fbpx

ପ୍ୟାରିସରେ ଭାରତ ପାଇଁ ଲକ୍ଷ୍ୟ ଭେଦ କରିବେ ଶ୍ରେୟସୀ ସିଂହ, ବିହାର ବିଜେପି ବିଧାୟିକାଙ୍କ ଅଲମ୍ପିକ୍ସରେ ଚୟନ

Advertisement

ନୂଆଦିଲ୍ଲୀ: ବିହାରର ବିଜେପି ବିଧାୟିକା ଶ୍ରେୟସୀ ସିଂଙ୍କ ପ୍ୟାରିସ ଅଲମ୍ପିକ ପାଇଁ ଚୟନ ହୋଇଛି । ଏହି ବର୍ଷ ପ୍ୟାରିସରେ ହେବାକୁ ଥିବା ଅଲମ୍ପିକରେ ଭାରତୀୟ ବନ୍ଧୁକଚାଳନା ଦଳରେ ଶ୍ରେୟସୀଙ୍କୁ ସାମିଲ କରାଯାଇଛି । ବିଧାୟିକା ଅନ୍ତର୍ଜାତୀୟସ୍ତରରେ ଭାରତର ଗୌରବ ବଢାଇବେ । ଶ୍ରେୟସୀ ବିହାରର ଜମୁଇରୁ ବିଜେପି ବିଧାୟିକା ଅଛନ୍ତି । ତାଙ୍କୁ ବନ୍ଧୁକଚାଳନା ପାଇଁ ଅର୍ଜୁନ ପୁରସ୍କାର ମଧ୍ୟ ମିଳି ସାରିଛି । ଅଲମ୍ପିକ ଚୟନ ହେବା ପରେ ଜମୁଇରେ ଖୁସିର ଲହର ଖେଳିଯାଇଛି । ଶ୍ରେୟସୀ ହେଉଛନ୍ତି ବିହାରର ପ୍ରଥମ ଖେଳାଳି ଯିଏ ଅଲମ୍ପିକରେ ଭାଗ ନେବେ ।

 

ଶ୍ରେୟସୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଗବିଜୟ ସିଂଙ୍କ ଝିଅ ଅଟନ୍ତି । ଯିଏ ଦିଲ୍ଲୀର ହଂସରାଜ କଲେଜରୁ ପାଠ ପଢିଛନ୍ତି । ରାଜନୀତି ତାଙ୍କୁ ତାଙ୍କ ବିରାସତରୁ ହିଁ ମିଳିଛି । ଖେଳପ୍ରତି ତାଙ୍କର ପିଲାଟି ଦିନରୁ ଆଗ୍ରହ ରହିଛି । ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡାରେ ସେ ରଜତ ପଦକ ଜିତିଛନ୍ତି । ପରବର୍ତ୍ତୀ ସମୟରେ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ସେ ସ୍ୱର୍ଣ୍ଣ ମଧ୍ୟ କରାୟତ୍ତ କରିଥିଲେ । ୨୦୨୦ ରେ ବିଜେପି ତାଙ୍କୁ ଜମୁଇରୁ ବିଧାୟକ ପ୍ରାର୍ଥୀ ଟିକେଟ ଦେଇଥିଲା । ଶ୍ରେୟସୀ ଖେଳ ଭଳି ରାଜନୀତିରେ ବି ବାଜିମାତ କରି ବିଧାୟିକା ହୋଇଥିଲେ । ଚଳିତ ଅଲମ୍ପିକ୍ସରେ ଶ୍ରେୟସୀ ପଦକ ଜିତି ଦେଶକୁ ପୁଣିଥରେ ଗୌରବାନ୍ୱିତ କରିବେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.