fbpx

(Video) ବସରେ ପ୍ରଥମ ଯାତ୍ରୀ ଭାବରେ ଚଢି ପାରିବେନି ମହିଳା ଯାତ୍ରୀ: ଜାଣନ୍ତୁ କ’ଣ ରହିଛି କାରଣ? 

ଭୁବନେଶ୍ୱର: ବର୍ତ୍ତମାନ ମହିଳାମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଇଛି । ସେଥିପାଇଁ ସବୁ କ୍ଷେତ୍ରରେ କୁହାଯାଏ ଲେଡିଜ୍ ଫାର୍ଷ୍ଟ । କିନ୍ତୁ ବସରେ ଯାତ୍ରା କରିବା ବେଳେ ଏହି ନିୟମ ବଦଳି ଯାଇଥାଏ । କୌଣସି ବସରେ ଯାତ୍ରା ଆରମ୍ଭ କରିବା ବେଳେ ଜଣେ ମହିଳାଙ୍କୁ ପ୍ରଥମ ଯାତ୍ରୀ ଭାବରେ ବସ୍ ଚଢିବା ପାଇଁ ଅନୁମତି ଦିଆଯାଏ ନାହିଁ । ଯଦି ଜଣେ ମହିଳା, ବସରେ ପ୍ରଥମେ ଚଢିବାକୁ ଚାହିଁବେ, ତେବେ ତାଙ୍କୁ ଅପେକ୍ଷା କରିବାକୁ କୁହାଯାଏ । ପ୍ରଥମେ ଜଣେ ପୁରୁଷ ଯାତ୍ରୀ ଆସି ବସରେ ପାଦ ଦେବା ପରେ ହିଁ ମହିଳା ବା ଝିଅଟିଏ ବସ୍ ଭିତରକୁ ଯାଇ ପାରିବ । ଦୀର୍ଘ ଦିନରୁ ଏଭଳି ପରମ୍ପରା ରହି ଆସିଛି, ଯାହା ଆଜି ବି ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥାଏ । କିନ୍ତୁ ଏଭଳି କରିବାର ପ୍ରକୃତ କାରଣ କ’ଣ? କାହିଁକି ବସ ଯାତ୍ରା ସମୟରେ ଜଣେ ମହିଳାଙ୍କୁ ପ୍ରଥମେ ଯାତ୍ରା କରିବାର ଅନୁମତି ଦିଆଯାଏନି?

ଆଜିକା ଦିନରେ ମହିଳା ବିଭିନ୍ନ କ୍ଷେତ୍ରରେ ଅନେକ ଉଚ୍ଚକୁ ଯାଇଥିବା ବେଳେ ଦେଶ ପାଇଁ ଗର୍ବ ଆଣୁଛନ୍ତି । କିନ୍ତୁ ଅନ୍ୟ ପକ୍ଷରେ ଏବେ ବି ମହିଳାଙ୍କ ପ୍ରତି ଲୋକଙ୍କ ମନରେ ଭରି ରହିଛି ହୀନ ମାନସିକତା ଓ ଅନ୍ଧବିଶ୍ୱାସ । ଏବେ ବି କୁତ୍ସିତ ପରମ୍ପରାର ବଶବର୍ତ୍ତୀ ହୋଇ ରହିଛନ୍ତି ଲୋକେ । ତେବେ ବସରେ ପ୍ରଥମେ ମହିଳା ଯାତ୍ରୀଙ୍କୁ ଚଢାଇ ନଦେବାର କାରଣ ମଧ୍ୟ ଏଭଳି କିଛି ଅଜବ । ପ୍ରଥମେ ବସରେ ମହିଳା ଯାତ୍ରୀଙ୍କୁ ନେବା ଦ୍ୱାରା ଅଶୁଭ ହୁଏ ବୋଲି ଅନେକ କହିଥାନ୍ତି ତ ଆଉ କିଏ କୁହେ ଭଲ ବ୍ୟବସାୟ ହୁଏନି  । ଆଉ କେତେକାଂଶରେ ବସ୍ ଦୁର୍ଘଟଣା ହେବାର ସମ୍ଭାବନା ଥାଏ ବୋଲି ମଧ୍ୟ କହିଥାନ୍ତି । ସେଥିପାଇଁ ବସ୍ କର୍ମଚାରୀ କେବେ ଜଣେ ମହିଳାଙ୍କୁ ପ୍ରଥମ ଯାତ୍ରୀ ଭାବରେ ଚଢିବା ପାଇଁ ଅନୁମତି ଦେଇ ନଥାନ୍ତି ।

ନିକଟରେ ରାଜଧାନୀ ବରମୁଣ୍ଡା ବସଷ୍ଟାଣ୍ଡରେ ଏଭଳି ଏକ ଘଟଣା ସାମ୍ନାକୁ ଆସିବା ପରେ ଏହା ବିରୋଧରେ ଚର୍ଚ୍ଚା ଜୋର୍ ଧରିଛି । କିଛି ଦିନ ତଳେ ଭୁବନେଶ୍ୱର ବରମୁଣ୍ଡାରୁ ମାଲକାନାଗିରି ଯିବାକୁ ଥିବା ଜଣେ ମହିଳା ଯାତ୍ରୀ ବସରେ ଚଢ଼ିବାକୁ ଚାହିଁବାରୁ ତାଙ୍କୁ କଣ୍ଡକ୍ଟର ବାରଣ କରିଥିଲେ  । କେହି ପୁରୁଷ ଯାତ୍ରୀ ଚଢ଼ି ନଥିବାରୁ ମହିଳାଙ୍କୁ ପ୍ରଥମେ ବସ୍ ଭିତରକୁ ଯିବାକୁ ଅନୁମତି ମିଳିନଥିଲା  । ଏହି ଘଟଣାକୁ ନେଇ ଘାସିରାମ ପଣ୍ଡା ନାମକ ଜଣେ ସାମାଜିକ କର୍ମୀ ରାଜ୍ୟ ମହିଳା କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ  । ଆଉ କମିଶନ ତାଙ୍କ ପିଟିସନକୁ ଗ୍ରହଣ କରି ଏହି କୁତ୍ସିତ ପରମ୍ପରାକୁ ବନ୍ଦ କରିବା ସହ ଏହି କଳଙ୍କିତ ପ୍ରଥା ଉପରେ ବ୍ରେକ୍ ଦେବାକୁ ପରିବହନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ।

Get real time updates directly on you device, subscribe now.