ହାଇୱା ଧକ୍କାରେ ସ୍କୁଟି ଆରୋହୀ ମୃତ, ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ଭୁବନେଶ୍ୱର: ସରସ୍ୱତୀ ପୂଜା ଦିନ ବଡ଼ ଅଘଟଣ । ଜଣେ ସ୍କୁଟି ଆରୋହୀ ଯୁବକଙ୍କୁ ଚାପିଦେଲା ହାଇୱା। ଘଟଣାସ୍ଥଳରେ ଜୀବନ ହାରିଲେ ସମ୍ପୃକ୍ତ ଯୁବକ।

ବାଲିଅନ୍ତା ଜୟଦେବ ପୀଠ ନିକଟରେ ଦେଖିବାକୁ ମିଳିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମୃତକ ସ୍ଥାନୀୟ ଅଞ୍ଚଳର ହୋଇଥିବାବେଳେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଯାନବାହାନ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ମାମଲା କ’ଣ: ସୂଚନାରୁ ପ୍ରକାଶ ବାଲିଅନ୍ତା ବ୍ଲକ ପ୍ରତାପରୁଦ୍ରପୁର ନିକଟ ଜୟଦେବ ହାଇସ୍କୁଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି । ହାଇୱା ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି ।

ମୃତ ବ୍ୟକ୍ତି ନୂଆସାହି ଗ୍ରାମର ପିତବାସ ପଣ୍ଡା ବୋଲି ଜଣାପଡ଼ିଛି । ସେ ସ୍ଥାନୀୟ ବଜାରକୁ କୌଣସି କାମ ପାଇଁ ଆସିଥିବା ବେଳେ ଏକ ହାଇୱା ତାଙ୍କ ଉପରେ ଚଢ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଶବ ରଖି ରାସ୍ତାରୋକ: ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ରାସ୍ତା ଉପରେ ଶବ ରଖି ପ୍ରତିବାଦ କରିଥିଲେ ସ୍ଥାନୀୟ ଲୋକେ ।

ବିକ୍ଷେଭକାରୀଙ୍କ ପ୍ରତିବାଦରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

ପରେ ଖବର ପାଇ ବାଲିଅନ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିକ୍ଷେଭକାରୀଙ୍କୁ ବୁଝାସୁଝା କରିଥିବା ଜଣାପଡ଼ିଛି ।