fbpx

ସିମ୍ ଜରିଆରେ ଠକେଇ ମାମଲା: କ୍ରାଇମବ୍ରାଞ୍ଚର IG କଲେ ବଡ଼ ଖୁଲାସା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସିମ୍ ଜରିଆରେ ଠକେଇ ମାମଲା ଓଡ଼ିଶାରେ ପୁଣି ସକ୍ରିୟ ହୋଇଛି। ସିମ୍‌ ବକ୍ସ ମେସିନ୍ ମାଧ୍ୟମରେ ପ୍ରି-ଆକ୍ଟିଭ୍ ସିମ୍ ବ୍ୟବହାର କରି ସାଇବର ଠକେଇ କରୁଥିବା ଏକ ରାକେଟ୍‌ର କ୍ରାଇମବ୍ରାଞ୍ଚ ପର୍ଦ୍ଦାଫାସ କରିଛି। ମାଷ୍ଟରମାଇଣ୍ଡ ବିଶାଳ ଖଣ୍ଡେଲଓ୍ୱାଲଙ୍କ ସମେତ ୬ ଜଣ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଏହି ରାକେଟ୍‌ KYC ମାଗିବା ନାଁରେ ଫେକ୍ ମେସେଜ୍ ପଠାଇ ସାଇବର୍ ଠକେଇ କରି ଆସୁଥିଲେ। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ଆଜି ବଡ଼ ସୂଚନା ଦେଇଛନ୍ତି । ତାଙ୍କ କହିବା ମୁତାବକ, ‘ଅଭିଯୁକ୍ତମାନେ ମୟୂରଭଞ୍ଜରୁ ସିମ୍ କିଣି ଆଣୁଥିଲେ । ବିଶାଳ ଖଣ୍ଡେଲୱାଲ ଏହି ଖେଳର ମାଷ୍ଟରମାଇଣ୍ଡ ଥିଲେ । ବିଶାଳ ଜରିଆରେ ସାଇବର ଠକେଇ କାମ ଚାଲିଥିଲା । ମୟୂରଭଞ୍ଜରୁ ସାରା ଦେଶକୁ ଠକୁଥିଲେ ଜାମତାର ଗ୍ୟାଙ୍ଗ ।’

ତେବେ ପ୍ରି-ଆକ୍ଟିଭ୍ ସିମକାର୍ଡ କେଉଁଠୁ ଆଣିଥିଲେ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି । ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ । ଅଭିଯୁକ୍ତମାନେ ଏସଏମଏସ ବଲକ ମେସେଜ କରୁଥିଲେ । ତାପସ ପାତ୍ର, ଅଜୁ, ସୁଧାଂଶୁ, ନିଗମ, ବିଶାଳ ସଂଶ୍ଲୀଷ୍ଟ ଅଛନ୍ତି । ଖୁଣ୍ଟାର ଭଣ୍ଡା ଗାଁରୁ ସାଇବର ଠକେଇ ଚାଲିଥିଲା ବୋଲି କ୍ରାଇମବ୍ରାଞ୍ଚ ଆଇଜି କହିଛନ୍ତି ।

ସୂଚନା ମୁତାବକ, କ୍ରାଇମବ୍ରାଞ୍ଚ ଟିମ୍ ମୟୂରଭଞ୍ଜ ଖୁଣ୍ଟିରେ ଲୁଚି ରହିଥିବା ରାକେଟକୁ ଧରିବା ଲାଗି ବେତନଟୀ, ବାରିପଦା ଅଞ୍ଚଳରେ ଚଢଉ କରିଥିଲା। ପ୍ରଥମେ ଜଣେ ଅଭିଯୁକ୍ତକୁ କାବୁ କରିବା ପରେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାରେ କ୍ରାଇମବ୍ରାଞ୍ଚ ସଫଳ ହୋଇଛି। ଅଭିଯୁକ୍ତଙ୍କ ଠାରୁ ବିପୁଳ ପରିମାଣର ସିମ୍ ଏବଂ ସିମ୍‌ ବକ୍ସ ଜବତ ହୋଇଛି।

Get real time updates directly on you device, subscribe now.