fbpx

IPL-2024ରେ ଏଣ୍ଟ୍ରି କରିବେ ଶାମୀଙ୍କ ଭାଇ ମହମ୍ମଦ କୈଫ ! ଏହି ଚମ୍ପିଆନ୍ ଦଳରେ ହେବେ ସାମିଲ

ନୂଆଦିଲ୍ଲୀ: ଆହତ ସମସ୍ୟାରୁ ସୁସ୍ଥ ହୋଇ ନଥିବାରୁ ଆଇପିଏଲ-୨୦୨୪ରୁ ବାଦ୍ ପଡ଼ିଛନ୍ତି ଷ୍ଟାର ବୋଲର ମହମ୍ମଦ ଶାମୀ । ଆଣ୍ଠୁରେ ଲାଗିଥିବା ଆଘାତର ଚିକିତ୍ସା ପାଇଁ ବିଦେଶ ଯିବେ ମହମ୍ମଦ ଶାମୀ । ତେଣୁ ଚଳିତବର୍ଷ ଆଇପିଏଲ ଟୁର୍ଣ୍ଣାମେଣ୍ଟରୁ ସେ ବାଦ୍ ପଡ଼ିଛନ୍ତି । ତେବେ ପୂର୍ବତନ ଚମ୍ପିଆନ୍ ଗୁଜୁରାଟ ଟାଇଟନ୍ସ ପାଇଁ ପ୍ରମୁଖ ବୋଲରଙ୍କ ଅନୁପସ୍ଥିତି ଦଳକୁ ଏକ ଝଟକା ଦେଇଛି । ଶାମୀଙ୍କ ସ୍ଥାନରେ ବିକଳ୍ପ ବୋଲର ଅନୁସନ୍ଧାନରେ ରହିଛି ଗୁଜୁରାଟ । ତେଣୁ ଶାମୀଙ୍କ ସ୍ଥାନ ପୂରଣ କରିବା ପାଇଁ ଦଳରେ ଭାଇ ମହମ୍ମଦ କୈଫଙ୍କୁ ସାମିଲ କରିବା ନେଇ ଏବେ ଚର୍ଚ୍ଚା ହେଉଛି ।

ଶାମୀଙ୍କ ବଦଳରେ ଗୁଜୁରାଟ ଟାଇଟନ୍ସ ଦଳରେ ସାମିଲ ହୋଇପାରନ୍ତି ସାନ ଭାଇ ମହମ୍ମଦ କୈଫ । ୨୭ବର୍ଷର ଷ୍ଟାର ବୋଲର ବର୍ତ୍ତମାନ ଘରୋଇ କ୍ରିକେଟରେ ବେଙ୍ଗଲ ପାଇଁ ଦମଦାର ବୋଲିଂ କରୁଥିବା ଦେଖାଯାଇଛି । ଲିଷ୍ଟ-ଏ ଡେବ୍ୟୁରେ କୈଫ ଦମଦାର ପ୍ରଦର୍ଶନ କରିଛନ୍ତି । ରଣଜୀ ଟ୍ରଫିର ୬ଟି ମ୍ୟାଚରୁ ୨୨ ହାରରେ ୧୭ଟି ୱିକେଟ ନିଜ ନାମରେ କରିଛନ୍ତି ମହମ୍ମଦ କୈଫ । ଏହାବ୍ୟତୀତ ଲିଷ୍ଟ-ଏ କ୍ରିକେଟରେ ୯ଟି ମ୍ୟାଚରୁ ୧୨ଟି ୱିକେଟ ହାସଲ କରିବାରେ କୈଫ ସଫଳ ହୋଇଛନ୍ତି ।

ଚଳତବର୍ଷ ଆଇପିଏଲ ଅକ୍ସନରେ ସେ ନାଁ ରେଜିଷ୍ଟର କରିଥିଲେ ମଧ୍ୟ କୌଣସି ଦଳ ତାଙ୍କ ପ୍ରତି ଆଗ୍ରହୀ ହୋଇ ନଥିଲେ । ଆଇପିଏଲ-୨୦୨୪ ପାଇଁ ହୋଇଥିବା ଅକ୍ସନରେ ଅନସୋଲ୍ଡ ରହିଥିଲେ ମହମ୍ମଦ କୈଫ । ତେବେ ବର୍ତ୍ତମାନ ଶାମୀ ଗୁଜୁରାଟ ଦଳରୁ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଭାଇ ମହମ୍ମଦ କୈଫଙ୍କୁ ଦଳରେ ସୁଯୋଗ ଦେଇପାରେ ଗୁଜୁରାଟ ଟାଇଟନ୍ସ । ସେପଟେ ଶାମୀ ଆହତ ସମସ୍ୟା ଯୋଗୁଁ ପ୍ରାୟ ୬-୮ ମାସ ପର୍ଯ୍ୟନ୍ତ କ୍ରିକେଟରୁ ଦୂରେଇ ରହିପାରନ୍ତି । ତେଣୁ ତାଙ୍କ ବିକଳ୍ପ ବୋଲର ଭାବରେ ମହମ୍ମଦ କୈଫ ଗୁଜୁରାଟ ଦଳରେ ସୁଯୋଗ ପାଇପାରନ୍ତି ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.