fbpx
BJD SKY
BJD SKY

ଡ୍ରାଇଭର ସିଟରେ ବସିବ ବିଜେପି! ଶିନ୍ଦେ-ଅଜିତଙ୍କ ମଧ୍ୟରେ ଚାଲିବ କ୍ଷମତା ଲଢ଼େଇ

BJD

ନୂଆଦିଲ୍ଲୀ: ରୋଚକ ମୋଡ଼ରେ ପହଞ୍ଚିଛି ମହାରାଷ୍ଟ୍ର ରାଜନୀତି । ଗୋଟିଏ ପଟେ ୩୧ ଜଣ ବିଧାୟକଙ୍କ ସମର୍ଥନରେ ଅଜିତ ପାୱାର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ବୋଲି ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରିଥିବା ବେଳେ ଅନ୍ୟପଟେ ଶରଦ ପାୱାର ମଧ୍ୟ ନିଜକୁ ଏନସିପିର ଅଧ୍ୟକ୍ଷ ବୋଲି ଦାବି କରିଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ ହେବା ପାଇଁ ବୟସ ବାଧା ସାଜେନାହିଁ ବୋଲି ସେ ଅଜିତଙ୍କ ପ୍ରଶ୍ନର କଡ଼ା ଜବାବ ଦେଇଛନ୍ତି ।

ତେବେ ଅଜିତଙ୍କ ଏଣ୍ଟ୍ରି ପରେ ଏବେ ମହାରାଷ୍ଟ୍ରରେ ଏକନାଥ ଶିନ୍ଦେ-ଅଜିତ-ବିଜେପି ମେଣ୍ଟ ସରକାର ଦେଖିବାକୁ ମିଳିଛି । ନିକଟରେ ଶିନ୍ଦେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେବା ପରେ ସେ ଦଳର ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ନେଇ ବୈଠକ କରିବା ସହିତ ଏହା ଏକ ଗୁଜବ ବୋଲି ସ୍ପଷ୍ଟ କରିଥିଲେ । ମହାରାଷ୍ଟ୍ରର ବିକାଶ ପାଇଁ ସେ ମୁଖ୍ୟମନ୍ତ୍ରୀ ହେବା ଜରୁରୀ ବୋଲି ଅଜିତ କହିବା ପରେ ରାଜନୀତି ସରଗରମ୍ ହୋଇ ଉଠିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଅଜିତଙ୍କ ଏଣ୍ଟ୍ରି ପରେ ସତରେ କ’ଣ ଶିନ୍ଦେ ଟେନସନରେ ରହିଛନ୍ତି?

ଏହା ମଧ୍ୟରେ କଂଗ୍ରେ ନେତା ପୃଥ୍ୱୀରା ଚୌହାନ କହିଛନ୍ତି, ଖୁବଶୀଘ୍ର ଶିନ୍ଦେଙ୍କର ୧୬ ଜଣ ବିଧାୟକ ଅଯୋଗ୍ୟ ସାବ୍ୟସ୍ତ ହେବେ । ତେଣୁ ଏପରି ସ୍ଥିତିରେ ଅଜିତଙ୍କୁ ମୁଖ୍ୟମନ୍ତ୍ରୀ ଅଫର ଦିଆଯାଇପାରେ । ତେବେ ଅଜିତଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ପ୍ରଥମେ ନିଜକୁ ଓ ଦଳୀୟ ବିଧାୟକଙ୍କୁ ଅଯୋଗ୍ୟତାରୁ ବଞ୍ଚାଇବାକୁ ପଡ଼ିବ । ତେବେ ଏନସିପିରେ ବିସ୍ଫୋରଣ ସୃଷ୍ଟି ହେବା ପରେ ଶରଦ ପାୱାରଙ୍କ ଅପେକ୍ଷା ଶିବସେନା ଅଧିକ ଚିନ୍ତାରେ ରହିଛି । ନିଜର ସିଏମ୍ ପଦକୁ ନେଇ ଶିନ୍ଦେ ଟେନସନରେ ରହିବା ସ୍ୱାଭାବିକ ।

୨୮୮ ଆସନ ବିଶିଷ୍ଟ ବିଧାନସଭାରେ ବିଜେପିର ୧୦୫ ଜଣ, ଶିନ୍ଦେଙ୍କ ଶିବସେନାର ୪୦ ଜଣ ବିଧାୟକ ରହିଛନ୍ତି । ଏଥିସହିତ ସରକାରରେ କିଛି ଛୋଟ ଦଳ ଓ ସ୍ୱାଧୀନ ବିଧାୟକ ରହିଛନ୍ତି । ତେଣୁ ବହୁମତ ହାସଲ ପାଇଁ ୧୪୫ଟି ଆସନ ନିହାତି ଜରୁରୀ । ତେଣୁ ମନ୍ତ୍ରିମଣ୍ଡଳରେ ଏବେ ୩ଟି ଦଳ ସ୍ଥାନ ପାଇବେ । ପୂର୍ବରୁ ୧୮ ଜଣ ମନ୍ତ୍ରୀ ରହିଥିବା ବେଳେ ଏବେ ତାହା ୨୭ରେ ପହଞ୍ଚି ଯାଇଛି । ଆଗକୁ କାହାକୁ କେଉଁ ବିଭାଗ ମନ୍ତ୍ରୀପଦ ମିଳିବ ସେନେଇ ମଧ୍ୟ ପ୍ରତିଦ୍ୱଦ୍ୱିତା ହୋଇପାରେ । ତେବେ ଆଗକୁ ରାଜ୍ୟରେ ହେବାକୁ ଥିବା ଲୋକସଭା ନିର୍ବାଚନ ସମୟରେ ସିଟ୍ ବଣ୍ଟନ ମୁଖ୍ୟ ସମସ୍ୟା ସୃଷ୍ଟି କରିପାରେ । ୨୦୧୯ରେ ରାଜ୍ୟର ମୋଟ ୪୮ଟି ଲୋକସଭା ଆସନ ପାଇଁ ବିଜେପି-ଶିବସେନା ୨୩ଟି ଲେଖାଏଁ ସିଟରେ ଲଢ଼ିଥିଲେ ।

ଏନସିପି ମାଷ୍ଟରଷ୍ଟ୍ରୋକର ପ୍ରୟୋଗ କରି ବିଜେପି ଶିନ୍ଦେ ଗ୍ରୁପର କ୍ଷମତାକୁ ଏକପ୍ରକାର ଜିରୋ କରିଦେଇଛି । ଏପରିକି ଯଦି ଭବିଷ୍ୟତରେ ଶିନ୍ଦେ ଗୋଷ୍ଠୀ ମେଣ୍ଟରୁ ବାହାରି ଯାଆନ୍ତି ତେବେ ଅଜିତଙ୍କ ସହଯୋଗରେ ବିଜେପି ରାଜ୍ୟରେ ସରକାର ଚଳାଇ ପାରିବ । ଯେହେତୁ ବିଜେପି ହାତରେ ଅଧିକ ବିଧାନସଭା ସିଟ୍ ରହିଛି ତେଣୁ ନିଜ ଦଳର ଜଣେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଏହା ଦଳ ନିଶ୍ଚିତ ଭାବେ ଚାହିଁବ । ଅନ୍ୟପକ୍ଷରେ ୨୦୨୪ରେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଶିନ୍ଦେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ତେଣୁ ଆଗକୁ ରାଜନୀତିର ପାଣିପାଗରେ କ’ଣ ପରିବର୍ତ୍ତନ ହେଉଛି ତାହା ସମୟ କହିବ ।

Get real time updates directly on you device, subscribe now.