fbpx

ସଲମାନ୍ ଖାନ୍‌ଙ୍କ ଘର ଉପରକୁ ଗୁଳିକାଣ୍ଡ ଘଟଣା; ପୁଲିସ ହେପାଜତରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ

Advertisement

ମୁମ୍ୱାଇ: ସଲମାନ ଖାନଙ୍କ ଘରେ ହୋଇଥିବା ଗୁଳିକାଣ୍ଡ ଘଟଣାର ଜଣେ ଅଭିଯୁକ୍ତ ବୁଧବାର ପୋଲିସ ହେପାଜତରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଅନୁଜ କୁମାରଙ୍କୁ ତୁରନ୍ତ ଥାପନ ହସ୍ପିଟାଲନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେମାନେ ପଞ୍ଜାବର ବାସିନ୍ଦା ଥିଲେ । ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ୩୨ ବର୍ଷୀୟ ଅନୁଜ ଏକ ଚାଦର ଧରି ଲକ୍ ଅପ୍ ନିକଟରେ ଥିବା ଶୌଚାଳୟକୁ ଯାଇଥିଲେ, ଯେଉଁଠାରେ ସେ ସେହି ଚାଦରରେ ଜୀବନ ହାରିବାକୁ ଉଦ୍ୟମ କରିଥିଲେ । ଖବର ପାଇ ପୋଲିସ ଅଭିଯୁକ୍ତକୁ ଗୋକୁଳଦାସ ତେଜପାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ମିଳିଥିବା ସୂଚନା ଅନୁଯାୟୀ, ଡାକ୍ତର ଅଭିଯୁକ୍ତଙ୍କୁ ମୃତ ଘୋଷଣା କରିଥିଲେ । ଦକ୍ଷିଣ ମୁମ୍ବାଇର ଆଜାଦ ମୈଦାନ ପୋଲିସ ଷ୍ଟେସନରେ ଏକ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ କାହିଁକି ଆତ୍ମହତ୍ୟା ଭଳି ପଦକ୍ଷେପ ନେଲେ ସେ ନେଇ ପୁଲିସ ତଦନ୍ତ ଚଳାଇଛି ।

ପଞ୍ଜାବର ଫାଜିଲ୍କା ଜିଲ୍ଲାର ଅନୁଜ କୁମାର ଥାପନ (୩୨) ଓ ସୋନୁ କୁମାର ବିଷ୍ଣୋଇ (୩୫)ଙ୍କୁ ପୁଲିସ ଗିରଫ କରିଥିଲା। ଗିରଫ ଦୁଇ ଜଣ ବାନ୍ଦ୍ରାରେ ସଲମାନ ଖାନଙ୍କ ଘରେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଦୁଇଟି ପିସ୍ତଲ ଏବଂ ଜୀବନ୍ତ ଗୁଳି ଯୋଗାଇ ଦେଇଥିବା ଅଭିଯୋଗ ହୋଇଛି। ୨୦୨୪ ଏପ୍ରିଲ ୧୪ ତାରିଖ ସକାଳ ପ୍ରାୟ ୫ଟା ବେଳେ ମୁମ୍ବାଇର ଗାଲାକ୍ସି ଆପାର୍ଟମେଣ୍ଟ ଦିଗରେ ଦୁଇ ଜଣ ଦୁର୍ବୃତ୍ତ ଗୁଳି ଚଳାଇଥିଲେ। ସଲମାନ୍ ଖାନ୍ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଥିବା ଗାଲାକ୍ସି ଆପାର୍ଟମେଣ୍ଟରେ ରୁହନ୍ତି। ଗୁଳିକାଣ୍ଡ ସମୟରେ ସଲମାନ ଖାନ ଓ ତାଙ୍କ ପରିବାର ଘରେ ଥିଲେ। ଏହି ଘଟଣା ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଛି। ଘଟଣାସ୍ଥଳରୁ ଅଳ୍ପ ଦୂରରେ ଆକ୍ରମଣକାରୀମାନେ ଏହି ଘଟଣା ଘଟାଇବା ବେଳେ ବ୍ୟବହାର କରିଥିବା ମୋଟର ସାଇକେଲକୁ ଜବତ କରାଯାଇଛି।

ଘଟଣାର ୭୨ ଘଣ୍ଟା ମଧ୍ୟରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଗୁଜୁରାଟର ଭୁଜରୁ ଭିକି କୁମାର ଗୁପ୍ତା (୨୪ ବର୍ଷ) ଓ ସାଗର କୁମାର (୨୩ ବର୍ଷ) ନାମକ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଗୁଳିକାଣ୍ଡ ଘଟଣାରେ ସେମାନେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଉଭୟ ଅଭିଯୁକ୍ତଙ୍କୁ ୧୪ ଦିନିଆ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି। ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ଭାଇ ଅନମୋଲ ବିଷ୍ଣୋଇ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛନ୍ତି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କ୍ରାଇମବ୍ରାଞ୍ଚ ମହାରାଷ୍ଟ୍ର ସଂଗଠିତ ଅପରାଧ ନିୟନ୍ତ୍ରଣ ଆଇନ (ମକୋକା) ଅଧୀନରେ ଏକ ମାମଲା ରୁଜୁ କରିଛି। ଲରେନ୍ସ ବିଷ୍ଣୋଇ, ତାଙ୍କ ସାନ ଭାଇ ଅନମୋଲ ବିଷ୍ଣୋଇ ଏବଂ ଅନ୍ୟ ୬ ଜଣଙ୍କୁ ଏହି ମାମଲାରେ ଅଭିଯୁକ୍ତ କରାଯାଇଛି।

Get real time updates directly on you device, subscribe now.