fbpx

ବଢ଼ିଲା ଟିମ୍ ଇଣ୍ଡିଆର ଟେନସନ୍: ମେଡିକାଲରେ ଭର୍ତ୍ତି ହେଲେ ଅସୁସ୍ଥ ଶୁଭମନ ଗିଲ୍

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ପାଇଁ ଖରାପ ଖବର । କାରଣ ଶୁଭମନ ଗିଲଙ୍କ ସ୍ୱାସ୍ଥ୍ୟ ଟିକେ ଖରାପ ହୋଇଯାଇଛି । ଖବର ମୁତାବକ, ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ଭାରତୀୟ ଓପନରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ହଠାତ୍ ପ୍ଲେଟଲେଟ୍ କମିଯିବାରୁ ଗିଲଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାର ପଦକ୍ଷେପ ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ନିଆଯାଇଛି, ଯାହା ଦ୍ୱାରା ଭାରତୀୟ କ୍ରିକେଟରଙ୍କ ସ୍ୱାସ୍ଥ୍ୟ ଅଧିକ ପ୍ରଭାବିତ ନହେବ ।

ତେବେ ବିଶ୍ୱକପ ୨୦୨୩ ଆରମ୍ଭ ପୂର୍ବରୁ ମଧ୍ୟ ଶୁଭମନ ଗିଲ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ । ସେବେଠାରୁ ସେ ଟିମ୍ ଇଣ୍ଡିଆଠାରୁ ଦୂରରେ ଅଛନ୍ତି । ସେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷ ଭାରତର ପ୍ରଥମ ମ୍ୟାଚ୍ ଖେଳି ନାହାଁନ୍ତି । ସେ ଆଫଗାନିସ୍ତାନ ବିପକ୍ଷରେ ଖେଳିବେ ନାହିଁ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ୧୪ ଅକ୍ଟୋବରରେ ଅହମ୍ମଦାବାଦରେ ପାକିସ୍ତାନ ବିପକ୍ଷରେ ତାଙ୍କର ଖେଳିବାର ସମ୍ଭାବନା କମ୍ ରହିଛି ।

ଖବର ମିଳିଛି ଯେ, ଡେଙ୍ଗୁରେ ପୀଡିତ ଶୁଭମନ ଗିଲଙ୍କ ପ୍ଲେଟଲେଟ ଯୋଗୁଁ ଚେନ୍ନାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେବେଠାରୁ ପାକିସ୍ତାନ ବିପକ୍ଷରେ ଖେଳିବା ଉପରେ ସନ୍ଦେହର ଖଣ୍ଡା ଝୁଲୁଛି । କାରଣ ସାମ୍ପ୍ରତିକ ପରିସ୍ଥିତିକୁ ଦେଖିଲେ ଲାଗୁଛି କି, ଗିଲ୍ ସେତେବେଳ ପର୍ଯ୍ୟନ୍ତ ଫିଟ୍ ହୋଇପାରିବେ ନାହିଁ ।

ଗତ ୩ ଦିନ ତଳେ ଚେନ୍ନାଇରେ ଗିଲଙ୍କର ଜ୍ୱର ଅଧିକ ଥିଲା ଏବଂ ଯେତେବେଳେ ତାଙ୍କୁ ପରୀକ୍ଷା କରାଯାଇଥିଲା, ସେତେବେଳେ ତାଙ୍କୁ ଡେଙ୍ଗୁ ଥିବା ଜଣାପଡିଥିଲା, ଏହା ପରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳି ନଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ଦଳର ପ୍ରଥମ ମ୍ୟାଚରୁ ଶୁଭମନ ଗିଲ ବାଦ ପଡିବା ପରେ ଅଧିନାୟକ ରୋହିତ ଶର୍ମା ଇଶାନ କିଶନଙ୍କୁ ଓପନର ଭାବେ ଖେଳିବାର ସୁଯୋଗ ଦେଇଥିଲେ। କିନ୍ତୁ କିଶନ ପ୍ରଥମ ମ୍ୟାଚରେ ବିଶେଷ କିଛି କରିପାରିନଥିଲେ।

Get real time updates directly on you device, subscribe now.