fbpx
BSKY SKY
BSKY SKY

ନିଜ ଦେଶର ଅଳିଆ ପଡୋଶୀ ଦେଶରେ ଫିଙ୍ଗୁଛନ୍ତି କିଛି ଦେଶ, ୟୁରୋପିଆନ୍ କୋର୍ଟ ଅଫ୍ ଜଷ୍ଟିସରେ ଏବେ ପହଞ୍ଚିଛି ଅଳିଆକୁ ନେଇ ବିବାଦ

BSKY

ନୂଆଦିଲ୍ଲୀ: ନାଜି ଶାସନ ସମୟରେ ଜର୍ମାନୀ ପୋଲାଣ୍ଡ ସହିତ ବହୁ ଅନ୍ୟାୟ କରିଥିଲା ଯାହା ଏବେବି କିଛି ମାତ୍ରାରେ ଜାରି ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ପୋଲାଣ୍ଡର ପରିବେଶ ଓ ଜଳବାୟୁ ମନ୍ତ୍ରୀ ଏନା ମୋକ୍ସୱା କହିଛନ୍ତି ଜର୍ମାନୀ ତାଙ୍କ ଦେଶର ୭ ଟି ସ୍ଥାନରେ ୩୫ ଟନ୍ ପାଖାପାଖି ଅଳିଆ ଜମା କରି ଦେଇଛି । ଏହି ଦେଶ ନିଜ ଦେଶକୁ ସଫା ରଖିବା ପାଇଁ ଅନ୍ୟ ଦେଶକୁ ବିଷାକ୍ତ ଆବର୍ଜନା ପଠାଉଛି ।
ପୋଲାଣ୍ଡ କହିଛି ଜର୍ମାନୀ ତାଙ୍କ ଦେଶର ନଦୀଗୁଡିକରେ ବିଷାକ୍ତ ରସାୟନ ଛାଡି ଦେଇଛି । ଦୁଇ ଦେଶ ମଧ୍ୟ ଦେଇ ଯାଉଥିବା ଓଡର ନଦୀର ସେହି ସୀମାରେ ଜର୍ମାନୀ ବିଭିନ୍ନ ବିଷାକ୍ତ ଆବର୍ଜନା ପକାଉଛି ଯେଉଁଠାରୁ ପୋଲାଣ୍ଡର ସୀମା ଆରମ୍ଭ ହେଉଛି । ଏହାଦ୍ୱାରା ହଜାର ହଜାର ଟନ୍ ମାଛ ମରି ଯାଉଛନ୍ତି । ଏହାକୁ ନେଇ ପୋଲାଣ୍ଡ ଏବେ ୟୁରୋପିଆନ୍ କୋର୍ଟ ଅଫ୍ ଜଷ୍ଟିସର ଦ୍ୱାରସ୍ଥ ହୋଇଛି । ତେବେ ଏ ବିଷୟରେ ଜର୍ମାନୀ ସରକାରଙ୍କ ସ୍ପଷ୍ଟୀକରଣ ବି ଆସିସାରିଛି । କିନ୍ତୁ ପୋଲାଣ୍ଡ ଅଡି ବସିଛି ଜର୍ମାନୀ ଯେତେ ଶୀଘ୍ର ପାରିବ ତାହାର ଅଳିଆ ହଟାଇ ନେଇଯାଉ ।

ତେବେ ଏହା ଏକମାତ୍ର ମାମଲା ନୁହେଁ । ବହୁ ଦେଶ ନିଜ ଘରର ଅଳିଆ ସଫା କରିବାକୁ ପଡୋଶୀ ଦେଶରେ ଏହା ଜମା କରୁଛନ୍ତି । ଆମେ ଯେପରି ନିଜ ଘର ସଫା ରଖିବାକୁ ପଡୋଶୀ ଘର ପାଖରେ ଲୁଚି ଲୁଚି ଅଳିଆ ପକାଇ ଦେଇ ଆସୁ ସେହିପରି ଦେଶ ଦେଶ ମଧ୍ୟରେ ବି ଘଟୁଛି । ତେବେ ଏହି ଆବର୍ଜନାରେ ସାଧାରଣ ଅଳିଆ ସହିତ କ୍ଷତିକାରକ ଆବର୍ଜନା ଯେପରିକି ଖରାପ ଇଲେକ୍ଟ୍ରୋନିକ ଜିନିଷ, ବ୍ୟବହୃତ ସିରିଞ୍ଜ ଆଦି ସାମିଲ ରହିଛି । ଏହି ଆବର୍ଜନା ଜୀବଜନ୍ତୁ ସହିତ ମଣିଷ ସମାଜକୁ ବି ବ୍ୟାପକ କ୍ଷତି ପହଞ୍ଚାଇପାରେ । ଏହି ଆବର୍ଜନା ଲାଗି ପ୍ରତି ଦେଶରେ ନିର୍ଦ୍ଧିଷ୍ଟ ଗାଇଡଲାଇନ୍ ରହିଛି କିନ୍ତୁ ପଇସା ବଞ୍ଚାଇବା ଲାଗି ଅପରାଧି ଏହାକୁ ଅନ୍ୟ ଦେଶରେ ଯାଇ ଛାଡି ଆସୁଛନ୍ତି ।

ତେବେ ଏହି ସମସ୍ତ ଆବର୍ଜନାକୁ କୌଣସି ଏକ ପ୍ରଡକ୍ଟର ନାମ ଦିଆଯାଇ ଅନ୍ୟ ଦେଶକୁ ସ୍ଥାନାନ୍ତର କରାଯାଉଛି । ଏଥିପାଇଁ ଅପରାଧୀ ସାଧାରଣତଃ ଅବୈଧ ମାର୍ଗ ତଲାସ କରିଥାନ୍ତି । ଏହା ବଦଳରେ ସେହି ଦେଶର କୌଣସି ଗୋଷ୍ଠୀକୁ ପଇସା ଦିଆଯାଏ ଯାହା ୱେଷ୍ଟ ମ୍ୟାନେଜମେଣ୍ଟରେ ଲାଗୁଥିବା ପଇସା ଠାରୁ କମ୍ ହୋଇଥାଏ । ତେବେ ଯଦି ଏହି ଆବର୍ଜନା ଉପରେ ସେହି ଦେଶର ସରକାରଙ୍କ ନଜର ପଡିଯାଏ ତେବେ ସେମାନେ ଜାଣିପାରନ୍ତି ନାହିଁ ଯେ ଏହା ଆସିଛି କେଉଁଠାରୁ । ବିଶେଷକରି ବିକଶିତ ଦେଶମାନେ ଗରିବ ଦେଶରେ ଯାଇ ଏହି ଆବର୍ଜନା ଜମା କରି ଦେଇ ଆସନ୍ତି । ଏହି କ୍ରମରେ ଫିଲିପାଇନ୍ସ, ଘାନା, ନାଇଜେରିଆ,ଭିଏତନାମ, ପାକିସ୍ତାନ ପରି ଦେଶମାନଙ୍କରେ ରାତାରାତି ଇ-ଆବର୍ଜନାର ପାହାଡ ଜମା ହେବାରେ ଲାଗିଛି ଯାହା ସମଗ୍ର ବିଶ୍ୱ ପାଇଁ ଏବେ ବଡ ଚିନ୍ତାର କାରଣ ପାଲଟିଛି ।

Get real time updates directly on you device, subscribe now.