ଗ୍ରୀଷ୍ମ ଅବକାଶ ପରେ ଖୋଲିବ ବିଦ୍ୟାଳୟ: ଏହିସବୁ ବ୍ୟବସ୍ଥା ପାଇଁ ଦିଆଗଲା ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ଅବକାଶ ପରେ ବିଦ୍ୟାଳୟ ଗୁଡ଼ିକ ଖୋଲିବାକୁ ଥିବାରୁ ଏହା ପୂର୍ବରୁ ସ୍ୱଚ୍ଛତା ସୁନିଶ୍ଚିତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି । ଆସନ୍ତା ୧୮ ତାରିଖରେ ସ୍କୁଲ୍‍ ଖୋଲୁଥିବାରୁ ଏହାର ଏକସପ୍ତାହ ପୂର୍ବରୁ ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚମାଧ୍ୟମିକ, ଉଚ୍ଚପ୍ରାଥମିକ ଓ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକର ଶ୍ରେଣୀଗୃହ ଓ ପରିସରକୁ ସଫା କରିବା ସହ ଆସବାବପତ୍ର ଓ ପାଣିଟାଙ୍କି ସଫା କରିବା ଉପରେ ବିଭାଗ ଗୁରୁତ୍ୱ ପ୍ରଦାନ କରିଛି ।

ସେହିଭଳି ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ନିମନ୍ତେ ରୋଷେଇଘର ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହି କାର୍ଯ୍ୟ ସୁନିଶ୍ଚିତ କରିବା ଲାଗି ବିଦ୍ୟାଳୟ ଖୋଲିବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‍ ୧୭ତାରିଖରେ ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ବିଦ୍ୟାଳୟ ଆସିବା ନେଇ ବାଧ୍ୟତାମୂଳକ କରାଯାଇଛି ।

ତେବେ ଏପ୍ରିଲ ୨୫ ତାରିଖରୁ ଗ୍ରୀଷ୍ମ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର। ଗ୍ରୀଷ୍ମ ଛୁଟି ସମୟରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ପାଇଁ ଶିକ୍ଷା ତଥା ଶୈକ୍ଷିକ କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିଚାଳନା କରାଯିବ ବୋଲି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍‌ରେ ଉଲ୍ଲେଖ କରାଯାଇଥିଲା ।