ନୂଆଦିଲ୍ଲୀ: ଶେୟାର ମାର୍କେଟରେ ଛୋଟ ନିବେଶକଙ୍କ ଭାଗିଦାରିତା ବୃଦ୍ଧି ପାଇଁ ସୁରକ୍ଷା ଓ ବିନିମୟ ବୋର୍ଡ (ସେବି) ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଛୋଟ ନିବେଶକଙ୍କ ଉପରେ ପଡ଼ୁଥିବା ବୋଝକୁ କମ୍ କରିବା ପାଇଁ ସେବି ବେସିକ ସର୍ଭିସ୍ ଡିମାଟ ଆକାଉଣ୍ଟର ସର୍ବନିମ୍ନ ରାଶି ବୃଦ୍ଧି କରିଛି । ପୂର୍ବରୁ ଏହି ସୀମା ୨ ଲକ୍ଷ ରହିଥିବା ବେଳେ ଏବେ ତାହାକୁ ୧୦ ଲକ୍ଷ କରି ଦିଆଯାଇଛି । ଆସନ୍ତା ସେପ୍ଟେମ୍ବର ପହିଲାରୁ ଏହି ନୂଆ ନିୟମ ଲାଗୁ ହେବ ।
ସେବିର ଏହି ନିଷ୍ପତ୍ତି ବିଭିନ୍ନ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ । ବେସିକ ସର୍ଭିସେସ ଡିମାଟ ଆକାଉଣ୍ଟରରେ ରଖାଯାଉଥିବା ଅର୍ଥରାଶିର ସୀମା ବୃଦ୍ଧି ହେବା ଫଳରେ ଛୋଟ ନିବେଶକଙ୍କର ଶେୟାର ବଜାର ପ୍ରତି ଅଧିକ ଆଗ୍ରହ ବଢ଼ିବ ଓ ସେମାନଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ହୋଇ ପାରିବ । ଏହି ଖାତାରେ ପୋର୍ଟଫୋଲିଓର ମୂଲ୍ୟ ଯଦି ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଥିବ, ତେବେ ବାର୍ଷିକ ଶୁଳ୍କ ଶୂନ୍ୟ ହେବ । ୪ରୁ ୧୦ ଲକ୍ଷ ଟଙ୍କା ପାଇଁ ବାର୍ଷିକ କେବଳ ୧୦୦ ଟଙ୍କା ଶୁଳ୍କ ଲାଗିବ । ପୋର୍ଟଫୋଲିଓର ମୂଲ୍ୟ ଯଦି ୧୦ ଲକ୍ଷରୁ ଅଧିକ ହେବ ତେବେ ବିଏସଡିଏ ଖାତା ଆପେଆପେ ନିୟମିତ ଡିମାଟ ଖାତାରେ ପରିଣତ ହୋଇଯିବ । ଖାତାଧାରୀଙ୍କୁ ଇଲେକ୍ଟ୍ରୋନିକ ଷ୍ଟେଟମେଣ୍ଟ ପାଇଁ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ । ଫିଜିକାଲ ଷ୍ଟେଟମେଣ୍ଟ ପାଇଁ ୨୫ଟଙ୍କା ଦେବାକୁ ପଡ଼ିବ ।