ବାତ୍ୟା ପାଇଁ ସ୍କୁଲ ଛୁଟି ଘୋଷଣା କଲେ SRC: ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରି-ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଗତକାଲି ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ବାତ୍ୟା ଉପରେ ସୂଚନା ଜାରି କରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ବାତ୍ୟାକୁ ନେଇ ସମୀକ୍ଷା ବୈଠକ କରିଥିଲେ । ବାତ୍ୟା ପାଇଁ ଅଗ୍ନିଶମ, ଓଡ୍ରାଫ, ଏନଡିଆରଏଫ ଟିମ୍ ପ୍ରସ୍ତୁତ କରିଥିବା ମୁଖ୍ୟମନ୍ତ୍ରୀ କହିଥିଲେ । ଅନ୍ୟପଟେ ବାତ୍ୟାର ଗତିପଥକୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଜାରି କରିବା ସହ ବାତ୍ୟା ଉତ୍ତର-ଓଡ଼ିଶାରେ ମାଡ଼ ହେବାର ସମ୍ଭାବନା ରହିଥିବା ଅନୁମାନ କରିଛି ।

ତେବେ ବାତ୍ୟା ପାଇଁ ଗତକାଲି ସମସ୍ତ ସରକାର ଅଧିକାରୀଙ୍କ ଛୁଟି ବାତିଲ କରାଯାଇଥିବା ବେଳେ ଜିଲ୍ଲାପାଳମାନେ ସ୍କୁଲ ଛୁଟି ନିଷ୍ପତ୍ତି ନେବେ ବୋଲି ଏସଆରସି ସୂଚନା ଦେଇଥିଲେ । ଏହା ମଧ୍ୟରେ ସ୍କୁଲ ଛୁଟିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ । ସମ୍ଭାବ୍ୟ ବାତ୍ୟାକୁ ନେଇ ଏସଆରସି ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟର ୧୪ଟି ଜିଲ୍ଲାରେ ଉପରୋକ୍ତ ତାରିଖରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କଟକ, ନୟାଗଡ଼, ଖୋର୍ଦ୍ଧା, ଅନୁଗୁଳ ଓ ଯାଜପୁର ଜିଲ୍ଲାରେ ବାତ୍ୟା ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି ।

ସୂଚନା ଯୋଗ୍ୟ ଯେ, ଏହ ପୂର୍ବରୁ ସମ୍ଭାବ୍ୟ ବାତ୍ୟା ପାଇଁ ବୃତ୍ତି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିଲା । ଅକ୍ଟୋବର ୨୩ ଓ ୨୫ ତାରିଖରେ ହେବାକୁ ଥିବା ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା (ଏନଆରଟିଏସ) ପରୀକ୍ଷା ଓ ପ୍ରାଥମିକ ବୃତ୍ତି ପରୀକ୍ଷା ତାରିଖ ଘୁଞ୍ଚିଥିଲା । ପରୀକ୍ଷା କେବେ କେବେ ହେବ ସେନେଇ ପରବର୍ତ୍ତୀ ସମୟରେ କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଧ (ବିଏସଇ) ତରଫରୁ ସୂଚନା ଜାରି କରାଯିବ ।

Get real time updates directly on you device, subscribe now.