ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ: ମିଲରଙ୍କ ଶତକୀୟ ଇନିଂସ, ଅଷ୍ଟ୍ରେଲିଆ ଆଗରେ ୨୧୩ ରନର ଟାର୍ଗେଟ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରି ଭାରତ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିସାରିଛି । ତେବେ ଆଜି ଦ୍ୱିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି । ଭାରତ ସହ କେଉଁ ଟିମ୍ ଫାଇନାଲ ଖେଳିବ ତାହା ଉପରେ ଏବେ ସାରା ବିଶ୍ୱର କ୍ରୀଡ଼ାପ୍ରେମୀଙ୍କ ନଜର ରହିଛି ।

ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଦକ୍ଷିଣ ଆଫ୍ରିକା ପ୍ରାରମ୍ଭରୁ ବଡ଼ ସଙ୍କଟରେ ପଡ଼ିଥିଲା । ମାତ୍ର ୨୪ ରନରେ ଦଳ ୪ଟି ୱିକେଟ ହରାଇ ସଂଘର୍ଷ କରୁଥିବା ବେଳେ ଡେଭିଡ୍ ମିଲର ଦଳ ପାଇଁ ବରଦାନ ସାଜିଥିଲେ । ମିଲର ଗୋଟିଏ ପଟେ ବ୍ୟାଟିଂ ଜାରି ରଖିଥିବା ବେଳେ ଅନ୍ୟପଟେ ଜଣଙ୍କ ପରେ ଜଣେ ବ୍ୟାଟ୍ସମ୍ୟାନ ଆଉଟ୍ ହୋଇ ପାଭିଲିୟନ୍ ଫେରିଥିଲେ । ଡେଭିଡ୍ ମିଲରଙ୍କ ଶତକୀୟ ଇନିଂସ ଫଳରେ ଦକ୍ଷିଣ ଆଫ୍ରିକା ୨୧୨ ରନ୍ କରିବାକୁ ସକ୍ଷମ ହୋଇପାରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ଓ ଅଧିନାୟକ ପ୍ୟାଟ କମିନ୍ସ ଉଭେୟ ୩ଟି ଲେଖାଏଁ ୱିକେଟ ନେଇ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ମେରୁଦଣ୍ଡକୁ ଦୋହଲାଇ ଦେଇଥିଲେ ।

ଚଳିତ ବିଶ୍ୱକପରେ ପ୍ରଥମ ସେମିଫାଇନାଲରେ ଭାରତ ପ୍ରଥମେ ବ୍ୟାଟିଂ କରି ୩୯୭ ରନର ପାହାଡ଼ ଛିଡ଼ା କରିଥିବା ବେଳେ ନ୍ୟୁଜିଲାଣ୍ଡ ତାହାକୁ ପିଛା କରିବାକୁ ଯାଇ ୩୨୭ ରନରେ ଅଲଆଉଟ୍ ହୋଇଯାଇଥିଲେ । ତେବେ ଦ୍ୱିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାର ଦୁର୍ବଳ ବ୍ୟାଟିଂ ପଦାରେ ପଡ଼ିଛି । ଚଳିତ ବିଶ୍ୱକପରେ ଅନେକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୩୦୦ରୁ ଅଧିକ ସ୍କୋର କରିଥିବା ବେଳେ ସେମିଫାଇନାଲରେ ଦଳ ଦୟନୀୟ ପ୍ରଦର୍ଶନ କରିଛି । ଆଜିର ମ୍ୟାଚ କୋଲକାତାର ଇଡେନ ଗାର୍ଡେନ୍ସରେ ହେଉଥିବା ବେଳେ ଏହି ପିଚରେ ଗତ ୧୧ ତାରିଖରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୩୩୭ ରନ ସଂଗ୍ରହ କରିଥିଲା । ତେଣୁ ଏହା ଦକ୍ଷିଣ ଆଫ୍ରିକାର ଦୁର୍ବଳ ବ୍ୟାଟିଂ ବୋଲି କୁହାଯାଉଛି ।