fbpx

ଭୟଙ୍କର ତୁଷାରପାତ ‘ବମ୍’ ନେଲା ୬୦ ଜୀବନ; ୨୦ କୋଟି ଲୋକ ପ୍ରଭାବିତ

ନୂଆଦିଲ୍ଲୀ: ପୃଥିବୀର ଅନେକ ସ୍ଥାନରେ ବରଫ ପବନ ଏବଂ ବରଫ ଝଡ଼ ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ତୁଷାର ଝଡ଼ “ବମ୍’ ଯୋଗୁଁ ଆମେରିକାରେ ଏପର୍ଯ୍ୟନ୍ତ ୬୦ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଜାପାନର ଏକ ବଡ଼ ଅଂଶରେ ପ୍ରବଳ ତୁଷାରପାତ ଯୋଗୁଁ ୧୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୯୩ ଜଣ ଆହତ ହୋଇଛନ୍ତି । ଏଠାରେ ଶହ ଶହ ଘରେ ବିଦ୍ୟୁତ କଟିଯାଇଛି । ଅନ୍ୟପଟେ ୟୁରୋପର ଅଷ୍ଟ୍ରିଆରେ ତୁଷାରପାତରେ ୧୦ ଜଣ ନିଖୋଜ ହୋଇଯାଇଛନ୍ତି ।

ଆମେରିକାରେ ଖ୍ରୀଷ୍ଟମାସ ସମୟରେ ତୁଷାରପାତ ଯୋଗୁଁ ଦେଶର ପ୍ରାୟ ୨୦ କୋଟି ଲୋକ ଭୟଙ୍କର ଭାବେ ପ୍ରଭାବିତ ହୋଇଛନ୍ତି । ୪୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କାନାଡାରେ ମଧ୍ୟ ଚାରି ଜଣ ପ୍ରାଣ ହରାଇଛନ୍ତି । ମେକ୍ସିକୋ ପର୍ଯ୍ୟନ୍ତ ଝଡ଼ର ପ୍ରଭାବ ଦେଖିବାକୁ ମିଳୁଛି । ଆମ୍ବୁଲାନ୍ସ ଏଠାରେ ରୋଗୀଙ୍କ ପାଖରେ ପହଞ୍ଚିବାରେ ସକ୍ଷମ ହୋଇପାରୁନି । ସବୁଠାରୁ ଅଧିକ ପ୍ରଭାବିତ ହେଉଛି ନ୍ୟୁୟର୍କ ଏବଂ ମୋଟାନା ପରି ସହର ଯେଉଁଠାରେ ତାପମାତ୍ରା ମାଇନସ୍ ୪୫ ଡିଗ୍ରୀରେ ପହଞ୍ଚିଛି ।

ଆମେରିକାର ଅଧିକାରୀମାନେ ଏହାକୁ ଶତାବ୍ଦୀର ସବୁଠାରୁ ଭୟଙ୍କର ବରଫ ଝଡ ବୋଲି କହିଛନ୍ତି । ଆମେରିକାର ଉତ୍ତର-ପୂର୍ବର କିଛି ଅଂଶରେ ତୁଷାରପାତର ଅବସ୍ଥା ଏବେ ବି ଭୟଙ୍କର ରହିଛି । ଲକ୍ଷ ଲକ୍ଷ ଲୋକଙ୍କ ଘରେ ବିଦ୍ୟୁତ୍ ନାହିଁ । ଯାତାୟାତ ଠପ୍ ହୋଇଯାଇଛି ଏବଂ ଚାରିଆଡେ ବରଫ ଜମା ହେଉଛି । ନଅଟି ରାଜ୍ୟରେ ଅତି କମରେ ୪୯ ଜଣଙ୍କର ମୃତ୍ୟୁ ଘଟିଛି ।

ନ୍ୟୁୟର୍କର ଗଭର୍ଣ୍ଣର କ୍ୟାଥୀ ହୋଚୁଲ ଗଣମାଧ୍ୟମକୁ କହିଛନ୍ତି ଯେ ଏହା ହେଉଛି ଶତାବ୍ଦୀର ସବୁଠାରୁ ଭୟଙ୍କର ବରଫ ଝଡ଼ । ପଶ୍ଚିମ ନ୍ୟୁୟର୍କର ଅଞ୍ଚଳଗୁଡିକରେ ୩୦ ରୁ ୪୦ ଇଞ୍ଚର ମୋଟା ବରଫ ଜମା ହୋଇ ରହିଛି । ହୋଚୁଲ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଫୋନରେ କଥା ହୋଇ ତାଙ୍କ ସାହାଯ୍ୟ ପାଇଁ ନିବେଦନ କରିଥିଲେ । ବାଇଡେନ କହିଛନ୍ତି ଯେ କେନ୍ଦ୍ର ସରକାର ସାହାଯ୍ୟ କରିବାକୁ ଚେଷ୍ଟା କରିବେ ।
ତୁଷାରପାତ ଯୋଗୁଁ ଖ୍ରୀଷ୍ଟମାସ ଅବସରରେ ଅନେକ ଯାତ୍ରୀ ବିମାନବନ୍ଦରରେ ଫସି ରହିଥିଲେ । ତାଙ୍କର ବିମାନ ବାତିଲ କରାଯାଇଥିଲା । ଅସମ୍ଭାଳ ସ୍ଥିତି ଯୋଗୁଁ ୪୮ ଘଣ୍ଟା ମଧ୍ୟରେ ଆମେରିକାରେ ୧୫ ହଜାରରୁ ଅଧିକ ବିମାନ ଉଡ଼ାଣ ବନ୍ଦ ହୋଇଛି । ଯାତ୍ରୀ ମାନଙ୍କୁ ବିମାନ ବନ୍ଦର ଚଟାଣରେ ଶୋଇବାକୁ ପଡିଥିଲା । କାରରେ ଯାତ୍ରା କରୁଥିବା ଅନେକ ଲୋକ ରାସ୍ତାରେ ଅଟକି ଯାଇଥିଲେ ।

Get real time updates directly on you device, subscribe now.