fbpx

Pearls ନିବେଶକଙ୍କ ପାଇଁ SEBIର ଘୋଷଣା: ଅର୍ଥ ଫେରସ୍ତ ପାଇଁ ଜମା କରନ୍ତୁ ରେଜିଷ୍ଟ୍ରେସନ ସାର୍ଟିଫିକେଟ

ନୂଆଦିଲ୍ଲୀ: ସମସ୍ତ ପିଅର୍ଲସ ବା ପିଏସିଏଲ ଇଣ୍ଡିଆ ଲିମିଟେଡର ନିବେଶକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ସେବିର ଉଚ୍ଚ କ୍ଷମତାସମ୍ପନ୍ନ କମିଟି ପିଏସିଏଲ ଗ୍ରୁପର ନିବେଶଙ୍କୁ ମୂଳ ଡକ୍ୟୁମେଣ୍ଟ ଜମା କରିବାକୁ କହିଛି । ୧୯ ହଜାର ଟଙ୍କା ପର୍ଯ୍ୟନ୍ତ ରିଫଣ୍ଡ ପାଇବାକୁ ଥିବା ନିବେଶକଙ୍କୁ ଅକ୍ଟୋବର ମାସ ୩୧ ତାରିଖ ସୁଦ୍ଧା ଡକ୍ୟୁମେଣ୍ଟ ଦାଖଲ କରିବାକୁ କମିଟି ପକ୍ଷରୁ କୁହାଯାଇଛି ।

ଯେଉଁ ନିବେଶକଙ୍କର ଆବେଦନ ଭେରିଫାଏଡ୍ ହୋଇସାରିଛି ସେମାନଙ୍କୁ ମୂଳ ଡକ୍ୟୁମେଣ୍ଟ ଜମା କରିବାକୁ କୁହାଯାଇଛି । ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଆର.ଏମ ଲୋଧାଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା କମିଟି ନିବେଶକଙ୍କୁ ଅର୍ଥ ଫେରସ୍ତ ପାଇଁ ସମ୍ପତ୍ତିର ବାଜ୍ୟାପ୍ତ ପ୍ରକ୍ରିୟା ଉପରେ ନଜର ରଖିଛି । କମିଟି ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ଧନରାଶି ଫେରସ୍ତ ପ୍ରକ୍ରିୟା ଆରମ୍ଭ କରିଛି । ସୁପ୍ରିମକୋର୍ଟଙ୍କ ଆଦେଶ ପରେ ୨୦୧୬ରେ ସେବି ଏହି କମିଟି ଗଠନ କରିଥିଲା ।

୧୭,୦୦୧ରୁ ଆରମ୍ଭ କରି ୧୯,୦୦୦ ଟଙ୍କା ପର୍ଯ୍ୟନ୍ତ ଦାବିଦାର ଥିବା ନିବେଶକଙ୍କୁ କମିଟି ମୂଳ ପିଏସିଏଲ ରେଜିଷ୍ଟ୍ରେସନ ପ୍ରମାଣପତ୍ର ମାଗିଛି । ଯେଉଁ ନିବେଶକଙ୍କର ଆବେଦନ ଭେରିଫାଏଡ୍ ହୋଇସାରିଛି ସେମାନଙ୍କୁ ଯୋଗ୍ୟ ଭାବେ ଗ୍ରହଣ କରାଯାଇଛି । ସମସ୍ତ ଯୋଗ୍ୟ ନିବେଶକଙ୍କୁ ଏ ସମ୍ବନ୍ଧରେ ସୂଚନା ପଠାଯିବ । ଅକ୍ଟୋବର ୧ ତାରିଖରୁ ୩୧ ତାରିଖ ମଧ୍ୟରେ ଏହି ପ୍ରମାଣପତ୍ର ଗ୍ରହଣ କରାଯିବ । ଏହା ପୂର୍ବରୁ ସେବି ପକ୍ଷରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରିଫଣ୍ଡ ଜାରି କରାଯାଇଥିଲା ।

ଗତ ୨୦୨୦ ମସିହା ଜାନୁଆରୀ ମାସରୁ ପିଏସିଏଲ ନିବେଶକଙ୍କ ରିଫଣ୍ଡ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ନିବେଶକଙ୍କୁ ୫ ହଜାର ଟଙ୍କା ଲେଖାଏଁ ରିଫଣ୍ଡ କରାଯାଇଥିଲା । ଏହାପରେ ୨୦୨୧ ମସିହା ଜାନୁଆରୀ-ମାର୍ଚ୍ଚ ମଧ୍ୟରେ ୧୦ ହଜାର ପର୍ଯ୍ୟନ୍ତ କ୍ଲେମଧାରୀଙ୍କ ଆବେଦନ ସ୍ୱୀକାର କରାଯାଇଥିଲା । ତା’ପରେ ୨୦୨୨ ମସିହା ଏପ୍ରିଲରେ ସେବି ୧୦୦୧ରୁ ୧୫୦୦୦ ପର୍ଯ୍ୟନ୍ତ ରିଫଣ୍ଡ ପାଇଁ ଆବେଦନ ମାଗିଥିଲା । ଏବେ ୧୯ ହଜାର ଟଙ୍କା ରିଫଣ୍ଡ ନେଇ ପ୍ରକ୍ରିୟା ଜାରି ରହିଛି । ସେଥିପାଇଁ ନିବେଶକଙ୍କୁ ଅକ୍ଟୋବର ୩୧ ତାରିଖ ମଧ୍ୟରେ ସାର୍ଟିଫିକେଟ ଜମା କରିବାକୁ କୁହାଯାଇଛି ।

Get real time updates directly on you device, subscribe now.