fbpx

ଶ୍ରେୟସ ନା ସୂର୍ଯ୍ୟକୁମାର… ବିଶ୍ୱକପ ପାଇଁ କାହାକୁ ବାଛିବେ ରୋହିତ? ବଳି ପଡ଼ି ପାରନ୍ତି ଇଶାନ୍…

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ସିରିଜ ପର୍ଯ୍ୟନ୍ତ ସବୁ କିଛି ଠିକ୍ ଥିଲା । ଭାରତର ବିଶ୍ୱକପ ପ୍ଲେଇଙ୍ଗ-୧୧ ସ୍ପଷ୍ଟ ବାରି ହୋଇ ଯାଉଥିଲା । କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ଅଧିନାୟକ ରୋହିତଙ୍କ ମୁଣ୍ଡରେ ଚିନ୍ତା ବଢାଇ ଦେଇଛି । ମିଡିଲ ଅର୍ଡର ପାଇଁ ଦିନେ ଡହଳ ବିକଳ ହେଉଥିବା ଟିମ ଇଣ୍ଡିଆ ଆଜି ଖେଳାଳି ଚୟନ କରିବା ପାଇଁ ଦ୍ୱନ୍ଦ୍ୱରେ ପଡ଼ିଯାଇଛି । କିଛି ଦିନ ତଳେ ପ୍ଲେଇଙ୍ଗ-୧୧ରେ ୪/୫ ସ୍ଥାନ ପାଇଁ ସମସ୍ୟା ଲାଗି ରହିଥିବା ବେଳେ ଏବେ ଭାରତ ପାଇଁ ଅନେକ ବିକଳ୍ପ ରହିଛନ୍ତି । ଯେଉଁଥିପାଇଁ ବର୍ତ୍ତମାନ ବିଶ୍ୱକପ ଏକାଦଶ ଚୟନ ପାଇଁ ଚିନ୍ତାରେ ପଡ଼ିଛନ୍ତି ରୋହିତ । ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ ଏବଂ ଇଶାନ କିଶାନଙ୍କ ସମେତ କେ.ଏଲ ରାହୁଲଙ୍କ ମଧ୍ୟରେ ଏହି ଜାଗା ପାଇଁ ଯୁଦ୍ଧ ଲାଗି ରହିଛି ।

ବିଶ୍ୱକପ ପାଇଁ ରୋହିତଙ୍କ ପାଖରେ ୪/୫ ନମ୍ବର ସ୍ଥାନ ପାଇଁ ୪ ଜଣ ଖେଳାଳି ବିକଳ୍ପ ରହିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ସମସ୍ତ ଖେଳାଳି ଦମଦାର ଫର୍ମରେ ରହିଛନ୍ତି । ଶ୍ରେୟସ ଆୟର ଦଳକୁ ପେରିବା ପରେ ୪ ନମ୍ବର ସ୍ଥାନ ପାଇଁ ତାଙ୍କୁ ସୁଯୋଗ ଦେବାର ଯଥେଷ୍ଟ ସମ୍ଭାବନା ରହିଥିଲା । ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଇନିଂସରେ ଦମଦାର ଶତକ ହାସଲ କରି ଏହି ସମ୍ଭାବନାକୁ ସେ ଆହୁରି ଦୃଢ କରିଥିଲେ । କିନ୍ତୁ ତାଙ୍କ ୱିକେଟ ପରେ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକ(୭୨) ଶ୍ରେୟସଙ୍କ ପାଇଁ ଚିନ୍ତା ବଢାଇ ଦେଇଛି । ତେଣୁ ଏହି ସ୍ଥାନରେ ଶ୍ରେୟସ ଏବଂ ସୂର୍ଯ୍ୟକୁମାରଙ୍କ ଭିତରୁ ରୋହିତ କାହାକୁ ବାଛିବେ ତାହାକୁ ନେଇ ଦ୍ୱନ୍ଦ୍ୱ ଆରମ୍ଭ ହୋଇଯାଇଛି ।

ଏହି ମ୍ୟାଚରେ ଶ୍ରେୟସ ପାଳି ସମ୍ଭାଳି ଦଳର ସ୍କୋର ବଢାଇବା ସହ ବ୍ୟକ୍ତିଗତ ଭାବରେ ଶତକ ହାସଲ କରିଛନ୍ତି । ଶୁଭମନ ଗିଲଙ୍କ ସହ ତାଙ୍କର ପାର୍ଟନରସିପ ଭାରତକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲା । ମାତ୍ର ୧୬ ରନରେ ପ୍ରଥମ ୱିକେଟ ହରାଇଥିବା ବେଳେ ଗିଲ-ଶ୍ରେୟସଙ୍କ ଏହି ବିଶାଳ ପାର୍ଟନରସିପ ରେକର୍ଡ ସୃଷ୍ଟି କରିଛି । ଅପର ପକ୍ଷରେ ସୂର୍ଯ୍ୟକୁମାର ନିଜର ଟି-୨୦ ଅବତାର ଦେଖାଇଛନ୍ତି । ମାତ୍ର ୩୭ ବଲରେ ୬ଟି ଛକା ଓ ୬ଟି ଚୌକା ମାରି ୭୨ ରନ୍ ସଂଗ୍ରହ କରିଛନ୍ତି । ତେବେ ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର କ୍ୟାମରନ୍ ଗ୍ରୀନଙ୍କ ଗୋଟିଏ ଓଭରରେ ଲଗାତାର ୪ଟି ଛକା ମାରି ନିଜକୁ ଜଣେ ଫିନିଶର ଭାବରେ ସେ ପ୍ରମାଣ କରିଛନ୍ତି । ଉଭୟ ଖେଳାଳି ଦମଦାର ଫର୍ମରେ ରହିଥିବା ଅଧିନାୟକ ରୋହିତ କିନ୍ତୁ ଚିନ୍ତାରେ ପଡ଼ି ଯାଇଛନ୍ତି ।

ସେପଟେ ଇଶାନ୍ କିଶାନ୍ ଏବଂ କେ.ଏଲ ରାହୁଲଙ୍କୁ ନେଇ ମଧ୍ୟ ଆଶା-ଆଶଙ୍କା ଲାଗି ରହିଛି । ରାହୁଲ କମବ୍ୟାକ କରିବା ପରେ ବଡ଼ ବଡ଼ ସ୍କୋର କରୁଥିବା ବେଳେ ୱିକେଟ କିପିଙ୍ଗରେ ତାଙ୍କର ପ୍ରଦର୍ଶନ ସାମାନ୍ୟ ଦୁର୍ବଳ ରହିଛି । ଅନ୍ୟ ପକ୍ଷରେ ତାଙ୍କ ପ୍ରତିଦ୍ୱନ୍ଦୀ ଇଶାନ କିଶାନ ୱିକେଟ କିପିଙ୍ଗରେ ନିଜର ଦମ୍ ଦେଖାଇଥିବା ବେଳେ ତାଙ୍କ ବ୍ୟାଟ କିଛି ଦିନରୁ ଶାନ୍ତ ଅନୁଭବ ହେଉଛି । ଅବଶ୍ୟ ସେ ଅନେକ ମ୍ୟାଚରେ କମ୍ ସୁଯୋଗ ପାଇଛନ୍ତି । ତେଣୁ ବିଶ୍ୱକପ ଦଳରେ ରୋହିତ କାହାକୁ ବାଛିବେ ସେ ନେଇ ସ୍ପଷ୍ଟ ଜଣା ପଡ଼ୁନାହିଁ । ରାହୁଲ, ଶ୍ରେୟସ, ଇଶାନ ନା ସୂର୍ଯ୍ୟକୁମାର… ଦୁଇଟି ସ୍ଥାନ ପାଇଁ ୪ ଜଣ ବିକଳ୍ପ ରହିଛନ୍ତି । ତେଣୁ କେଉଁ ଦୁଇ ଜଣଙ୍କୁ ରୋହିତ ସ୍ଥାନ ଦେବେ ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.