fbpx

(Video) ହେ ଈଶ୍ୱର ଦୁଃଖ ବୁଝନ୍ତୁ: ବୟସ ୭୦, ଦେହରେ ବଳ ନାହିଁ, ତଥାପି ଡହ ଡହ ଖରାରେ ଖାଲିପାଦରେ ପେନସନ ପାଇଁ ଯାଉଛନ୍ତି ବୁଢ଼ୀ ମାଉସୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମ ସମାଜରେ କିଛି ଲୋକ ଭଗବାନଙ୍କ ଉପରେ ବିଶ୍ୱାସ କରୁଥିବା ବେଳେ ଆଉ କିଛି ଜମାରୁ କରିନଥାନ୍ତି । ତେବେ ଏହା ମଧ୍ୟରେ ଏକ ଦୁଃଖଦାୟକ ତଥା ବେଦନାସିକ୍ତ ଖବର ଆସିଛି । ଏହି ଘଟଣାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଦେଖିବା ପରେ ଭଗବାନ ନାହାନ୍ତି, ଧର୍ମ ନାହିଁ ବୋଲି ଆପଣମାନେ କହିବେ । ଭୀଷଣ ତାତିରେ ଜଣେ ସାଧାରଣ ମଣିଷ ଯେତେବେଳେ ବାହାରକୁ ବାହାରି ପାରୁନାହିଁ, ସେତେବେଳେ ଯଦି ଜଣେ ୭୦ ବର୍ଷୀୟ ବୃଦ୍ଧା ଖାଲି ପାଦରେ ପିଚୁ ରାସ୍ତାରେ ଚାଲିଚାଲି ଯିବେ ଏହାକୁ ଆମେ କ’ଣ କହିବା?

ସୂଚନା ମୁତାବକ, ଏହି ଘଟଣାଟି ଓଡ଼ିଶାର ନବରଙ୍ଗପୁର ଜିଲ୍ଲାରୁ ଆସିଛି । ଜଣେ ୭୦ ବର୍ଷୀୟ ମହିଳା ନିଜର ବୃଦ୍ଧାବସ୍ଥାରେ ପେନସନ ପାଇବା ପାଇଁ କଠିନ ସଂଘର୍ଷ କରୁଛନ୍ତି । ଭାଇରାଲ ଭିଡିଓରେ ସେ ଏକ ଭଙ୍ଗା ଚୌକି ସହାୟତାରେ ଚାଲି ଚାଲି ଯାଉଛନ୍ତି । ତେବେ ଟାଇଁଟାଇଁ ଖରାରେ ପାଦ ପୋଡ଼ି ଯାଉଥିଲେ ହେଁ ସେ ଖାଲି ପାଦରେ ଚାଲୁଥିବା ଦେଖା ଯାଉଛି । ଜିଲ୍ଲାର ଝରିଗନ ବ୍ଲକର ବନୁଆଗୁଡ଼ା ଗ୍ରାମରେ ଏହି ମହିଳା ରହୁଥିବା ଜଣାପଡ଼ିଛି ।

ସୂର୍ଯ୍ୟା ହରିଜନ ନାମଧାରୀ ଏହି ବୃଦ୍ଧା ମହିଳା ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର । ସେ ନିଜ ସାନ ପୁଅ ସହିତ ପରିବାରରେ ରହୁଛନ୍ତି । ଅନ୍ୟର ମଇଁଷି ଚରାଇ ସେ ନିଜ ଗୁଜୁରାଣ ମେଣ୍ଟାଇବା ସହ ଝୁମ୍ପୁଡ଼ିରେ ରହୁଛନ୍ତି । ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଲୋକମାନେ ବ୍ୟାଙ୍କ କର୍ମଚାରୀଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । କାରଣ ବୟସ୍କ ଲୋକଙ୍କ ଘରେ ସେବା ପହଞ୍ଚାଇବା ନେଇ ନିୟମ ରହିଛି । ଗତ ଚାରି ମାସ ହେଲା ବୁଢ଼ୀ ମାଉସ ନିଜର ପେନସନ ଗଣ୍ଡାକ ପାଇନାହାନ୍ତି । ଦୁର୍ବଳତା କାରଣରୁ ଚାଲିବାକୁ ଅକ୍ଷମ ହେବାରୁ ସେ ଏକ ଚୌକିର ସାହାରା ନେଇଛନ୍ତି ।

ତେବେ ଏଠାରେ କହିବାର କଥା, ଜଣେ ୭୦ ବର୍ଷୀୟା ବୃଦ୍ଧା ମହିଳା ନିଜେ ଚାଲିବାକୁ ଅକ୍ଷମ । ସେ ଖାଲି ପାଦରେ ଡହଡହ ଖରାରେ ପେନସନ ପାଇଁ ପ୍ରୟାସ କରୁଛନ୍ତି । ସେ ୧୦୦ ମିଟର ରାସ୍ତା ଚାଲିବା ବେଳକୁ ଅଧା ସିଝି ସାରିଥିବେ । ଏମିତି ଲାଗୁଛି ସତେ ଯେମିତି ଇଏ କୋଉ ଯମ ଦଣ୍ଡ । ସତେ ଯେମିତି ଏ ଦୁନିଆରେ ଧର୍ମ ନାହିଁ । ନିଜ କାମ ନିଜେ କରିବା ଖରାପ କଥା ନୁହେଁ । ମାତ୍ର ଯେଉଁଠି ମଣିଷର ହାତଗୋଡ଼ ସବୁ ପ୍ରାୟତଃ ଅଚଳ, ସେ କ୍ଷେତ୍ରରେ ଏପରି ପରିସ୍ଥିତି ଦେଖିଲେ କ’ଣ କହିବା ।

Get real time updates directly on you device, subscribe now.