ଫଟୋରୁ ମିଳିଲା ସନ୍ଧାନ, ୮ମାସର ନର୍କ ଯନ୍ତ୍ରଣାରୁ ଉଦ୍ଧାର ହେଲା ନାବାଳିକା

କେତେବେଳେ କରାଯାଉଥିଲା ଦୁଷ୍କର୍ମ ତ ଆଉ କେତେବେଳେ କିଣାବିକା। କ୍ରୀତଦାସ ଭଳି କରାଯାଉଥିଲା ବିକ୍ରି। ଗୋଟିଏ ଭାଇରାଲ ଫଟୋ ୮ ମାସର ନର୍କ ଯନ୍ତ୍ରଣାରୁ ଉଦ୍ଧାର କଲା ନାବାଳିକାକୁ।

ଉତ୍ତରପ୍ରଦେଶ: ବାହାଘର ହେଉ କିମ୍ୱା ଭୋଜି ଭାତ। କିମ୍ୱା ମନୋରଞ୍ଜନ ସମୟର। ଫଟୋ ଉଠାଇବାକୁ କାହାକୁ ବା ପସନ୍ଦ ନୁହଁ। ଏମିତିରେ ଆଜିକା ଦିନରେ ଫଟୋ ଉଠାଇବା, ରିଲ୍ସ କରିବା ଏକ ଫ୍ୟାସନ ହୋଇଗଲାଣି। ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ପ୍ରାୟ ଲୋକ ଏହି ରିଲ୍ସ ନିଶାରେ ଉବୁଟୁବୁ ହେଉଛନ୍ତି।

ଆଉ କେହି କେହି ଫଟୋ ରିଲ୍ସ କରି ଭାଇରାଲ ମଧ୍ୟ ହେଉଛନ୍ତି। ହେଲେ ଏମିତି ଏକ ଭାଇରାଲ ଫଟୋ ଜଣେ ଝିଅକୁ ନର୍କ ଯନ୍ତ୍ରଣାରୁ ଦୀର୍ଘ ଦିନ ପରେ ଉଦ୍ଧାର କରିଛି। ତେବେ ଏହି ନର୍କ ଯନ୍ତ୍ରଣା କ’ଣ ଯାହା କୌଣସି ସିନେମାର କାହାଣୀଠାରୁ କମ୍ ନୁହେଁ। ସେ ସମ୍ପର୍କରେ ଜାଣିବା ପାଇଁ ସମ୍ପୂର୍ଣ୍ଣ ପାଠକୁ ପଢ଼ନ୍ତୁ।

ସବୁଦିନ ଭଳି ଯାଉଥିଲେ ଇନଷ୍ଟିଚ୍ୟୁଟ: ଏହି ଘଟଣାଟି ଆରମ୍ଭ ହୋଇଥିଲା ୨୦୨୪ ମସିହା ମେ ମାସ ୧୮ ତାରିଖରେ। ଯାହା ଆଜକୁ ୯ ମାସ ପାଖାପାଖି ହୋଇଗଲାଣି। ସବୁଦିନ ପରି ସେଦିନ ମଧ୍ୟ ୧୭ ବର୍ଷୀୟ ଜଣେ ଯୁବତୀ ପାଠ ପଢ଼ିବାକୁ ଚାଲି ଚାଲି ଇନଷ୍ଟିଚ୍ୟୁଟ ଯାଉଥିଲେ।

ହେଲେ ଇନଷ୍ଟିଚ୍ୟୁଟର କିଛି ବାଟ ଦୂରରେ ଜଣେ ବ୍ୟକ୍ତି କାର ଧରି ରାସ୍ତା ଉପରେ ଛିଡା ହୋଇଥିଲେ। ଆଉ ସେହି ବ୍ୟକ୍ତିଙ୍କୁ ନାବାଳିକା ଜଣଙ୍କ ପୂର୍ବରୁ ଜାଣିଥିଲେ। ତେଣୁ ବ୍ୟକ୍ତି ଜଣଙ୍କ ଯେତେବେଳେ ତାଙ୍କ ପାଖକୁ କଥା ହେବାକୁ ଆସିଲେ। ଝିଅଟି କିଛି ନଭାବି ସେଠାରେ ଛିଡା ହୋଇଗଲା।

ହେଲେ ବିଶ୍ୱାସରେ ବିଷ ଦେଇ ଜୋର ଜବର ଦସ୍ତି ବ୍ୟକ୍ତି ଜଣଙ୍କ ଝିଅଟିକୁ କାରରେ ଭର୍ତ୍ତି କରିନେଇଥିଲେ। ଝିଅଟି କାର ଭିତରେ ଅଧିକ ଜୋରରେ ଚିତ୍କାର କରିବାକୁ ଗାଡି ଭିତରେ ତାଙ୍କୁ ନିଶା ଦେଇ ବେହୋସ କରିଦେଇଥିଲା ବ୍ୟକ୍ତି ଜଣଙ୍କ। ଆଉ ଉତ୍ତର ପ୍ରଦେଶର ମୈନପୁରୀରୁ  ଅପହରଣ କରି ନେଇଥିଲେ।

ଖୋଜାଖୋଜି କଲେ ପରିବାର: ପରେ ଝିଅର ଘରକୁ ଫେରିବାକୁ ବିଳମ୍ୱ ହେବାରୁ ଝିଅକୁ ଖୋଜା ଖୋଜି କଲେ ପରିବାର। ଯେତେବେଳେ ଝିଅକୁ ନପାଇଲେ ପୋଲିସର ଦ୍ୱାରସ୍ଥ ହେଲେ। ପୋଲିସ ମଧ୍ୟ ଅନେକ ଖୋଜାଖୋଜି କଲା। ହେଲେ ଝିଅର କୌଣସି ସନ୍ଧାନ ପାଇ ପାରିଲା ନାହିଁ।

ନର୍କ ଯନ୍ତ୍ରଣା: ଅପହରଣ ପରେ ଆରମ୍ଭ ହୋଇଥିଲା ଝିଅଟିର ନର୍କ ଯନ୍ତ୍ରଣା। ଗୋଟେ ପରେ ଗୋଟେ ସହରକୁ ନିଆଯାଉଥିଲା। ଆଉ ସେଠାରେ ସପ୍ତାହେ ସପ୍ତାହେ ରଖାଯାଉଥିଲା। ଆଉ ଏହି ସମୟରେ ଝିଅଟି ସହ ଯୌନ ନିର୍ଯ୍ୟାତନା ଦିଆଯାଉଥିଲା।

କେତେବେଳେ ଝିଅଟିକୁ ଦୁଷ୍କର୍ମ କରାଯାଉଥିଲା ତ ଆଉ କେତେବେଳେ କିଣାବିକା କରାଯାଉଥିଲା। ଆଉ ମନ ଭରିଗଲା ପରେ ଝିଅଟିକୁ କ୍ରୀତଦାସ ପରି ଅନ୍ୟ ଜଣଙ୍କୁ ବିକ୍ରି କରିଦିଆଯାଉଥିଲା। ଏହି କିଣାବିକାରେ ପୁରୁଷଙ୍କ ସହ ମହିଳା ବି ସାମିଲ ଥିଲେ।

ଜଣେ ମହିଳା ଝିଅଟିକୁ କିଣି ନିଜର ରୋଜଗାରର ପନ୍ଥା କରିଥିଲା। ଆଉ ଝିଅଟିର ସୌନ୍ଦର୍ଯ୍ୟରେ ଆପାୟିତ୍ତ ହୋଇ ଜଣେ ବ୍ୟକ୍ତି ବାହା ହେବା ଉଦ୍ଧେଶ୍ୟରେ ଝିଅଟିକୁ କିଣିଥିଲେ। ଯିଏକି ରାଜସ୍ଥାନର ଆଜମେରରେ ରହୁଥିଲେ। ଆଉ ଏହି ସ୍ଥାନଟି ପୀଡିତାର ହୋମ ଟାଉନ ଠାରୁ ମାତ୍ର ୬୫୦ କିଲୋମିଟର ଦୂର।

ଫଟୋରୁ ମିଳିଲା ସନ୍ଧାନ: ଝିଅଟିକୁ କିଣିଥିବା ବ୍ୟକ୍ତି ଜଣଙ୍କ ତାକୁ ବାହା ହେବାକୁ ଚାହୁଁଥିଲା। ଆଉ ବିଶେଷ କଥା ହେଉଛି କି ସେ ଜାଣି ନଥିଲା ଏ ଝିଅଟି ସହ ପୂର୍ବରୁ କ’ଣ ସବୁ ଘଟିସାରିଛି। ତେଣୁ ବାହା ହେବା ଉଦ୍ଦେଶ୍ୟରେ ସେ ଝିଅଟି ସହ ଫଟୋ ଉଠାଇ ସୋସିଆଲ ମିଡିଆରେ ଛାଡିଦେଇଥିଲା।

ବାସ୍‌ ସୋସିଆଲ ମିଡିଆରେ ବ୍ୟକ୍ତି ଜଣଙ୍କ ପୋଷ୍ଟ କରିଥିବା ଫଟୋ ଦୀର୍ଘ ମାସ ହେଲା ନର୍କ ଯନ୍ତ୍ରଣା ଭୋଗୁଥିବା ଝିଅଟିର ଭାଗ୍ୟର ମୋଡକୁ ବଦଳାଇ ଦେଇଥିଲା। ପୋଷ୍ଟ ହୋଇଥିବା ଫଟୋ ସୋସିଆଲ ମିଡିଆ ଜରିଆରେ ମୈନପୁରୀରେ ପହଞ୍ଚି ଯାଇଥିଲା।

ସୌଭାଗ୍ୟବଶତଃ ସେଠାକାର ଜଣେ ଯୁବକ ଏହାକୁ ଦେଖି ପାରିଥିଲେ। ଏଥିସହ ୨୦୨୪ ମେ’ ୧୮ ତାରିଖରେ ଝିଅଟି ନିଖୋଜ ଥିବା ସେ ଜାଣିପାରି ତୁରନ୍ତ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ।

ଏହାପରେ ପରିବାର ଲୋକ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ମୈନପୁରୀ ପୋଲିସ ତୁରନ୍ତ ରାଜସ୍ଥାନ ପୋଲିସର ସହାୟତା ଲୋଡ଼ିଥିଲା। ଝିଅଟି ସହ ଫଟୋ ପୋଷ୍ଟ କରିଥିବା ବିଷ୍ଣୁ ମାଳିକୁ ପୋଲିସ ଆଜମେରରୁ ଉଠାଇଥିଲା।

ପୋଲିସ କ’ଣ କହିଲା: ପୋଲିସ ଫଟୋ ଦେଖିବା ପରେ ସୋସିଆଲ ମିଡିଆରେ ଯାଞ୍ଚ ଆରମ୍ଭ କରିଥିଲା। ଅଭିଯୁକ୍ତ ମାଳିର ସୋସିଆଲ ମିଡିଆର ଛାନଭିନ କରିବା ବେଳେ ପୋଲିସ ପୂରା ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲା।

ନୀରଜ ନାମକ ଜଣେ ବ୍ୟକ୍ତି ଆଜମେରରେ ବିଷ୍ଣୁ ମାଳିଙ୍କୁ ୩.୫ ଲକ୍ଷ ଟଙ୍କାରେ ଝିଅଟିକୁ ବିକ୍ରି କରିଥିଲା। ଏବେ ଅଭିଯୁକ୍ତମାନଙ୍କ ନାଁରେ ଦୁଷ୍କର୍ମ, ଅପହରଣ, ମାନବ ଚାଲାଣ ଓ ପୋସ୍କୋ ଆକ୍ଟରେ ମାମଲା ରୁଜୁ କରାଯାଇଛି।

ସେହିପରି ବିଷ୍ଣୁ ମାଳିକୁ ପୋଲିସ ଗିରଫ କରି ଗୁରୁବାର ମଣିପୁର ଆଣିଥିଲେ। ତାଙ୍କୁ କୋର୍ଟରେ ହାଜର କରି ଜେଲ ପଠାଇ ଦିଆଯାଇଛି। ସେହପରି ୮ ମାସ ଧରି ନର୍କ ଯନ୍ତ୍ରଣା ଭୋଗୁଥିବା ଝିଅଟିକୁ ମଧ୍ୟ ପୁଲିସ୍‌ ଉଦ୍ଧାର କରିଛି।