ଟ୍ରେନ ଟ୍ରାଜେଡିରେ ନୂଆ ଟ୍ୱିଷ୍ଟ: ସିଗନାଲ ଫେଲ ହେବାରୁ ଦୁର୍ଘଟଣା ଘଟିନି, ରହିଛି ଅଲଗା କାରଣ!

ବାଲେଶ୍ୱର: ବାହାନଗା କରମଣ୍ଡଳ ଦୁର୍ଘଟଣାକୁ ନେଇ ପୁଣି ଏକ ବଡ ବୟାନ ସାମନାକୁ ଆସିଛି । ଆଜି ପର୍ଯ୍ୟନ୍ତ ସିଗନାଲ ଫେଲ ଯୋଗୁଁ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ବୋଲି କୁହାଯାଉଥିବା ବେଳେ ଏବେ ଏହାକୁ ନେଇ ଆଉ ଏକ ଖୁଲାସା କରିଛନ୍ତି ସିନିୟର ରେଲୱେ ଇଞ୍ଜିନିୟର । ଦୁର୍ଘଟଣାର ପ୍ରକୃତ କାରଣ ସିଗନାଲ ଫେଲ ନୁହେଁ ବୋଲି ସେ ଦାବି କରିଛନ୍ତି । ଯାହାକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବାରମ୍ବାର ଦୁର୍ଘଟଣାର କାରଣକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି ।

ଏକ ‘ଡାଟାଲଗର’କୁ ଦର୍ଶାଇ ରେଲୱେର ଜଣେ ବରିଷ୍ଠ ଇଞ୍ଜିନିୟର କହିଛନ୍ତି ଯେ, ଟ୍ରେନକୁ ମୁଖ୍ୟ ଲାଇନରେ ଯିବା ପାଇଁ ସିଗନାଲ ମିଳିଥିଲା। କିନ୍ତୁ ଗାଡି ଲୁପ୍ ଲାଇନରେ ଯାଇଥିଲା, ଯାହା ଫଳରେ ଏକ ଭୟଙ୍କର ଦୁର୍ଘଟଣା ଘଟି ଯାଇଛି । ଏହି ଦୁର୍ଘଟଣାରେ କେବଳ ସିଗନାଲ ପ୍ରଣାଳୀ ନୁହେଁ, ଏକ ମାନବିକ ଭୁଲ ବା ଅବହେଳା ଥିବା ମଧ୍ୟ ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି । ଯେଉଠାରେ ସିଗନାଲ ପ୍ରଣାଳୀ ରହିଛି, ସେଠାକାର ରିଲେ କକ୍ଷର କବାଟ ଖୋଲା ଥିବା ସେ ପ୍ରକାଶ କରିଛନ୍ତି । ତେବେ କୌଣସି ବି ମାମଲାରେ ପ୍ରାଥମିକ ତଦନ୍ତ ସମୟରେ ଏଭଳି ମତଭେଦ ହେବା ସ୍ୱାଭାବିକ । କାରଣ ସମସ୍ତଙ୍କର ତଦନ୍ତ ପ୍ରକ୍ରିୟା ଭିନ୍ନ ଏବଂ ସେମାନଙ୍କର ଚିନ୍ତାଧାରାରେ ମଧ୍ୟ ପାର୍ଥକ୍ୟ ରହିଥାଏ । ତେଣୁ ଏହା କେତେଦୂର ସତ ବା ଠିକ୍ ତାହାର ସଠିକ ତଥ୍ୟ ପାଇବା ପାଇଁ ରେଳ ସୁରକ୍ଷା କମିଶନରଙ୍କ ଯାଞ୍ଚ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ।

ତେବେ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଯିବା ପରେ ମାମଲାର ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ସିବିଆଇର ଏକ ସ୍ୱତନ୍ତ୍ର ଟିମ୍ ଏବଂ ଫରେନ୍ସିକ ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ୍ ଜାରି ରଖିଛି । ସେପଟେ ବର୍ତ୍ତମାନ ସୁଦ୍ଧା ମୃତଦେହ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇ ପାରିନାହିଁ । ଏବେ ବି ଅନେକ ଲୋକଙ୍କ ଶବ ମେଡିକାଲରେ ରହିଛି, ଯାହାକୁ କେହି ପରିବାର ଲୋକେ ଚିହ୍ନଟ କରିବାକୁ ଆସି ନାହାନ୍ତି ।