fbpx
BSKY SKY
BSKY SKY

ବିଦ୍ୟାଳୟରେ ପିଲା ପଢିବେ Road Safety Rules: ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଗଣଶିକ୍ଷା ବିଭାଗର ନିଷ୍ପତ୍ତି

BSKY

ଭୁବନେଶ୍ୱର: ସାରା ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ସଡ଼କ ଦୁର୍ଘଟଣା । ରିପୋର୍ଟ ଅନୁସାରେ, ପ୍ରତିଦିନ ରାଜ୍ୟରେ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି । ତେବେ ସଡ଼କ ସୁରକ୍ଷା ନିୟମକୁ ଅବମାନନା କରୁଥିବାରୁ ଅଧିକାଂଶ ଦୁର୍ଘଟଣା ଘଟୁଛି । ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଯୋଗୁଁ ଦୁର୍ଘଟଣା ହେଉଥିବା ବେଳେ ଯେତେ କଡ଼ା ନିୟମ କଲେ ମଧ୍ୟ ଦୁର୍ଘଟଣା ସଂଖ୍ୟା କମ୍ ହୋଇପାରିନାହିଁ । ତେବେ ଏଥିରେ ସୁଧାର ଆଣିବା ପାଇଁ ପୋଲିସ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଏବଂ ସଚେତନତା ଶିବର ଆୟୋଜନ କରାଯାଉଛି । କିନ୍ତୁ ଆଶାନୁଯାୟୀ ସଫଳତା ମିଳି ପାରୁନାହିଁ । ତେଣୁ ଏହି ମାମଲାରେ ରୋକ ଲଗାଇବା ପାଇଁ ଗଣଶିକ୍ଷା ବିଭାଗ ତରଫରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଣିକି ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପଢାଯିବ ସଡ଼କ ସୁରକ୍ଷା ଆଇନ୍ ।

ଦ୍ରୁତଗତିରେ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ପିଲାମାନଙ୍କୁ ଦିଆଯିବ ସ୍ୱତନ୍ତ୍ର ଶିକ୍ଷା । ଏଥିପାଇଁ ଜୁଲାଇ ୨୯ ତାରିଖରେ ସ୍କୁଲରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ବିଦ୍ୟାଳୟ ସ୍ତରରୁ ହିଁ ପିଲାମାନଙ୍କୁ ସଡ଼କ ସୁରକ୍ଷା ଏବଂ ଏହାର ନିୟମ ଉପରେ ସଚେତନ କରିବା ପାଇଁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ । ଆସନ୍ତା ୨୯ ତାରିଖରେ ପ୍ରଥମରୁ ଦଶମ ଶ୍ରେଣୀର ପିଲାମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଇବା ପାଇ ଗୁରୁତ୍ୱ ଦେବାକୁ କୁହାଯାଇଛି । ଏହି ତାରିଖର ଶେଷ ଦୁଇଟି ପିରିୟଡରେ ଏ ସମ୍ପର୍କରେ ଆଲୋଚନା ହେବାକୁ ଥିବା ବେଳେ ଏଥିରେ ଅଭିଭାବକମାନେ ମଧ୍ୟ ସାମିଲ ହେବେ । ତେବେ ଜିଲ୍ଲାରେ ଥିବା ହେଲ୍ପଲାଇନର ନୋଡାଲ ଅଫିସର ଆବଶ୍ୟକୀୟ ବିଷୟବସ୍ତୁ ଏବଂ ନିୟମାବଳୀ ସମସ୍ତ ବିଦ୍ୟାଳୟରେ ପହଞ୍ଚାଇବାର ବ୍ୟବସ୍ଥା କରିବେ । କଳାପଟାରେ ଚିତ୍ର ଆଙ୍କି ପିଲାମାନଙ୍କୁ ସେ ସମ୍ପର୍କରେ ବୁଝାଇବେ ଶିକ୍ଷକ ।

ତେବେ ଏହି କାର୍ଯ୍ୟକ୍ରମ ଜରିଆରେ ପିଲାମାନଙ୍କୁ ସଡ଼କ ସୁରକ୍ଷାର ବିଭିନ୍ନ ଚିହ୍ନ ଏବଂ ନିୟମ ସମ୍ପର୍କରେ ଅବଗତ କରାଯିବ । ଟ୍ରାଫିକ ସାଇନବୋର୍ଡ, ସିଗନାଲ ଲାଇଟ୍, ଜେବ୍ରା କ୍ରସିଂ ଇତ୍ୟାଦି ଉପରେ ତାଲିମ ଦେବା ସହ ରାସ୍ତା ପାର ହେବାର ଉଚିତ ପ୍ରଣାଳୀ ସମ୍ପର୍କରେ ଶିକ୍ଷାଗ୍ରହଣ କରିବେ ଛାତ୍ରଛାତ୍ରୀ । ସେହିପରି ରାସ୍ତାରେ ଯାତାୟତ କରିବା ସମୟରେ କ’ଣ କରିବା ଉଚିତ୍ ଏବଂ କ’ଣ କରିବା ଅନୁଚିତ, ସେ ନେଇ ମଧ୍ୟ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଛୋଟ ବେଳରୁ ଏ ନେଇ ପିଲାମାନଙ୍କୁ ସଚେତନ କରାଇଲେ ଆଗକୁ ଦୁର୍ଘଟଣା କମ୍ ହୋଇପାରିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.