: ହୋମ ଲୋନ ହେଲା ଶସ୍ତା, ଗୋଟିଏ କ୍ଲିକରେ ଜାଣନ୍ତୁ ସବୁକିଛି

ଭୁବନେଶ୍ୱର: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ନିଜ ଗ୍ରାହକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। ବ୍ୟାଙ୍କ ନିଜର ହୋମ ଲୋନ ସୁଧ ହାରକୁ ୦.୫୦% ହ୍ରାସ କରିଛି, ଯାହା ଫଳରେ ଏବେ ଗ୍ରାହକମାନେ ୭.୫୦% ସୁଧ ହାରରେ ହୋମ ଲୋନ ପାଇପାରିବେ। ଏହି ନିଷ୍ପତ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ର ରେପୋ ରେଟ ୫୦ ବେସିସ ପଏଣ୍ଟ ହ୍ରାସ କରିବା ପରେ ନିଆଯାଇଛି।

କେତେ ହେବ ଲାଭ?
ଏହି ସୁଧ ହାର ହ୍ରାସ ଦ୍ୱାରା ହୋମ ଲୋନ ଗ୍ରାହକଙ୍କ ମାସିକ କିସ୍ତି (ଇଏମଆଇ) ଉଲ୍ଲେଖନୀୟ ଭାବେ କମିବ। ଉଦାହରଣ ସ୍ୱରୂପ, ଯଦି ଆପଣ ୨୦ ବର୍ଷ ପାଇଁ ୫୦ ଲକ୍ଷ ଟଙ୍କାର ହୋମ ଲୋନ ନେଇଛନ୍ତି, ତେବେ ଏହି ହ୍ରାସ ଯୋଗୁଁ ଆପଣଙ୍କ ମାସିକ ଇଏମଆଇ ପ୍ରାୟ ୩,୧୧୧.୫୦ ଟଙ୍କା ପର୍ଯ୍ୟନ୍ତ କମିପାରେ। ଅନ୍ୟପକ୍ଷେ, ଯଦି ଆପଣ ଇଏମଆଇ ସ୍ଥିର ରଖିବାକୁ ଚାହୁଁଛନ୍ତି, ତେବେ ଲୋନର ଅବଧି ପ୍ରାୟ ୩୬ ମାସ ବା ୩ ବର୍ଷ କମିଯାଇପାରେ।

କେଉଁମାନେ ପାଇବେ ଲାଭ?
ଏହି ସୁଧ ହାର ହ୍ରାସର ଲାଭ ନୂଆ ଏବଂ ପୁରୁଣା ଉଭୟ ଗ୍ରାହକଙ୍କୁ ମିଳିବ। ଯେଉଁ ଗ୍ରାହକଙ୍କ ହୋମ ଲୋନ ଏକ୍ସଟର୍ଣ୍ଣାଲ ବେଞ୍ଚମାର୍କ ଲେଣ୍ଡିଂ ରେଟ (ଇବିଏଲଆର) ସହ ସଂଯୁକ୍ତ, ସେମାନଙ୍କୁ ଏହାର ସିଧାସଳଖ ଲାଭ ମିଳିବ। ଏସବିଆଇର ସୂଚନା ଅନୁଯାୟୀ, ଗ୍ରାହକଙ୍କ କ୍ରେଡିଟ ସ୍କୋର ଆଧାରରେ ହୋମ ଲୋନ ସୁଧ ହାର ୭.୫୦% ରୁ ୮.୪୫% ମଧ୍ୟରେ ରହିବ।

କେବେଠାରୁ ଲାଗୁ ହେବ?
ଏହି ନୂଆ ସୁଧ ହାର ୧୫ ଜୁନ ୨୦୨୫ରୁ କାର୍ଯ୍ୟକାରୀ ହେବ। ରେପୋ ରେଟ ସହ ସଂଯୁକ୍ତ ଲୋନ ଗୁଡିକରେ ଏହି ହ୍ରାସ ତୁରନ୍ତ ପ୍ରତିଫଳିତ ହେବ, ଯେଉଁଥିରେ ଅଗଷ୍ଟ ୨୦୨୫ରୁ ଇଏମଆଇ କମିବା ଆରମ୍ଭ ହେବ ।

ଅନ୍ୟ କ’ଣ ଜାଣିବା ଦରକାର?
ଏସବିଆଇ ଏହାର ‘ଅମୃତ ବୃଷ୍ଟି’ ସ୍ୱତନ୍ତ୍ର ଡିପୋଜିଟ ଯୋଜନା (୪୪୪ ଦିନ)ର ସୁଧ ହାରକୁ ମଧ୍ୟ ୦.୨୫% ହ୍ରାସ କରିଛି, ଯାହା ଏବେ ୬.୮୫% ରୁ ୬.୬୦% ହୋଇଛି। ଏହା ସହିତ, ବ୍ୟାଙ୍କ ନିଜର ଫିକ୍ସଡ ଡିପୋଜିଟ (ଏଫଡି) ସୁଧ ହାରକୁ ମଧ୍ୟ ଗତ ମାସରେ ୦.୨୦% ହ୍ରାସ କରିଥିଲା।