fbpx

ରାଜନୀତି ଦୁନିଆରେ ଡେବ୍ୟୁ କରିବେ ଶାମୀ! ନିର୍ବାଚନରେ ବିଜେପି ଦେଇପାରେ ପ୍ରାର୍ଥି ଟିକେଟ

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନରେ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି ଷ୍ଟାର ବୋଲର ମହମ୍ମଦ ଶାମୀ । ଏହି ନିର୍ବାଚନ ଜରିଆରେ ଭାରତୀୟ ଜନତା ପାର୍ଟି ତରଫରୁ ସେ ଡେବ୍ୟୁ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ନିର୍ବାଚନ ଲଢେଇରେ କ୍ରିକେଟର ମହମ୍ମଦ ଶାମୀଙ୍କୁ ପ୍ରାର୍ଥୀ କରିପାରେ ବିଜେପି । ପଶ୍ଚିମବଙ୍ଗ ଆସନ ପାଇଁ ମହମ୍ମଦ ଶାମୀଙ୍କୁ ଯୋଗ୍ୟ ପ୍ରାର୍ଥି ଭାବରେ ବିଜେପି ନଜରରେ ରଖିଛି । ପଶ୍ଚିମବଙ୍ଗ ଆସନ ଉପରେ କବଜା କରିବାକୁ ହେଲେ ଶାମୀ ହିଁ ବିଜେପିର ପକୃତ ସାଥୀ ହୋଇପାରନ୍ତି ବୋଲି ବିଜେପି ଚିନ୍ତା କରୁଛି ।

ସୂଚନା ଥାଉ କି, ରଣଜୀ ଟ୍ରଫିରେ ମହମ୍ମଦ ଶାମୀ ପଶ୍ଚିମବଙ୍ଗରୁ ଖେଳୁଥିଲେ । ଏହାସହିତ ରାଜ୍ୟ ପାଇଁ ଘରୋଇ କ୍ରିକେଟ ମଧ୍ୟ ଖେଳିଛନ୍ତି ଶାମୀ । ତେଣୁ ପଶ୍ଚିମବଙ୍ଗରୁ ହିଁ ତାଙ୍କୁ ମଇଦାନକୁ ଓହ୍ଲାଇବାକୁ ଚିନ୍ତା କରାଯାଉଛି । ଏ ନେଇ ବିଜେପି ପକ୍ଷରୁ ଶାମୀଙ୍କୁ ପ୍ରସ୍ତାବ ଦିଆଯାଇଛି । ତେବେ ଖୁବଶୀଘ୍ର ସୁସ୍ଥ ହୋଇ ସେ କ୍ରିକେଟକୁ ଫେରିବା ପାଇଁ ବ୍ୟଗ୍ର ହେଉଥିବା ବେଳେ ଲୋକସଭା ନିର୍ବାଚନ ଲଢିବା ନେଇ କୌଣସି ନିଷ୍ପତ୍ତି ନେଇ ନଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଶାମୀଙ୍କ ପକ୍ଷରୁ ନିର୍ବାଚନ ଲଢିବା ନେଇ କୌଣସି ପ୍ରକାର ପ୍ରତିକ୍ରୟା ମିଳି ପାରିନାହିଁ । ଏହାବ୍ୟତୀତ ଆହତ ସମସ୍ୟା ପାଇଁ ଶାମୀ ଆସନ୍ତା ଆଇପିଏଲରୁ ମଧ୍ୟ ବାଦ୍ ପଡ଼ିଥିବା ଜାଣିବାକୁ ମିଳିଛି । ନିକଟରେ ଆହତ ସମସ୍ୟା ଯୋଗୁଁ ସେ ସର୍ଜରୀ କରାଇଛନ୍ତି । ଅସ୍ତ୍ରୋପଚାର ପରେ ପ୍ରଧାନମନ୍ତ୍ରୀ ମୋଦୀ ଶାମୀଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।

ଦିନିକିଆ ବିଶ୍ୱକପ-୨୦୨୩ରେ ଭାରତ ପାଇଁ ଟ୍ରମ୍ପକାର୍ଡ ସାବ୍ୟସ୍ତ ହୋଇଥିଲେ ମହମ୍ମଦ ଶାମୀ । ବିଶ୍ୱକପର ଅଧିକାଂଶ ମ୍ୟାଚରେ ଦମଦାର ବୋଲିଂ କରି ଭାରତକୁ ଫାଇନାଲରେ ପହଞ୍ଚାଇବାରେ ସେ ସୂତ୍ରଧର ସାଜିଥିଲେ । ବିଶେଷ କରି ସେମି ଫାଇନାଳରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୭ଟି ୱିକେଟ ନେଇ ଭାରତକୁ ଫାଇନାଲ ଟିକେଟ ଭେଟି ଦେଇଥିଲେ ମହମ୍ମଦ ଶାମୀ । ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ ପାଇଁ ଟିମ ଇଣ୍ଡିଆର ଡ୍ରେସିଂ ରୁମରେ ପହଞ୍ଚି ସମସ୍ତ ଖେଳାଳିଙ୍କୁ ଭେଟି ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହାପରେ ଶାମୀ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଭେଟିଥିଲେ । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶାମୀଙ୍କ ଜନ୍ମଭୂମି ଅମରୋହାରେ ତାଙ୍କ ନାମରେ ଏକ କ୍ରିକେଟ ଷ୍ଟାଡିୟମ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.