fbpx

ଟିଭି ଚାନେଲ୍ ବିରୋଧରେ ଆନ୍ଧ୍ର ପୋଲିସର କାର୍ଯ୍ୟାନୁଷ୍ଠାନକୁ ଭତ୍ସର୍ନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଉଜ୍ ଚ୍ୟାନେଲ୍ ପ୍ରତି ଆନ୍ଧ୍ର ପ୍ରଦେଶ ପୋଲିସ ନେଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ସର୍ବୋଚ୍ଚ ଅଦାଲତ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ସୋମବାର ସୁପ୍ରିମ୍ କୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ରାଜଦ୍ରୋହର ସଂଜ୍ଞା ଭଲ ଭାବେ ଜାଣିବା ଦରକାର । ସରକାରଙ୍କୁ ସମାଲୋଚନା କରିବା ରାଜଦ୍ରୋହ ଭାବେ ବିବେଚିତ ହୋଇପାରିବ ନାହିଁ । ପ୍ରେସ୍ ସ୍ୱାଧୀନତାକୁ ଦୃଷ୍ଟିରେ ରଖି ରାଜଦ୍ରୋହର ଅର୍ଥ ନିରୂପଣ କରିବା ଦରକାର ବୋଲି ସୁପ୍ରିମ୍ କୋର୍ଟ ସ୍ପଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ଯୋଗୁଁ ‘ଟିଭି-୫’ ଓ ‘ଏବିଏନ୍ ଆନ୍ଧ୍ରଜ୍ୟୋତି’ ବିରୋଧରେ ଆନ୍ଧ୍ର ପ୍ରଦେଶ ପୋଲିସ୍ ରାଜଦ୍ରୋହ ମାମଲା ରୁଜୁ କରିଛି । ଭାରତୀୟ ସମ୍ବିଧାନ ଧାରା ୧୨୪-ଏ ଅନୁସାରେ ରାଜଦ୍ରୋହ ଅପରାଧିକ ମାମଲା କରିବା ସହ ଅପମାନଜନକ ମତ ଦିଆଯାଇଥିବା ଅଭିଯୋଗ ଦର୍ଶାଯାଇଛି । ଏନେଇ ୱାଇଏସଆର୍ କଂଗ୍ରେସର ଆଇନ ପରାମର୍ଶକ କେଆର ରାମା କ୍ରିଷ୍ଣା ରାଜୁ ପୋଲିସ୍ ନିକଟରେ ଏତଲା ଦେଇଥିଲେ । ତେବେ ସମ୍ପୃକ୍ତ ଦୁଇ ନିଉଜ୍ ଚାନେଲ୍ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ ଶ୍ୟାମ ଦିବାନ ଓ ସିଦ୍ଧାର୍ଥ ଲୁଥ୍ରା ଯୁକ୍ତି ରଖିଛନ୍ତି ଯେ ଏଭଳି ଏତଲା କରାଯିବା ପ୍ରେସ୍ ସ୍ୱାଧୀନତାର ନିୟମ ବିରୋଧ ଏବଂ ଗଣମାଧ୍ୟମର କଣ୍ଠରୋଧ କରାଯାଉଛି । ସେହିପରି ଜଣେ ସକ୍ରିୟ ସାଂସଦଙ୍କ କାର୍ଯ୍ୟଧାରାକୁ ନେଇ ଖବର ପ୍ରସାରଣ କରିବା କଦାବି ରାଜଦ୍ରୋହ ହୋଇପାରେନା ବୋଲି କୁହାଯାଇଛି ।

ସେହିପରି ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ ଧାରା ୧୨୪ଏ କୁ ନେଇ ଗଭୀର ଅନୁଧ୍ୟାନ କରିବା ଆବଶ୍ୟକ । ଏଥିସହ ପ୍ରେସ୍ ସ୍ୱାଧୀନତା ତଥା ଗଣମାଧ୍ୟମକୁ ସମ୍ମାନ ଜଣାଇ ବିଚାର କରିବାର ଆବଶ୍ୟକତା ରହିଛି । ତିନିଜଣିଆ ଖଣ୍ଡପୀଠର ପ୍ରମୁଖ ନ୍ୟାୟମୂର୍ତ୍ତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ବିଶେଷକରି ବାକ୍ ସ୍ୱାଧୀନତାର ଅଧିକାର ଓ ପ୍ରେସ୍ ସ୍ୱାଧୀନତାକୁ ଦୃଷ୍ଟିରେ ରଖି ସମ୍ବିଧାନର ଧାରା ୧୨୪ଏ ଏବଂ ୧୫୩କୁ ଅଧିକ ଅନୁଶୀଳନ କରିବାର ଆବଶ୍ୟକ ରହିଛି । ସେ ଦୃଷ୍ଟିରୁ କୌଣସି ଟିଭି ଚାନେଲ୍ କିଛି ସମାଲୋଚନାମୂଳକ ବିଷୟ ପ୍ରସାରଣ କରିବା ରାଜଦ୍ରୋହ ଅପରାଧ ହୋଇପାରିବନି ।

Get real time updates directly on you device, subscribe now.