ନୂଆଦିଲ୍ଲୀ: ମହାକାଶରେ ସଫଳତାର ସହ ତିଆରି ହେଲା ମେଡିସିନ୍ । ଆମେରିକାର ଏକ କମ୍ପାନୀ ମହାକାଶକୁ ଏକ କ୍ୟାପସୁଲ୍ ପଠାଇଛନ୍ତି ଯେଉଁଥିରେ ଏକ ମେଡିସିନର କ୍ରିଷ୍ଟାଲକୁ ପୃଥିବୀର କକ୍ଷରେ ପ୍ରସ୍ତୁତ କରାଯାଇଛି । ଏଥିରେ କ୍ରିଷ୍ଟାଲାଇଜେସନ ପ୍ରକ୍ରିୟାକୁ ରୂପାୟନ କରାଯାଇଛି । ଏହି ଖାସ୍ କ୍ରିଷ୍ଟାଲାଇଜେସନରେ ଏପରି ମେଡିସିନର ତିଆରି ହୋଇଛି ଯାହା ଏଚଆଇଭି ଓ ହେପାଟାଇଟିସ୍ ସି’ର ଉପଚାରରେ କାମରେ ଆସିଥାଏ ।
ଆମେରିକା ଷ୍ଟାର୍ଟଅପ୍ ଭର୍ଦା ସ୍ପେସ୍ ଇଣ୍ଡଷ୍ଟ୍ରିଜ୍ର ଏକ ସ୍ପେସ୍ କ୍ୟାପସୁଲ୍ ମହାକାଶରୁ ଫେରି ପୃଥିବୀ ପୃଷ୍ଠକୁ ଆସିଛି । ଏଥିରେ ଏକ ଆଣ୍ଟିଭାଇରାଲ୍ ଡ୍ରଗର କ୍ରିଷ୍ଟାଲ ରହିଛି ଯାହା ମହାକାଶରେ ପ୍ରସ୍ତୁତ କରାଯାଇଛି । ଏକ ବୟାନରେ ଭର୍ଦ୍ଦା କହିଛି କି ଡବ୍ଲ୍ୟୁ ୧ ଅଭିଯାନରେ କ୍ୟାପସୁଲର ରିଏଣ୍ଟ୍ରୀ ପରେ ଉଟାହ ମରୁଭୂମିର ଟେଷ୍ଟ ଆଣ୍ଡ ଟ୍ରେନିଂ ରେଞ୍ଜରେ ଏହାକୁ ଅବତରଣ କରାଯାଇଛି । ଏବେ ଏହାକୁ ଲସ୍ ଏଞ୍ଜେଲସରେ ପୋଷ୍ଟ ମିଶନ ଆନାଲିସିସ ପାଇଁ ନିଆଯିବ ।
ଏହି ମେଡିସିନକୁ ମହାକାଶଯାନରୁ ବାହାର କରାଯିବା ପରେ ଏହାକୁ ଭାଗିଦାରୀ କମ୍ପାନୀ ପାଖକୁ ପଠାଯିବ । କମ୍ପାନୀ କହିଛି ଏହି କ୍ୟାପସୁଲର ପୁରା ଉଡାଣ ସମୟରେ ସଂଗୃହୀତ ତଥ୍ୟ ଆମେରିକା ଏୟାରଫୋର୍ସ ଓ ଆମେରିକା ସ୍ପେସ୍ ଏଜେନ୍ସୀ ନାସା ସହ ସେୟାର କରାଯିବ । ଏହି ସ୍ପେସ୍ କ୍ୟାପସୁଲ ୱିନେବାଗ ୧କୁ ଗତ ବର୍ଷ ଜୁନ୍ ମାସରେ ସ୍ପେସ୍ ଏକ୍ସ ଟ୍ରାନ୍ସପୋର୍ଟର ୮ ଅଭିଯାନର ପେଲୋଡ୍ ଜରିଆରେ ମହାକାଶ ପଠାଯାଇଥିଲା ।