fbpx

ବହୁ ପ୍ରତୀକ୍ଷିତ ‘ଶମଶେରା’ର ଟିଜର ଜାରି, ଏହି ଦିନ ରିଲିଜ୍ ହେବ ରଣବୀରଙ୍କ ଫିଲ୍ମ

ନୂଆଦିଲ୍ଲୀ: ପ୍ରତୀକ୍ଷାର ଅନ୍ତ ଘଟିଲା। ଶେଷରେ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଶମଶେରା’ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି ନିର୍ମାତା। ରଣବୀର କପୁର, ସଞ୍ଜୟ ଦତ୍ତ ଏବଂ ବାଣୀ କପୁରଙ୍କ ଅଭିନୀତ ଏହି ଫିଲ୍ମ ଜୁଲାଇ ୨୨ରେ ସିନେମା ଘରକୁ ଆସିବ। ଆକ୍ସନରେ ଭରପୂର ଏହି ଥ୍ରୀଲର ଫିଲ୍ମ ବିଷୟରେ ସୂଚନା ଦେଇ ୟଶରାଜ ଫିଲ୍ମ ଟୁଇଟ୍ କରିଛି ଯେ, ଜୁଲାଇ ୨୨ରେ ଫିଲ୍ମ ପ୍ରେକ୍ଷାଳୟକୁ ଆସିବ। ୟଶରାଜର ୫୦ତମ ବର୍ଷ ପୂର୍ତ୍ତିର ଉତ୍ସବ ‘ଶମଶେରା’ ସହିତ ନିଜର ନିଟକସ୍ଥ ସିନେମାଘରେ ମନାନ୍ତୁ। ଏହି ଫିଲ୍ମ ହିନ୍ଦୀ, ତାମିଲ ଏବଂ ତେଲୁଗୁରେ ରିଲିଜ୍ ହେବାକୁ ଯାଉଛି।

ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରାଯିବା ସହ ଏହାର ଟିଜର ମଧ୍ୟ ଜାରି କରାଯାଇଛି। ପାଖାପାଖି ଏକ ମିନିଟର ଟିଜରରେ ତିନି କଳାକାରଙ୍କୁ ଦେଖିବାକୁ ମିଳିଛି। ଫିଲ୍ମର କାହାଣୀ ବିଷୟରେ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ। ତେବେ ଦାବି କରାଯାଉଛି ଯେ, ଏହା ଦେଶ ସ୍ଵାଧୀନ ହେବା ପୂର୍ବର ଭାରତର ଡକାୟତଙ୍କ କାହାଣୀ ଉପରେ ପର୍ଯ୍ୟବେସିତ ରହିଛି।

କରଣ ମାଲହୋତ୍ରାଙ୍କ ଦ୍ଵାରା ନିର୍ଦ୍ଦେଶିତ ଫିଲ୍ମକୁ ଏକ ପିରିୟଡ ଆକ୍ସନ ଡ୍ରାମା ଫିଲ୍ମ ଭାବେ ବର୍ଣ୍ଣନା କରାଯାଇଛି। ଏଥିରେ ରଣବୀର କପୁରଙ୍କୁ ବାପା ଏବଂ ପୁଅ ଉଭୟ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମରେ ଆଶୁତୋଷ ରାଣା, ସୌରଭ ଶୁକ୍ଳା ଏବଂ ରୋନିତ ରାୟ ମଧ୍ୟ ଅଭିନୟ କରିଛନ୍ତି।

 

Get real time updates directly on you device, subscribe now.