ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଶୁଭମନ ଗିଲ୍ ଏକ ଭିନ୍ନ ରଙ୍ଗରେ ନିଜର କ୍ରିଡା ପରିବେଶଣ କରୁଛନ୍ତି। ତାଙ୍କ ବ୍ୟାଟରୁ ରନର ବର୍ଷା ହେଉଛି।
ସେ ଲଗାତାର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିଛନ୍ତି। ଦ୍ୱିତୀୟ ଟେଷ୍ଟ ମ୍ୟାଚରେ କେବଳ ଶତକ ନୁହେଁ ବରଂ ଗିଲ୍ ଦ୍ୱିଶତକ ହାସଲ କରିଛନ୍ତି। ଏବଂ ଇଂଲଣ୍ଡ ବୋଲରମାନଙ୍କୁ ପଡ଼ିଆରେ ଧୁମ୍ ଧୋଉଛନ୍ତି।
ତାଙ୍କ ଯୋଗୁଁ ହିଁ ଭାରତୀୟ ଦଳ ପ୍ରଥମ ଦିନରେ ୩୦୦ ରନ ସ୍କୋର ପାର କରିପାରିଥିଲା। ଗିଲ୍ ଦ୍ୱିତୀୟ ଦିନରେ ମଧ୍ୟ ଭଲ ବ୍ୟାଟିଂ ଜାରି ରଖିଛନ୍ତି। ୨୬୯ ରନ୍ କରି ଗିଲ୍ ଆଉଟ୍ ହୋଇଛନ୍ତି।
ଭାଙ୍ଗିଲେ ବିରାଟଙ୍କ ରେକର୍ଡ: ଗିଲ୍ ଦ୍ୱିତୀୟ ଦିନରେ ତାଙ୍କର ଇନିଂସରେ ୨୬୯ ରନ୍ କରିପାରିଛନ୍ତି। ଏହାସହ ସେ ବର୍ମିଂହାମ ଗ୍ରାଉଣ୍ଡରେ ସବୁଠାରୁ ବଡ଼ ଟେଷ୍ଟ ଇନିଂସ ଖେଳିଥିବା ଭାରତୀୟ ଖେଳାଳି ହୋଇପାରିଛନ୍ତି।
କେବଳ ସେତିକି ନୁହେଁ ରନ୍ ମେସିନ୍ ବିରାଟ କୋହଲିଙ୍କ ରେକର୍ଡ ମଧ୍ୟ ଗିଲ୍ ଭାଙ୍ଗିଛନ୍ତି। ଏହା ପୂର୍ବରୁ କୋହଲି ୨୦୧୮ ମସିହାରେ ବର୍ମିଂହାମ ଗ୍ରାଉଣ୍ଡରେ ଇଂଲଣ୍ଡ ବିପକ୍ଷରେ ୧୪୯ ରନର ଇନିଂସ ଖେଳିଥିଲେ।
ଗିଲ୍ ଏବେ ବର୍ମିଂହାମ ଗ୍ରାଉଣ୍ଡରେ ୧୫୦ ରନର ଟେଷ୍ଟ ଇନିଂସ ଖେଳିଥିବା ପ୍ରଥମ ଭାରତୀୟ ହୋଇଛନ୍ତି। ତାଙ୍କ ପୂର୍ବରୁ କୌଣସି ଭାରତୀୟ ଏହା କରିପାରିନଥିଲେ।
ଚମତ୍କାର ପ୍ରଦର୍ଶନ: ଶୁଭମନ ଗିଲ୍ ୨୦୨୦ ମସିହାରେ ଭାରତୀୟ ଟେଷ୍ଟ ଦଳ ପାଇଁ ଡେବ୍ୟୁ କରିଥିଲେ। ସେବେଠାରୁ ସେ ଭାରତୀୟ ବ୍ୟାଟିଂ କ୍ରମରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ହୋଇ ରହିଛନ୍ତି।
ସେ ଟିମ୍ ଇଣ୍ଡିଆ ପାଇଁ ଓପନିଂ ଏବଂ ୩ ନମ୍ୱରରେ ମଧ୍ୟ ବ୍ୟାଟିଂ କରିଛନ୍ତି। ବର୍ତ୍ତମାନ ବିରାଟ କୋହଲିଙ୍କ ଅବସର ପରେ ସେ ୪ ନମ୍ୱରରେ ଖେଳୁଛନ୍ତି। ଏବଂ ସେ ଏହି ପଡ଼ିଆରେ ଗୋଟିଏ ଶତକ ଏବଂ ଗୋଟିଏ ଦ୍ୱିଶତକ ହାସଲ କରିଛନ୍ତି।
ସେ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପାଇଁ ୩୪ଟି ଟେଷ୍ଟ ମ୍ୟାଚ ଖେଳି ମୋଟ ୨୨୮୨ରନ୍ କରିଛନ୍ତି, ଯେଉଁଥିରେ ତାଙ୍କ ବ୍ୟାଟ୍ ରୁ ୬ଟି ଶତକ, ୭ଟି ଅର୍ଦ୍ଧଶତକ ଏବଂ ଗୋଟିଏ ଦ୍ୱିଶତକ ଆସିଛି।
ଟେଷ୍ଟରେ ଶତକ ହାସଲ: ଶୁଭମନ ଗିଲ ପୂର୍ବ ମ୍ୟାଚ୍ ରେ ମଧ୍ୟ ୧୪୭ ରନ୍ ର ଇନିଂସ ଖେଳିଥିଲେ। ଏବେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ରେ ମଧ୍ୟ ସେ ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନଙ୍କୁ ନାକରେ ପାଣି ପିଆଇଛନ୍ତି।
ଟେଷ୍ଟ ଅଧିନାୟକ ହେବା ମାତ୍ରେ ତାଙ୍କ ବ୍ୟାଟିଂକୁ ନୂଆ ଜୀବନ ମିଳିଛି। ସେ ଇଂଲଣ୍ଡ ଗସ୍ତରେ ଦଳ ପାଇଁ ସବୁଠାରୁ ବଡ଼ ରାମବାଣ ସାବ୍ୟସ୍ତ ହୋଇଛନ୍ତି।