ମୌସୁମୀ ଅଧିବେଶନ ବୈଠକରେ ଯୋଗ ଦେଲେନି ଶଶି ଥରୁର, ଚିଠି ଲେଖି କହିଲେ ମୋର…

ନୂଆଦିଲ୍ଲୀ,୧୫ା୭: ମୌସୁମୀ ଅଧିବେଶନରେ ରଣନୀତି ଚୂଡ଼ାନ୍ତ କରିବା ପାଇଁ ମଙ୍ଗଳବାର କଂଗ୍ରେସର ଏକ ବଡ଼ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ କଂଗ୍ରେସ ସଂସଦୀୟ ଦଳର ନେତ୍ରୀ ସୋନିଆ ଗାନ୍ଧୀ ଡକାଇଥିଲେ। ଗୌରବ ଗୋଗୋଇ, ମାଣିକମ୍ ଟାଗୋର ଏବଂ ଶଶି ଥରୁର ଏଥିରେ ଯୋଗ ଦେଇ ନଥିଲେ। ଏହି ତିନି ନେତା ହାଇକମାଣ୍ଡଙ୍କୁ ଭିନ୍ନ ଭିନ୍ନ କାରଣ ଦେଇଛନ୍ତି। ଶଶି ଥରୁର ଏକ ଚିଠି ପଠାଇଛନ୍ତି। ଏଥିରେ ସେ କହିଛନ୍ତି ଯେ, ସେ ପାରିବାରିକ କାମରେ ବ୍ୟସ୍ତ ଅଛନ୍ତି। ତେଣୁ ସେ ବୈଠକରେ ଅଂଶଗ୍ରହଣ କରିପାରିବେ ନାହିଁ। ଥରୁର ଏବଂ କଂଗ୍ରେସ ମଧ୍ୟରେ ଚାଲିଥିବା ବିଶୃଙ୍ଖଳା ମଧ୍ୟ ଅଳ୍ପ ବହୁତେ ସମସ୍ତଙ୍କୁ ଜଣା । ତେଣୁ ଥରୁରଙ୍କ ବୈଠକରେ ଅନୁପସ୍ଥିତି ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ।

କଂଗ୍ରେସ ନେତା ଗୌରବ ଗୋଗୋଇ ପୂର୍ବରୁ ସୂଚନା ଦେଇଥିଲେ ଯେ, ଆସାମ କଂଗ୍ରେସ ଅଧ୍ୟକ୍ଷ ଭାବରେ ତାଙ୍କର କାର୍ଯ୍ୟକ୍ରମ ସ୍ଥିର ହୋଇଛି, ତେଣୁ ସେ ଯୋଗ ଦେଇପାରିବେ ନାହିଁ। ଲୋକସଭାରେ ଦଳୀୟ ହ୍ୱିପ୍ ମଧ୍ୟ ବୈଠକରେ ଯୋଗ ଦେଇ ନପାରିବା ପାଇଁ ତାଙ୍କର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକୁ ଉଲ୍ଲେଖ କରିଥିଲେ। ଏହି ବୈଠକ ଦଳର ସଂସଦୀୟ ଦଳର ନେତା ସୋନିଆଙ୍କ ନେତୃତ୍ୱରେ ୧୦ଜନପଥରେ ଆରମ୍ଭ ହୋଇଥିଲା। ଏଥିରେ ରାହୁଲ ଗାନ୍ଧୀ, ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, କେସି ବେନୁଗୋପାଲ, କୁମାରୀ ସେଲଜା, ମନୀଷ ତିୱାରୀ ଏବଂ କେ. ସୁରେଶ ଯୋଗ ଦେଇଥିଲେ।