fbpx

ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ: ପୁଣି ବିଗିଡ଼ିଲା ସ୍ୱାସ୍ଥ୍ୟାବସ୍ଥା

Advertisement

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଥରେ ବିଗିଡ଼ିଛି । ତେଣୁ ତାଙ୍କୁ ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଡଭାନୀଙ୍କୁ ରୁଟୀନ ଚେକଅପ୍ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ତାଙ୍କର ଅଫିସ ତରଫରୁ କୁହାଯାଇଛି । ବିଜେପି ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ତାଙ୍କର ଚିକିତ୍ସା କରୁଥିବା ଡା. ବିନୀତ ପୁରୀ କହିଛନ୍ତି । ଆଡଭାନୀଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

ଏହା ପୂର୍ବରୁ ଗତ ସପ୍ତାହରେ ମଧ୍ୟ ଆଡଭାନୀଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା । ତେଣୁ ତାଙ୍କୁ ଗତ ୨୭ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ୨୬ ତାରିଖ ବିଳମ୍ବିତ ରାତିରେ ଦେଶର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଆଡଭାନୀଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ବୟସାଧିକ ସ୍ୱାସ୍ଥ୍ୟା ସମସ୍ୟା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଥିଲା । ତା’ ପରଦିନ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଥିଲା ।

ଶ୍ରୀ ଆଡଭାନୀ ଦୀର୍ଘ ଦିନ ହେଲା ବୟସାଧିକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି । ସେଥିପାଇଁ ତାଙ୍କୁ ଘରେ ନିୟମିତ ଭାବେ ଚେକଅପ୍ କରାଯାଉଛି । ଗତ ମାର୍ଚ୍ଚ ମାସ ୩୦ ତାରିଖରେ ବିଜେପିର ଏକ ବରିଷ୍ଠ ନେତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜେ ଆଡଭାନୀଙ୍କ ଘରକୁ ଯାଇ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.