fbpx

କଣ ଦିଲ୍ଲୀରେ ନିର୍ମାଣ ବ୍ୟାନ ପରେ ବି ସେଣ୍ଟ୍ରାଲ ଭିଷ୍ଟା ପାଇଁ ଚାଲିଛି କାମ? ସୁପ୍ରିମକୋର୍ଟର କେନ୍ଦ୍ରକୁ ପ୍ରଶ୍ନ

ନୂଆଦିଲ୍ଲୀ: ଦିଲ୍ଲୀର ବାୟୁ ଏବେ ଅତି ଖରାପ ଶ୍ରେଣୀରେ ରହିଛି । ଯାହାଫଳରେ ବିଭିନ୍ନ କାର୍ଯ୍ୟକଳାପ ଉପରେ ସରକାର ରୋକ୍ ଲଗାଇଛନ୍ତି । ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟରେ ବାୟୁ ପ୍ରଦୂଷଣକୁ ନେଇ ସୋମବାର ଦିନ ଶୁଣାଣି ହୋଇଛି । ଏହି ସମୟରେ କେନ୍ଦ୍ର ସରକାରଙ୍କ ସେଣ୍ଟ୍ରାଲ୍ ଭିଷ୍ଟା ପ୍ରକଳ୍ପ କୁ ନେଇ ମଧ୍ୟ ଆଲୋଚନା କରାଯାଇଛି । ସୁପ୍ରିମକୋର୍ଟ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ଯେ, ଦିଲ୍ଲୀରେ ନିର୍ମାଣ କାମ ଉପରେ ବ୍ୟାନ୍ ଥିଲେ ସୁଦ୍ଧା କଣ ସେଣ୍ଟ୍ରାଲ ଭିଷ୍ଟା କାମ ଜାରି ରହିଛି?

ପ୍ରଦୂଷଣ ମାମଲା ଉପରେ ଶୁଣାଣି କରାଯାଉଥିବା ସମୟରେ ଆବେଦନକାରୀଙ୍କ ଓକିଲ ବିକାଶ ସିଂହ କେନ୍ଦ୍ରର ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ନେଇ ପ୍ରଶ୍ନ ଉଠାଇଥିଲେ । ଆଉ କହିଥିଲେ ଯେ, ସବୁ ପ୍ରକଳ୍ପକୁ ରୋକାଯିବା ଦରକାର । ବିକାଶ ସିଂହ ଆଗକୁ କହିଥିଲେ ଯେ, ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଲୋକଙ୍କ ଜୀବନ ଠାରୁ ଦାମୀ ନୁହେଁ । ଆମ ପାଖରେ ଭିଡିଓ ରହିଛି ଯେ, କିପରି ଏହି ପ୍ରକଳ୍ପ ଦ୍ୱାରା ବାୟୁ ପ୍ରଦୂଷିତ ହେଉଛି । ଅନ୍ୟପଟେ ଛୋଟ ଛୋଟ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରହିଛି ।

ତେବେ କୋର୍ଟ ଦୁଇ ପଦରେ ବିକାଶ ସିଂହଙ୍କୁ ଜବାବ ଦେଇ କହିଲେ, ଆପଣ ଆଦେଶ ଲେଖିବାକୁ ଚେଷ୍ଟା କରନ୍ତୁ ନାହିଁ । ସେଣ୍ଟ୍ରାଲ ଭିଷ୍ଟା ହେଉ କିମ୍ବା ଅନ୍ୟ କିଛି, ସମସ୍ତଙ୍କୁ ଉତ୍ତର ଦେବାକୁ ହେବ । ତେଣୁ ଏସଜି ତୁଷାର ମେହେତା ମଧ୍ୟ ଜବାବ ଦେବେ । ଚିଫ୍ ଜଷ୍ଟିସ୍, ମେହେତାଙ୍କୁ ପଚାରିଥିଲେ ଯେ କେଉଁ କେଉଁ ରାଜ୍ୟ ପ୍ରଦୁଷଣ ନିୟମ ସବୁକୁ ପାଳନ କରିନାହାନ୍ତି ? ଜବାବରେ କେନ୍ଦ୍ର ସରକାର ଦସ୍ତାବିଜ ଦେଇ କହିଥିଲେ ଯେ, ଏୟାରକ୍ୱାଲିଟି ମନିଟିଂ କମିଟି ପକ୍ଷରୁ ୬ ମାସ ତଳେ ରାଜସ୍ଥାନ, ହରିୟାଣା, ପଞ୍ଜାବ ଓ ଦିଲ୍ଲୀକୁ ଚିଠି ଲେଖିଥିଲେ । ଚିଠି ମାଧ୍ୟମରେ କେନ୍ଦ୍ର ପ୍ରଦୂଷଣ କରୁଥିବା ଶିଳ୍ପକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବାକୁ କିମ୍ବା ପ୍ରଦୁଷଣ ବ୍ୟାପୁନଥିବା ଭଳି ଇନ୍ଧନ ଦିଅନ୍ତୁ ବୋଲି କହିଥିଲେ । ହେଲେ କୌଣସି ବି ରାଜ୍ୟ ଏହାକୁ ମାନିନଥିଲେ ।

ଏହାପରେ ସିଜେଆଇ କହିଥିଲେ ଯେ, ଆପଣଙ୍କ କହିବା କଥା ଯେ, ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ପରାମର୍ଶକୁ ରାଜ୍ର ଗୁଡ଼ିକ ପାଳନ କରୁନାହାନ୍ତି । ଆମେ ରାଜ୍ୟ ଗୁଡ଼ିକୁ ନୋଟିସ୍ କରି ପ୍ରଶ୍ନ କରି ପଚାରିବୁ ଯେ, ସେମାନେ ନିୟମ ସବୁକୁ କାହିଁକି କାର୍ଯ୍ୟକାରୀ କରୁନାହାନ୍ତି । ଏହା ବ୍ୟତୀତ ଦିଲ୍ଲୀର ଅଧିକାଂଶ ଅଞ୍ଚଳର ଦାୟିତ୍ୱ କେନ୍ଦ୍ରର ମଧ୍ୟ ରହିଛି । ତେଣୁ କେନ୍ଦ୍ର ବି କୁହନ୍ତୁ ଯେ, ସେ କଣ ପଦକ୍ଷେପ ଉଠାଇଛନ୍ତି?

Get real time updates directly on you device, subscribe now.