fbpx

(Video) ବିଚ୍ ରାସ୍ତାରେ ଅଚାନକ ଗୁଳି ବର୍ଷଣ: ଆତଙ୍କୀ ଆକ୍ରମଣରେ ୨୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ହିଂସାତ୍ମକ ଘଟଣା ବଢିବାରେ ଲାଗିଛି । ପାକିସ୍ତାନ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି । ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ହୋଇଥିବା ଏହି ଆକ୍ରମଣରେ ୨୩ ଜଣଙ୍କ ମୃତ୍ୟୁ ଘଟିଥିବା ଜାଣିବାକୁ ମିଳିଛି । ଅଚାନକ୍ କିଛି ବନ୍ଧୁକ ଧାରୀ ଦୁର୍ବୃତ୍ତ ଗାଡ଼ିରୁ ଓହ୍ଲାଇ ଆଖିବୁଜା ଗୁଳିମାଡ଼ କରିଛନ୍ତି । ଯାହା ଫଳରେ ୨୩ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ଏହି ମାମଲାକୁ ନେଇ ବର୍ତ୍ତମାନ ସାରା ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

ରିପୋର୍ଟ ଅନୁସାରେ, ବଲୁଚିସ୍ତାନର ମୁସାଖେଲର ରାରାଶମ୍ ଅଞ୍ଚଳରେ ଘଟିଯାଇଛି ଏକ ହୃଦୟ ବିଦାରକ ଘଟଣା । ବସ୍ ଏବଂ ଟ୍ରକରୁ ଯାତ୍ରୀମାନଙ୍କୁ ଓହ୍ଲାଇ ନେଇ ମୋଟ ୨୩ ଜଣ ଯାତ୍ରୀଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । କିଛି ବନ୍ଧୁକଧାରୀ ଦୁର୍ବୃତ୍ତ ଯାତ୍ରୀମାନଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିବା ସହ ହତ୍ୟା କରିଥିବା ସୂଚନା ଦେଇଛି ପୋଲିସ । ଆତଙ୍କବାଦୀ ବଲୁଚିସ୍ତାନର ମୁସାଖାଇଲ ଜିଲ୍ଲାରେ କିଛି ବସ୍, ଟ୍ରକ ଏବଂ ଭ୍ୟାନ୍ ଅଟକାଇବା ପରେ ଏଭଳି କାଣ୍ଡ କରିଛନ୍ତି । ତେବେ ହତ୍ୟା କରିବା ପୂର୍ବରୁ ଯାତ୍ରୀମାନଙ୍କର ଜାତିଗତ ପରିଚୟ ମାଗିଥିଲେ । ୨୩ ଜଣଙ୍କ ମୃତ୍ୟୁ ପରେ ୫ ଜଣ ଏହି ଆକ୍ରମଣରେ ଆହତ ହୋଇଥିବା ଜଣାଯାଇଛି । ଏହି ଗାଡ଼ିଗୁଡ଼ିକ ପଞ୍ଜାବ ଏବଂ ବଲୁଚିସ୍ତାନକୁ ସଂଯୋଗ କରୁଥିବା ରାଜମାର୍ଗ ଦେଇ ଯିବା ସମୟରେ ଆକ୍ରମଣର ଶିକାର ହୋଇଛି ।

ଏ ନେଇ ମୁସାଖାଇଲର ଜଣେ ବରିଷ୍ଠ ଅଧିକାରୀ ନଜୀବୁଲ୍ଲା କାକର କହିଛନ୍ତି ଯେ, ପଞ୍ଜାବରୁ ଯାତାୟତ କରୁଥିବା ଯାନବାହନକୁ ଯାଞ୍ଚ କରାଯାଇଥିଲା । ଏହାପରେ ପଞ୍ଜାବର ଯାତ୍ରୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଗୁଳି କରିଥିଲେ ଦୁର୍ବୃତ୍ତ । ତେବେ ଏହାପରେ ଅନ୍ତର-ପ୍ରାନ୍ତୀୟ ରାଜମାର୍ଗକୁ ବ୍ଲକ୍ କରିବା ସହ ଯାତ୍ରୀମାନଙ୍କୁ ଗାଡ଼ିରୁ ବାହାର କରି ଗୁଳି କରାଯାଇଥିବା ସୂଚନା ମିଳିଛି । ଏହାବ୍ୟତୀତ ୧୦ଟି ଗାଡ଼ିରେ ସେମାନେ ନିଆଁ ଲଗାଇ ଦେଇଛନ୍ତି । ତେବେ ପାକିସ୍ତାନରେ ଏହି ଘଟଣାକୁ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀଙ୍କ ସମେତ ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫ ମଦ୍ୟ ନିନ୍ଦା କରିଛନ୍ତି । ଏହାସହିତ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପାଇଁ ଶୋକ ପ୍ରକାଶ କରିବା ସହ ସେମାନଙ୍କ ପରିବାରକୁ ସମ୍ବେଦନା ଜଣାଇଛନ୍ତି ।

Get real time updates directly on you device, subscribe now.