ପୁରୀରେ ଚନ୍ଦନ ଯାତ୍ରା ଏବଂ ରଥ ନିର୍ମାଣ କାର୍ଯ୍ୟ ପାଇଁ ଲାଗୁ ହେବ ୧୪୪ ଧାରା

ପୁରୀ, ୧୧/୫: ସମସ୍ତ ସୁରକ୍ଷା ବ୍ୟବସ୍ଥା ଏବଂ ୧୪୪ ଧାରା ମଧ୍ୟରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାର୍ଷିକ ଚନ୍ଦନ ଯାତ୍ରା ପୁରୀର ନରେନ୍ଦ୍ର ପୁଷ୍କରିଣୀ ଅନୁଷ୍ଠିତ ହେବ ।  ମଙ୍ଗଳବାର ଏନେଇ ଛତିଶା ନିଯୋଗ ସହ ବୈଠକ ପରେ ପୁରୀ ଜିଲ୍ଳାପାଳ ସମର୍ଥ ବର୍ମା ଏହା ଘୋଷଣା କରିଛନ୍ତି।

କର୍ଫ୍ୟୁ ଲାଗୁ ବିଷୟରେ ସୂଚନା ଦେଇ ବର୍ମା କହିଛନ୍ତି ଯେ ଜଗନ୍ନାଥ ମନ୍ଦିରରୁ ପୁଷ୍ମରିଣୀ  ପର୍ୟ୍ୟନ୍ତ ୧୪୪ ଧାରା କାର୍ଯ୍ୟକାରୀ ହେବ ।ପୂର୍ବ ନିଷ୍ପତ୍ତି ଅନୁଯାୟୀ ଭକ୍ତମାନେ କୌଣସି ଭାବରେ ଏଥିରେ ଅଂଶଗ୍ରହଣ କରିପାରିବେ ନାହିଁ  । କଡା ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବ୍ୟାପକ ପୋଲିସ କର୍ମଚାରୀ ନିୟୋଜିତ ହେବେ।

ବୈଠକରେ ଆଉ ଏକ ନିଷ୍ପତ୍ତି ନିଆଯାଇଛି, ୫୦ ରୁ ୭୦ ସେବାୟତ ଯେଉଁମାନଙ୍କର କୋଭିଡ ନେଗେଟିଭ ରିପୋର୍ଟ ରହିଥିବ କେବଳ ସେମାନଙ୍କୁ ରୀତିନୀତିରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯିବ । ସେବାୟତମାନଙ୍କୁ ୭୨ ଘଣ୍ଟା ପୂର୍ବରୁ ଆରଟିପିସିଆର ରିପୋର୍ଟ  ଦେବାକୁ ପଡିବ ।

ସେପଟେ ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ୟ୍ୟର ଆରମ୍ଭ ହେଉଥିବାରୁ ଜିଲ୍ଲା ପ୍ରଶାସନ ନୀଳାଦ୍ରୀ ଭକ୍ତ ନିବାସଠାରେ କାଠକାମରେ ନିୟୋଜିତ ସେବକମାନଙ୍କୁ ସଙ୍ଗରୋଧରେ ରଖିବାକୁ ନିଷ୍ପତ୍ତି ନେଇଛି। ରଥ ଖଳାରେ ମଧ୍ୟ ୧୪୪ ଧାରା ବଳବତ୍ତର ରହିବ ।

ଭକ୍ତମାନେ  ପ୍ରଭୁଙ୍କର ସାନିଧ୍ୟ ପାଇବା ଉଦ୍ଦେଶ୍ୟରେ ଚନ୍ଦନ ଯାତ୍ରାର ଲାଇଭ୍ ଟେଲିକାଷ୍ଟ କରିବାର ନିଷ୍ପତ୍ତି ହୋଇଛି । ଉତ୍ସବରେ କିଛି ଗଣମାଧ୍ୟମ କର୍ମଚାରୀଙ୍କୁ ଅନୁମତି ଦିଆଯିବ ବୋଲି ପୁରୀ ଜିଲ୍ଳାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

 

Get real time updates directly on you device, subscribe now.