ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ପରିଚାଳିତ ଦିଲ୍ଲୀର ଦଳ ଆପ୍ ସରକାରକୁ ବୁଧବାର ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ବଡ ଝଟକା ଲାଗିଛି । ବଜେଟ୍ ଅଧିବେଶନ ଆରମ୍ଭରେ ଉପରାଜ୍ୟପାଳ ଭି.କେ ସକ୍ସେନାଙ୍କ ଅଭିଭାଷଣ ସମୟରେ ବାଧା ସୃଷ୍ଟି କରିଥିବାରୁ ସରକାର ବିଜେପିର ୭ ଜଣ ବିଧାୟକଙ୍କୁ ନିଲମ୍ବିତ କରିଦେଇଥିଲେ । ହାଇକୋର୍ଟ ଆଜି ଏହି ଆଦେଶ ଉପରେ ରୋକ ଲଗାଇଛନ୍ତି । ବିଜେପି ବିଧାୟକ ମୋହନ ସିଂ ଭିଷ୍ଟ, ଅଜୟ ମହାବର, ଓପି ଶର୍ମା, ଅଭୟ ବର୍ମା, ଅନିଲ ବାଜପେୟୀ, ଜିତେନ୍ଦ୍ର ମହାଜନ ଓ ବିଜେନ୍ଦ୍ର ଗୁପ୍ତାଙ୍କୁ ଗତ ମାସରେ ବିଧାନସଭାରୁ ନିଲମ୍ବିତ କରାଯାଇଥିଲା । ଗୃହର ବିଶେଷାଧିକାର ସମିତିରେ ଏହି ମାମଲା ପଡିରହିଥିବା ପର୍ଯ୍ୟନ୍ତ ସେମାନଙ୍କୁ ନିଲମ୍ବିତ କରାଯାଇଥିଲା । ଅପରପକ୍ଷେ ବିଧାୟକମାନେ ଏହି ନିଲମ୍ବନକୁ ନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।
ବିଚାରପତିି ସୁବ୍ରମଣ୍ୟମ ପ୍ରସାଦଙ୍କ ବେଞ୍ଚ ଏହାର ଶୁଣାଣୀ କରି କହିଛନ୍ତି, ବିଧାୟକଙ୍କ ରିଟ୍ ଯାଚିକାକୁ ସ୍ୱୀକାର କରାଯାଇଛି । ଏହା ପୂର୍ବରୁ ବିଧାୟକମାନେ ଯୁକ୍ତି କରିଥିଲେ କି ବିଶେଷାଧିକାର ସମିତି ନିକଟରେ ଗୃହର କାର୍ଯ୍ୟବାହୀ ଶେଷ ପର୍ଯ୍ୟନ୍ତ ସେମାନଙ୍କ ନିଲମ୍ବନ ନିୟମର ଉଲଙ୍ଘନ ଥିଲା । ଅନ୍ୟପକ୍ଷରେ ବିଧାନସଭା ଅଧିକାରୀମାନେ କୋର୍ଟରେ କହିଥିଲେ କି ବିରୋଧୀ ବିଧାୟକ ୧୫ ଫେବୃୟାରୀରେ ଉପରାଜ୍ୟପାଳ ଭି.କେ.ସକସେନା ବିଧାନସଭାରେ ବକ୍ତବ୍ୟ ରଖିବା ସମୟରେ ବହୁବାର ବାଧା ସୃଷ୍ଟି କରିଥିଲେ । ଏହା ଏଇଥିପାଇଁ କରାଯାଇଥିଲା ଯେହେତୁ ଏଲ୍ଜି ଆପ ସରକାରଙ୍କ ବହୁ ଉପଲବ୍ଧି ଉପରେ ଆଲୋଚନା କରୁଥିଲେ । ଏହାପରେ ଆପ୍ ବିଧାୟକ ଦିଲ୍ଲୀପ ପାଣ୍ଡେ ସେମାନଙ୍କ ନିଲମ୍ବନକୁ ନେଇ ଗୃହରେ ଏକ ପ୍ରସ୍ତାବ ରଖିଥିଲେ । ପ୍ରସ୍ତାବକୁ ଅଧ୍ୟକ୍ଷ ରାମ ନିବାସ ଗୋଏଲ ସ୍ୱୀକାର କରି ନେଇଥିଲେ । ପରେ ଏହାକୁ ଗୃହର ବିଶେଷାଧିକାର ସମିତିକୁ ପଠାଯାଇଥିଲା ।