fbpx

ଇଡି କାର୍ଯ୍ୟାଳୟରେ ପହଞ୍ଚିଲେ ସୋନିଆ ଗାନ୍ଧୀ, ଔଷଧ ନେଇ ସାଙ୍ଗରେ ଆସିଲେ ରାହୁଲ-ପ୍ରିୟଙ୍କା

AAKASH

ନୂଆଦିଲ୍ଲୀ: ପୁଅ ରାହୁଲଙ୍କ ପରେ ଏବେ ମାଆ ସୋନିଆଙ୍କ ପାଳି। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନ୍ୟାସନାଲ ହେରାଲ୍ଡ କେସରେ ପଚରା ଉଚୁରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର‌୍ୟ୍ୟାଳୟ ପହଞ୍ଚିଛନ୍ତି। ସୋନିଆଙ୍କ ସହ ଇଡି କାର‌୍ୟ୍ୟାଳୟ ପର‌୍ୟ୍ୟନ୍ତ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଔଷଧ ଧରି ଆସିଛନ୍ତି। ଉଭୟ ଇଡି କାର‌୍ୟ୍ୟାଳୟରେ ସୋନିଆଙ୍କ ସହିତ ରହିବେ। ସେମାନଙ୍କୁ ଅଲଗା ପ୍ରକୋଷ୍ଠରେ ରଖାଯିବ। କାରଣ ସୋନିଆ ଗାନ୍ଧୀ ଔଷଧ ସେବନ କରୁଛନ୍ତି। ତାଙ୍କୁ ପ୍ରିୟଙ୍କାଙ୍କ ଆବଶକତା ପଡିପାରେ। ସୋନିଆ ଗାନ୍ଧୀ ନିଜ ୧୦ ଜନପଦ ବାସଭବନରୁ ବାହାରିବା ପୂର୍ବରୁ ମିଡିଆକୁ କହିଥିଲେ ଯେ, ମୁଁ ଇନ୍ଦିରା ଗାନ୍ଧୀଙ୍କ ବୋହୂ ଏବଂ କାହାକୁ ଡରେନି।

ସୋନିଆଙ୍କୁ ଇଡି ସହାୟକ ନିର୍ଦ୍ଦେଶକସ୍ତରର ଅଧିକାରୀ ପଚରାଉଚୁରା କରିବେ। କୁହଯାଉଛି ଇଡି କାର‌୍ୟ୍ୟାଳୟ ପର‌୍ୟ୍ୟନ୍ତ ଅଶୋକ ଗେହଲଟ, ଆନନ୍ଦ ଶର୍ମା ସମେତ ଅନେକ ବରିଷ୍ଠ ନେତା ଯାଇ ପାରନ୍ତି। ବଡ ସଂଖ୍ୟାରେ କଂଗ୍ରେସ କର୍ମୀ ସଡକକୁ ଓହ୍ଲାଇବାକୁ ପ୍ରସ୍ତୁତି କରୁଛନ୍ତି।

କଂଗ୍ରେସ ସୋନିଆ ଗାନ୍ଧୀଙ୍କୁ ପଚରା ଉଚୁରା ସମୟରେ ଶକ୍ତି ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛି। ଆଜି ସକାଳୁ ହିଁ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ପାର୍ଟି ଦପ୍ତର ପହଞ୍ଚିଥିଲେ। ସୋନିଆଙ୍କ ସମର୍ଥନରେ ଖୁବ୍ ନାରା ଦେଇଥିଲେ। ଏହି ସମୟରେ ମିଳିତ ବିରୋଧୀଙ୍କ ପକ୍ଷରୁ ବୟାନ ମଧ୍ୟ ଜାରି କରାଯାଇଥିଲା। ନରେନ୍ଦ୍ର ମୋଦୀ ସରକାର ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କାମ କରୁଛନ୍ତି। ବିରୋଧୀଙ୍କୁ ହଇରାଣ କରାଯାଉଛି। କଂଗ୍ରେସ ଦେଶବ୍ୟାପୀ ଇଡି କାର‌୍ୟ୍ୟାଳୟ ଘେରାଉ କରିବାକୁ ଯୋଜନା କରିଛି। ବିଶେଷ କରି ଦିଲ୍ଲୀରେ କଂଗ୍ରେସ କର୍ମୀ ରାସ୍ତାକୁ ଓହ୍ଲାଇବା ପରେ ଅନେକ ସ୍ଥାନରେ ଟ୍ରାଫିକ ଜାମ ସମସ୍ୟା ଦେଖା ଦେଇଛି।

ଏହା ମଧ୍ୟରେ ଏହି ପ୍ରସଙ୍ଗ ଲୋକସଭାରେ ମଧ୍ୟ ଉଠିଛି। କଂଗ୍ରେସ ନେତା ଏହାକୁ ନେଇ ଗୃହରେ ଖୁବ୍ ହଙ୍ଗାମା କରିଛନ୍ତି। ଏହାର ଜବାବରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଆଇନ ଆଗରେ ସମସ୍ତେ ସମାନ। କଣ ସୋନିଆ ଗାନ୍ଧୀ ସୁପର ହ୍ୟୁାମନ କି ? କଂଗ୍ରେସକୁ ଲାଗୁଛି ସୋନିଆ ଗାନ୍ଧୀ ଆଇନଠୁ ଉର୍ଦ୍ଧ୍ଵରେ।

ସୂଚନାଯୋଗ୍ୟ, ଇଡି ସୋନିଆ ଗାନ୍ଧୀଙ୍କୁ ପୂର୍ବରୁ ଜୁନ ୮ ଏବଂ ଜୁନ ୨୧ରେ ହାଜର ହେବାକୁ କହିଥିଲା। ହେଲେ ସୋନିଆ କରୋନା ସଂକ୍ରମିତ କାରଣରୁ ହାଜର ହୋଇ ପାରିନଥିଲେ ଏବଂ ଏନେଇ ସମୟ ମଧ୍ୟ ମାଗିଥିଲେ। ଏହା ପୂର୍ବରୁ ଇଡି ରାହୁଲ ଗାନ୍ଧୀଙ୍କୁ ଅନେକ ପର‌୍ୟ୍ୟାରେ ମାରାଥନ ପଚରାଉଚୁରା କରି ସାରିଛି।

Get real time updates directly on you device, subscribe now.