fbpx

କ୍ରିକେଟକୁ Comeback କରିବେ ଶିଖର ଧୱନ: ଅବସର ପରେ ମଇଦାନକୁ ପୁଣି ଫେରିବାକୁ ନିଷ୍ପତ୍ତି

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ଶିଖର ଧୱନ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ବିଦାୟ ନେଇଛନ୍ତି । କିନ୍ତୁ ଅବସର ପରେ ବର୍ତ୍ତମାନ ପୁଣି କ୍ରିକେଟ ମଇଦାନକୁ ଫେରିବା ପାଇଁ ସେ ନିଷ୍ପତ୍ତି ନେଇଛନ୍ତି । ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନର ଶିଖର ଦୀର୍ଘ ଦିନ ଟିମରୁ ବାଦ୍ ପଡ଼ିବା ପରେ ଅବସର ନେଇ ଘୋଷଣା କରିଥିଲେ । ଏକ ଟି-୨୦ ଲିଗ୍ ଜରିଆରେ ପୁଣିଥରେ କ୍ରିକେଟ ଜଗତକୁ ଏଣ୍ଟ୍ରି କରିବା ପାଇଁ ଯାଉଛନ୍ତି ଶିଖର ଧୱନ । ଭାରତରେ ଆୟୋଜିତ ହେବାକୁ ଥିବା ଭେଟେରାନ୍ କ୍ରିକେଟରଙ୍କ ଏକ ଲିଗରେ ଶିଖର ଖେଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଆଗାମୀ ଦିନରେ ଭାରତରେ ଆୟୋଜନ ହେବାକୁ ଯାଉଛି ଭେଟେରାନ୍ କ୍ରିକେଟରଙ୍କ ଏକ ଟି-୨୦ ଲିଗ୍ । ଏହି ଲିଗ୍ ଦେଶରେ ଭିନ୍ନ ଭିନ୍ନ ୪ଟି ସହରରେ ଖେଳାଯିବ । ଧୱନଙ୍କ ସମେତ ଅନ୍ୟ ଭେଟେରାନ ଖେଳାଳି ମଧ୍ୟ ଏହି ଲିଗରେ ସାମିଲ ହେବେ । ଆସନ୍ତା ସେପ୍ଟେମ୍ବର ୨୦ ତାରିଖରେ ଖେଳାଯିବ ଲେଜେଣ୍ଡସ ଲିଗ କ୍ରିକେଟ ୨୦୨୪ । ତେବ ୪ ଦଶନ୍ଧି ପରେ ଚଳିତବର୍ଷ ପ୍ରଥମ ଥର ପାଇଁ କାଶ୍ମୀରରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଯୋଧପୁର, ସୁରଟ, ଜମ୍ମୁ ଏବଂ ଶ୍ରୀନଗରରେ ଏହି ଟୁର୍ଣ୍ଣାମେଣ୍ଟର ବିଭିନ୍ନ ମ୍ୟାଚ୍ ଖେଳାଯିବାର ସୂଚୀ ରହିଛି । ତେବେ ଉଦଘାଟନୀ ମୁକାବିଲାରେ ହରଭଜନ ସିଂହଙ୍କ ମଣିପାଲ ଟାଇଗର୍ସ ଏବଂ ଇରଫାନ୍ ପଠାନଙ୍କ କୋଣାର୍କ ସୂର୍ଯ୍ୟ ଓଡ଼ିଶା ମୁହାଁମୁହିଁ ହେବେ ।

ଚଳିତ ସିଜନରେ ୬ଟି ଟିମ୍ ସାମିଲ ରହିଥିବା ବେଳେ ମୋଟ ୨୫ଟି ମ୍ୟାଚ୍ ଖେଳାଯିବ । ବିଶ୍ୱର ପ୍ରାୟ ୨୦୦ ଭେଟେରାନ୍ କ୍ରିକେଟର ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ ହେବେ । ତେବେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଏହି ଟୁର୍ଣ୍ଣାମେଣ୍ଟରେ ଶିଖର ଧୱନଙ୍କ ସହ ଦିନେଶ କାର୍ତ୍ତିକ ଏବଂ ଅମ୍ବାତି ରାୟୁଡୁ ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହା ବ୍ୟତୀତ ଧାୱାଲ କୁଲକର୍ଣ୍ଣି ଏବଂ କେଦାର ଯାଦବଙ୍କ ଭଳି ଖେଳାଳି ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ ହେବେ। ଗତ ଋତୁରେ ହରଭଜନ ସିଂ, ସୁରେଶ ରାଇନା, ମହମ୍ମଦ କୈଫ, ଆରୋନ ଫିଞ୍ଚ, ମାର୍ଟିନ ଗୁପ୍ତିଲ, ଗୌତମ ଗମ୍ଭୀର, କ୍ରିସ ଗେଲ, ହାସିମ ଆମଲା ଏବଂ ରସ ଟେଲରଙ୍କ ଭଳି ଷ୍ଟାର କ୍ରିକେଟର ନଜର ଆସିଥିଲେ।

Get real time updates directly on you device, subscribe now.