“ସିନ୍ଦୂର ଯେତେବେଳେ ବାରୁଦ ହୁଏ, ତାହା କେତେ ଭୟଙ୍କର ହୁଏ ପୁରା ବିଶ୍ୱ ଦେଖିଲା”; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

"ଯେଉଁମାନେ ସିନ୍ଦୂର ପୋଛିବାକୁ ଆସିଥିଲେ, ସେମାନଙ୍କୁ ଆମେ ମାଟିରେ ପୋତିଲୁ"।

ରାଜସ୍ଥାନ: “୨୨ ର ପ୍ରତିଶୋଧ ୨୨ ମିନିଟରେ”। ଏହି ପଦଟିଏ କଥାରୁ ଆପଣମାନେ ଜାଣି ପାରୁଥିବେ ଆମେ କେଉଁ ବିଷୟରେ ଆଲୋଚନା କରୁଛୁ।  ହଁ ଏବେ ରାଜସ୍ଥାନ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଉ ରାଜସ୍ଥାନର ବିକାନେରରେ ପାକିସ୍ତାନକୁ ନିଶାନା କରିଛନ୍ତି ମୋଦି।

ଆଉ କହିଛନ୍ତି ଯେତେବେଳେ ସିନ୍ଦୂର ବାରୁଦରେ ପରିଣତ ହୁଏ ତାର ପରଣତି କେତେ ଭୟଙ୍କର ହୁଏ ତାହା ପୁରା ବିଶ୍ୱ ଦେଖିଲା।  ପହଲଗାମ ଆତଙ୍କୀ ହମଲାକୁ ନେଇ ନିଶାନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଏପ୍ରିଲ ୨୨ର ଜବାବ ମାତ୍ର ୨୨ ମିନିଟରେ ଦେଲୁ। ସିନ୍ଦୂର ଯେତେବେଳେ ବାରୁଦ ହୁଏ ପରିଣାମ କ’ଣ ହୁଏ ବିଶ୍ୱ ଦେଖିଲା। ୯ଟି ଆତଙ୍କୀ ଆଡ୍ଡାକୁ ଆମ ସେନା ମାଟିରେ ମିଶାଇ ଦେଲା। ଯେଉଁମାନେ ସିନ୍ଦୂର ପୋଛିବାକୁ ଆସିଥିଲେ ସେମାନଙ୍କୁ ମାଟିରେ ପୋତିଲୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ଏହାସହ ପାକିସ୍ତାନକୁ ସତର୍କ ମଧ୍ୟ କରାଇଛନ୍ତି। ଆଉ କହିଛନ୍ତି, ଯେଉଁମାନେ ଭାବୁଥିଲେ ଭାରତ ଚୁପ୍ ରହିବ, ସେମାନେ ଏବେ ନିଜ ଘରେ ଲୁଚି ରହିଛନ୍ତି। ସେମାନେ ଆମର ୩ ସେନାର ଚକ୍ରବ୍ୟୁହରେ ଫସିଲେ, ବାହାରି ପାରିଲେନି।

ଯେଉଁ ଅସ୍ତ୍ରକୁ ନେଇ ଗର୍ବ କରୁଥିଲେ, ଆଜି ଏହାର ଭଗ୍ନାବଶେଷରେ ପୋତି ହୋଇଛନ୍ତି। ଏହା ହେଉଛି ଏକ ଶକ୍ତିଶାଳୀ ଭାରତର ରୌଦ୍ର ରୂପ। ଇଏ ହେଉଛି ନୂଆ ଭାରତ, ଏହା ହେଉଛି ଆମର ଶକ୍ତି। ପ୍ରଥମେ ଆମେ ସେମାନଙ୍କର ଘରେ ପ୍ରବେଶ କରି ଆକ୍ରମଣ କରିଥିଲୁ।

ଏବେ ଆମେ ସେମାନଙ୍କ ଛାତିରେ ଆକ୍ରମଣ କରିଛୁ। ଏହା ଆତଙ୍କବାଦର ପ୍ରଶଂସକଙ୍କୁ ଧ୍ୱଂସ କରିବାର ନୀତି ଓ ରଣନୀତି। ମୋ ରକ୍ତ ଗରମ ନୁହେଁ, ଧମନୀରେ ଗରମ ସିନ୍ଦୂର ପ୍ରବାହିତ। ଅପରେସନ ସିନ୍ଦୂର ଆମକୁ ୩ଟି ସୂତ୍ର ଦେଖାଇଛି।

୧- ଆତଙ୍କୀ ହମଲା ହେଲେ କଡ଼ା ଜବାବ ଦିଆଯିବ। ଆମର ସେନା ସମୟ, ପଦ୍ଧତି ଓ ପରିସ୍ଥିତି ସ୍ଥିର କରିବେ।

୨- ପରମାଣୁ ବୋମାର ବ୍ଲାକମେଲିଂକୁ ଖାତିର କରିବୁ ନାହିଁ।

୩- ଆତଙ୍କବାଦୀ କାର୍ଯ୍ୟ ଓ ଏହାର ସମର୍ଥକଙ୍କୁ ଅଲଗା ଦେଖିବୁ ନାହିଁ। ଆଗକୁ ଆତଙ୍କୀ କାର୍ଯ୍ୟ ପାକିସ୍ତାନ ଆହୁରି ଅଧିକ ମୂଲ୍ୟ ଦେବାକୁ ପଡିବ। ଯଦି ପାକିସ୍ତାନ ସହ କଥା ହେବୁ ତାହାଲେ ‘ପିଓକେ’ କୁ ନେଇ।

ଭାରତୀୟଙ୍କ ରକ୍ତରେ ଖେଳିଲେ ପାକିସ୍ତାନକୁ ମହଙ୍ଗା ପଡ଼ିବ। ଭାରତୀୟଙ୍କ ରକ୍ତ ସହିତ ଖେଳିବା ପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ। ପାକିସ୍ତାନକୁ ଭାରତର ଅଧିକାର ଥିବା ପାଣି ମିଳିବ ନାହିଁ। ଏହା ଭାରତର ପ୍ରତିଜ୍ଞା, ବିଶ୍ୱର କୌଣସି ଶକ୍ତି ବଦଳାଇ ପାରିବ ନାହିଁ।