ନୂଆଦିଲ୍ଲୀ: ଚଳିତ ମାସରେ ଦେଶର ୪ଟି ରାଜ୍ୟର ବିଧାନସଭା ନିମନ୍ତେ ମତଦାନ ପ୍ରକ୍ରିୟା ସମାପ୍ତ ହୋଇଥିବା ବେଳେ ଆସନ୍ତା ୩୦ ତାରିଖରେ ତେଲେଙ୍ଗାନ ବିଧାନସଭା ପାଇଁ ମତଦାନ ଗ୍ରହଣ କରାଯିବ । ଆସନ୍ତା ମାସ ୩ ତାରିଖରେ ଏହି ସମସ୍ତ ରାଜ୍ୟରେ ଫଳାଫଳ ଘୋଷଣା ହେବ । ନିର୍ବାଚନର ରେଜଲ୍ଟ ପ୍ରକାଶ ପାଇବା ପୂର୍ବରୁ ପ୍ରତ୍ୟେକ ରାଜନୈତିକ ଦଳ ବଡ଼ ଉତ୍ସୁକତାର ସହିତ ଅପେକ୍ଷା କରି ରହିଛନ୍ତି । ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ଏହି ନିର୍ବାଚନ ଫଳାଫଳ ସେମିଫାଇନାଲ ସଦୃଶ ହେବ ବୋଲି କୁହାଯାଉଛି ।
ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ବରିଷ୍ଠ ବିଜେପି ନେତା ତଥା ୨ ଥରର ବିଧାୟକ ସୁନିଲ ଓଝାଙ୍କ ପରଲୋକ ଘଟିଛି । ସୁନିଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶ୍ୱସ୍ତ ବନ୍ଧୁ ଭାବେ ଜଣାଶୁଣା ଅଟନ୍ତି । ମୋଦୀଙ୍କ ସହିତ ସୁନିଲଙ୍କର ୨୦ ବର୍ଷରୁ ଅଧିକ ବର୍ଷର ସମ୍ପର୍କ ରହିଥିଲା । ତେଣୁ ସୁନିଲଙ୍କ ଉପରେ ମୋଦୀ ବହୁତ ଭରସା କରୁଥିଲେ । ସୁନିଲ ଗୁଜରାଟର ଦଶମ ଓ ଏକାଦଶ ବିଧାନସଭାରେ ଭାବନଗର ଦକ୍ଷିଣ ଆସନରୁ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।
ପିଏମ ମୋଦୀଙ୍କ ସହିତ ସିଧାସଳଖ ସାକ୍ଷାତ କରିପାରୁଥିବା ବିଶ୍ୱସ୍ତ ନେତାଙ୍କ ମଧ୍ୟରେ ଜଣେ ଥିଲେ ସୁନିଲ । ସେ ଅନେକ କ୍ଷେତ୍ର ପାଇଁ ସଂଯୋଜକ ଦାୟିତ୍ୱ ନିର୍ବାହ କରିଥିଲେ । ୨୦୧୪ ଲୋକସଭା ନିର୍ବାଚନରେ ମୋଦୀ ବାରାଣାସୀରୁ ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିବା ପରେ ସୁନିଲ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା ପାଇଁ ଗୁଜରାଟରୁ କାଶୀ ପହଞ୍ଚିଥିଲେ । ଏହାପରେ ସେ କାଶୀରେ ରହିଥିଲେ ଓ ପରବର୍ତ୍ତୀ ସମୟରେ ତାଙ୍କର ନାମ ଚର୍ଚ୍ଚାକୁ ଆସିଥିଲା । ସୁନିଲଙ୍କ ବିୟୋଗରେ ପିଏମ୍ ମୋଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ବହୁ ବରିଷ୍ଠ ନେତା ଗଭୀର ଶୋକବ୍ୟକ୍ତ କରିଛନ୍ତି ।