fbpx

ବାପାର ଶବକୁ ଖଣ୍ଡ ଖଣ୍ଡ କରି କାଟିଲା ପୁଅ: ଶ୍ରଦ୍ଧା ହତ୍ୟାକାଣ୍ଡର ପୁଣି ଘଟିଲା ପୁନରାବୃତ୍ତି

ନୂଆଦିଲ୍ଲୀ: ଦିଲ୍ଲୀର ଶ୍ରଦ୍ଧା ହତ୍ୟା ମାମଲା ଭଳି କର୍ଣ୍ଣାଟକରେ ବର୍ବରତାର ଆଉ ଏକ ମାମଲା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ବାଗଲକୋଟରେ ଜଣେ ପୁଅ ତାଙ୍କ ବାପାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ପରେ ପୁଅ ଜଣଙ୍କ ବାପାର ମୃତଦେହକୁ ୩୦ରୁ ଅଧିକ ଖଣ୍ଡରେ କାଟି ଦେଇଥିବା ଅଭିଯୋଗ ହୋଇଛି । ପ୍ରମାଣ ନଷ୍ଟ କରିବା ପାଇଁ ଅଭିଯୁକ୍ତ ନିଜ ବାପା ଶରୀରର ଅଙ୍ଗଗୁଡ଼ିକୁ ଏକ ବୋରୱେଲ ନିକଟରେ ଫିଙ୍ଗି ଦେଇଥିଲା । ଏହି ଘଟଣାର ଖୁଲାସା ପରେ ପୋଲିସ ମୃତଦେହ ଉଦ୍ଧାର କରିଛି । ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ବିଠଲା କୁଲାଲୀକୁୁ ଗିରଫ କରିଛି ।

ସୂଚନା ଅନୁସାରେ ବାପ ପୁଅଙ୍କ ମଧ୍ୟରେ କୌଣସି ଏକ କାରଣରୁ ବିବାଦ ଲାଗି ରହିଥିଲା । ଏହି ବିବାଦ ଏତେ ବଢି ଯାଇଥିଲା ଯେ ପୁଅ ଜଣଙ୍କ ନିଜ ବାପାକୁ ଲୁହା ରଡରେ ଆକ୍ରମଣ କରି ତାଙ୍କ ଜୀବନ ନେଇଥିଲା । ପୋଲିସର ସୂଚନାନୁସାରେ ପୁଅର ବାପା ପର୍ଶୁରାମ ମଦ୍ୟପାନ ଅଧିକ କରୁଥିଲେ । ପର୍ଶୁରାମ ଅନେକ ସମୟରେ ନିଶାସକ୍ତ ଅବସ୍ଥାରେ ତାଙ୍କ ଘରେ ଗଣ୍ଡଗୋଳ ମଧ୍ୟ କରୁଥିଲେ । ଏହି କାରଣରୁ ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କଠାରୁ ଅଲଗା ରହୁଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ପର୍ଶୁରାମ ମଙ୍ଗଳବାର ଦିନ ମଦ୍ୟପାନ କରି ତାଙ୍କ ଘରେ ପହଞ୍ଚିଥିଲେ । ଘରେ ପହଞ୍ଚିବା ପରେ ନିଜ ପୁଅ ବିଠଲାଙ୍କ ସହ କୌଣସି ଏକ ବିଷୟକୁ ନେଇ ବିବାଦ କରିଥିଲେ । ବାପ ପୁଅଙ୍କ ମଧ୍ୟରେ ହେଉଥିବା ବିବାଦ ଏତେ ବଢିଗଲା ଯେ ପୁଅ ଏକ ଲୁହା ରଡ଼ ନେଇ ନିଜ ବାପାଙ୍କୁ ସାଂଘାତିକ ଆକ୍ରମଣ କରିଥିଲା, ଯେଉଁଥିପାଇଁ ପର୍ଶୁରାମଙ୍କର ମୃତ୍ୟୁ ହୋଇଥିଲା । ସୂଚନା ଅନୁସାରେ ହତ୍ୟା ପରେ ଅଭିଯୁକ୍ତ ତାଙ୍କ ବାପାଙ୍କ ମୃତଦେହକୁ ୩୨ ଖଣ୍ଡରେ କାଟି ଦେଇଥିଲା । ଏହା ପରେ ଶବର କଟା ଯାଇଥିବା ଅଂଶକୁ ବାଗାଲକୋଟର ମୁଧୋଲ ଉପକଣ୍ଠରେ ଥିବା ଏକ କ୍ଷେତରେ ପକାଇଥିଲା ଯାହାକୁ ପୋଲିସ ଉଦ୍ଧାର କରିଛି । ସମ୍ପୃକ୍ତ ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣା ପଡ଼ିଛି ।

Get real time updates directly on you device, subscribe now.