ନୂଆଦିଲ୍ଲୀ: ମୁମ୍ବାଇରେ କରୋନାର ତୃତୀୟ ଲହର ଥମିବାର ଦେଖିବାକୁ ମିଳିଛି । ମୁମ୍ବାଇ ପୌରପାଳିକା ବା ବିଏମସିକୁ ଲାଗୁଛି କି, ଏବେ ସେଠାରେ କରୋନା ମାମଲା ଆଉ ବଢ଼ିବନି । ବିଏମସି କମିଶନର ଇକବାଲ ସିଂ ଚହଲ କହିଛନ୍ତି ଯେ, ‘ତୃତୀୟ ଲହରର କରୋନା ଏବେ ପିକ୍ ଅତିିକ୍ରମ କରିସାରିଛି । ଏଣିକି କରୋନାର ନୂଆ ମାମଲା ପ୍ରତିଦିନ କମ୍ ଆସୁଛି । ଆଗାମୀ ଦିନରେ କରୋନା ମାମଲା ବୃଦ୍ଧି ହେବାର କୌଣସି ସମ୍ଭାବନା ନାହିଁ । ସେଥିପାଇଁ ଆମେ ଜାନୁଆରୀ ୨୭ରୁ ସ୍କୁଲ ଖୋଲିବାକୁ ବିଚାର କରୁଛୁ ।’
ଏହା ସହ ଚହଲ କହିଛନ୍ତି ଯେ, ‘୧୦ ଜାନୁଆରୀରେ କରୋନା ପିକରେ ଥିଲା । କିନ୍ତୁ ଗତ ସପ୍ତାହରେ କରୋନାର ନୂଆ ମାମଲାରେ ହ୍ରାସ ଘଟିଛି । ଆଶା କରାଯାଉଛି ଯେ ୨୬ ଜାନୁଆରୀରୁ ପ୍ରତିଦିନ ୨ ହଜାର ଲେଖାଏଁ କରୋନା ମାମଲା ସାମ୍ନାକୁ ଆସିବ । ମୁମ୍ବାଇରେ ଚଳିତ ବର୍ଷ ଜାନୁଆରୀ ୭ରେ କରୋନାର ସବୁଠାରୁ ଅଧିକ ମାମଲା ସାମ୍ନାକୁ ଆସିଥିଲା । ସେହିଦିନ ମୁମ୍ବାଇରେ ୨୦,୭୯୧ ଲୋକ କରୋନା ଆକ୍ରାନ୍ତ ହୋଇଥିଲେ ଓ ପଜିଟିଭ ରେଟ୍ ୨୮.୯ ପ୍ରତିଶତ ହୋଇଥିଲା । ଏଥର କରୋନା ସଂକ୍ରମି ଲୋକଙ୍କୁ ମେଡିକାଲ ଯିବାର ଆବଶ୍ୟକତା କମ୍ ପଡ଼ିଥିଲା ।’