fbpx

ପଶ୍ଚିମବଙ୍ଗରେ BJPର ନୂଆ ଗେମ୍: ମମତାଙ୍କୁ ଟକ୍କର ଦେବାକୁ ମୈଦାନକୁ ଓହ୍ଲାଇବେ ସୌରଭ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଭାରତବର୍ଷର ରାଜନୀତି ସେତିକି ସରଗରମ୍ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳମାନେ ସେମାନଙ୍କର ରାଜ୍ୟ ମଙ୍ଗୁଆଳଙ୍କୁ ପରିବର୍ତ୍ତନ କରୁଥିବା ଦେଖାଯାଉଛି । ତେବେ ଦୁଇଦିନ ତଳେ ପଶ୍ଚିମବଙ୍ଗ ଗସ୍ତରେ ଯାଇଥିଲେ ଗୃହମନ୍ତ୍ରୀ ଅମିତ ଶାହ । ଏହି ଗସ୍ତ ସମୟରେ ଶାହ ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ବର୍ତ୍ତମାନର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଭେଟିଥିଲେ । ତେବେ ଶାହ-ସୌରଭଙ୍କ ଡିନର ପାର୍ଟିକୁ ନେଇ ଏବେ ପଲିଟିକାଲ୍ ସର୍କସ୍ ଆରମ୍ଭ ହୋଇଯାଇଛି ।

ବିଜେପି-ଟିଏମସି ଭିତରେ ଥିବା ଅହି-ନକୁଳ ସମ୍ପର୍କ ବିଷୟରେ କାହାକୁ ଅଛପା ନାହିଁ । ଗତ ବିଧାନସଭା ନିର୍ବାଚନରେ ଦିଦିଙ୍କୁ ହରାଇବା ଠାରୁ ଆରମ୍ଭ କରି ମମତା ବାନାର୍ଜୀଙ୍କ ଜାତୀୟ ରାଜନୀତିରେ ଏଣ୍ଟ୍ରି ଆଦି ଅନେକ ଘଟଣା ଏହା ମଧ୍ୟରେ ଘଟିଯାଇଛି । ତେବେ, ଯାହା ବି ହେଉ ପରବର୍ତ୍ତୀ ସମୟରେ ଦିଦି ଉପନିର୍ବାଚନରେ ବିଜୟ ହାସଲ କରି ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

ନିକଟରେ ବଙ୍ଗରେ ହୋଇଥିବା ଉପନିର୍ବାଚରେ ବିଜେପି ପରାଜୟ ବରଣ କରିଥିଲା । ମୋଟାମୋଟି ଭାବେ ଦେଖିବାକୁ ଗଲେ ଦିଦିଙ୍କ ଗଡ଼ରେ ବିଜେପି ଅଣ୍ଟା ସଳଖି ଠିଆ ହୋଇପାରୁ ନାହିଁ । ବଙ୍ଗରେ ଜଣେ ହେଭିୱେଟ ନେତାଙ୍କର ଅଭାବ ରହିଥିବା ବୋଧହୁଏ ହୃଦୟଙ୍ଗମ କରିଛନ୍ତି ଭାଜପାର କେନ୍ଦ୍ରୀୟ ନେତୃବୃନ୍ଦ । କ୍ରିକେଟରେ ଦାଦାଙ୍କର ଦବଦବା ରହିଥିବା ବେଳେ ବର୍ତ୍ତମାନ ସମୟରେ ବି ସେ ସକ୍ରିୟ ରହିଛନ୍ତି । ତେଣୁ ଦାଦାଙ୍କୁ ରାଜନୀତିକୁ ଆଣିପାରିଲେ ଦିଦିଙ୍କୁ ମାତ ଦେଇହେବ ବୋଲି ବୋଧହୁଏ ବିଜେପି ଅଙ୍କ କଷୁଛି । ତେବେ ଅମିତ ଶାହଙ୍କ ପୁତ୍ର ଜୟ ବର୍ତ୍ତମାନ ବିସିସିଆଇର ସେକ୍ରେଟାରୀ ରହିଥିବାରୁ ସୌରଭଙ୍କୁ ନେଇ କିଛି ଭିତିରିଆ ବୁଝାମୁଣା ହୋଇଥିବା ଆଲୋଚନା ହେଉଛି । ତେଣୁ ଦାଦା ବିଜେପିରେ ଯୋଗଦେବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ତେବେ ଆଗକୁ ଦେଖାଯିବ, ପଶ୍ଚିମବଙ୍ଗ ରାଜନୀତିରେ କ’ଣ ଘଟୁଛି ।

Get real time updates directly on you device, subscribe now.