ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଲେ ଗାଙ୍ଗୁଲି, କିନ୍ତୁ ବିରାଟଙ୍କ ନାଁ ଧରିଲେ ନାହିଁ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେଞ୍ଚୁରିଅନରେ ପ୍ରଥମ ଏସିଆ ଦେଶ ଭାବେ ଭାରତ ଟେଷ୍ଟ ମ୍ୟାଚ ଜିତିଥିଲା । ଏହି ବିଜୟ ଫଳରେ ଅଧିନାୟକ ବିରାଟ କୋହଲି ଏକ କୀର୍ତ୍ତମାନ ସ୍ଥାପନ କରିଛନ୍ତି । ଏକମାତ୍ର କ୍ୟାପ୍ଟେନ ଭାବେ ସେ ଦକ୍ଷିଣ ଆଫ୍ରିକା ମାଟିରେ ଦୁଇଟି ଟେଷ୍ଟ ମ୍ୟାଚ ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପୂର୍ବରୁ କୌଣସି ଭାରତୀୟ ଅଧିନାୟକ ଦକ୍ଷିଣ ଆଫ୍ରିକା ଗସ୍ତରେ ଏକାଧିକ ଟେଷ୍ଟ ମ୍ୟାଚ ଜିତିବାରେ ସକ୍ଷମ ହୋଇନଥିଲେ । ପୂର୍ବରୁ ରାହୁଲ ଦ୍ରାବିଡ଼ ଓ ମହେନ୍ଦ୍ର ସିଂହ ଧୋନୀ ଗୋଟିଏ ଲେଖାଏଁ ମ୍ୟାଚରେ ଦଳକୁ ବିଜୟୀ କରାଇଥିଲେ ।

ତେବେ ଏପରି ଖୁସିର ମୁହୂର୍ତ୍ତରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଟିମ୍ ଇଣ୍ଡିଆକୁ ବଧାଇ ଜଣାଇଥିଲେ । ଗାଙ୍ଗୁଲି ଟ୍ୱିଟ କରି ଲେଖିଥିଲେ, ଟିମ୍ ଇଣ୍ଡିଆ ପାଇଁ ଏହା ଏକ ଶାନଦାର ଜିତ୍ । ଚଳିତ ସିରିଜରେ ଭାରତକୁ ହରାଇବା ମୁସ୍କିଲ ହୋଇପଡ଼ିବ । ଅସମ୍ଭବକୁ ସମ୍ଭବ କରିବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ କଠିନ ପରିଶ୍ରମ କରିବାକୁ ପଡ଼ିବ । ସମସ୍ତେ ନୂଆ ବର୍ଷର ଆନନ୍ଦ ନିଅନ୍ତୁ ।’ ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗାଙ୍ଗୁଲି ନିଜ ଅଭିନନ୍ଦନ ବାର୍ତ୍ତାରେ ଅଧିନାୟକ କୋହଲିଙ୍କ ନାମ ସୁଦ୍ଧା ନେଇନଥିଲେ । ଏହି କଥାକୁ କ୍ରୀଡ଼ାପ୍ରେମୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।

ସେହିପରି ଟିମ୍ ଇଣ୍ଡିଆର ପୂର୍ବତନ କୋଚ ରବି ଶାସ୍ତ୍ରୀ ଲେଖିଥିଲେ, ବ୍ରିସବେନ, ଓଭାଲ, ଲର୍ଡସ ପରେ ଏବେ ସେଞ୍ଚୁରିଅନ ଦଖଲ କରିଛି ଟିମ୍ ଇଣ୍ଡିଆ । ରାହୁଲ ଦ୍ରାବିଡ଼, ବିରାଟ କୋହଲିଙ୍କୁ ଏଥିପାଇଁ ଅଭିନନ୍ଦନ ।’ ସୂଚନାଯୋଗ୍ୟ ଯେ, ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ବିରାଟ ଓ ସୌରଭଙ୍କ ମଧ୍ୟରେ ବିବାଦ ତେଜିଥିଲା । ପୂର୍ବରୁ ବିରାଟ ଟି-୨୦ ଅଧିନାୟକ ପଦରୁ ଇସ୍ତଫା ଦେଇସାରିଥିଲେ । ଦକ୍ଷିଣ ଆଫ୍ରିକା ପୂର୍ବରୁ ହଠାତ୍ ବିରାଟଙ୍କୁ ଦିନିକିଆ ଅଧିନାୟକ ପଦରୁ ମଧ୍ୟ ହଟାଯାଇଥିଲା । ଏନେଇ ବିରାଟଙ୍କ ସହ ଆଲୋଚନା କରିଥିବା ନେଇ ବୟାନ ଦେଇଥିଲେ ଗାଙ୍ଗୁଲି । ମାତ୍ର ଗାଙ୍ଗୁଲି ତାଙ୍କ ସହ ଆଲୋଚନା କରିନଥିବା ନେଇ ପ୍ରେସ୍ ମିଟରେ କହିବା ପରେ ବିବାଦ ଆଗକୁ ବଢ଼ିଥିଲା । ତେବେ ଏବେ ଗାଙ୍ଗୁଲି ନିଜ ବିଜୟ ଅଭିନନ୍ଦନ ବାର୍ତ୍ତାରେ ବିରାଟଙ୍କ ନାମ ନନେବା ନିଶ୍ଚିତ ଭାବେ ଚିନ୍ତାଜନକ ।