ସ୍ପେନରେ ବଢ଼ୁଛି ପ୍ରଳୟଙ୍କାରୀ ବନ୍ୟାର ପ୍ରକୋପ: ୫୧କୁ ବୃଦ୍ଧି ପାଇଲା ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ: ପ୍ରବଳ ବର୍ଷା ଯୋଗୁଁ ସ୍ପେନର ଦକ୍ଷିଣ-ପୂର୍ବ ଅଞ୍ଚଳ ସମେତ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ମୃତ୍ୟୁ ସଂଖ୍ୟା ୫୧କୁ ବୃଦ୍ଧି ପାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସେପଟେ ଭାଲେନ୍ସିଆ ସହରରେ ସ୍ଥିତି ଗମ୍ଭୀର ରହିଛି । ଇତି ମଧ୍ୟରେ ସୋସିଆଲ ମିଡିଆରେ ଅନେକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଅନେକ କାର୍ ପ୍ରବାହିତ ହେଉଥିବା ଦେଖିବାକୁ ମିଳୁଛି।

ଅନ୍ୟପକ୍ଷରେ ବନ୍ୟାରେ ଫସି ରହିଥିବା ଶହ ଶହ ଲୋକ ରେଡିଓ ଓ ଟିଭି ଷ୍ଟେସନକୁ ଫୋନ୍ କରି ସହାୟତା ମାଗୁଛନ୍ତି । କିଏ ନିଜ ପାଇଁ ସାହାଯ୍ୟ ମାଗୁଛନ୍ତି ତ ଆଉ କିଏ ସମ୍ପର୍କୀୟଙ୍କ ପାଇଁ ସାହାଯ୍ୟ ମାଗୁଛନ୍ତି । ସ୍ପେନର ପାଣିପାଗ ଏଜେନ୍ସି କହିଛି ଯେ ଭାଲେନ୍ସିଆ ସହରରେ ରେଡ୍ ଆଲର୍ଟ ଜାରି କରାଯାଇଛି । ଆଣ୍ଡାଲୁସିଆ ସହରରେ ଦ୍ୱିତୀୟ ସର୍ବୋଚ୍ଚ ସତର୍କ ସୂଚନା ଜାରି କରାଯାଇଛି ।

ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ଯେ ସେ ନିଖୋଜ ଲୋକ ଏବଂ ବନ୍ୟା କ୍ଷୟକ୍ଷତି ର ରିପୋର୍ଟ ଅନୁଧ୍ୟାନ କରୁଛନ୍ତି । ପ୍ରଶାସନର ପରାମର୍ଶ ମାନିବାକୁ ସଞ୍ଚେଜ୍ ଲୋକଙ୍କୁ ନିବେଦନ କରିଛନ୍ତି । ଏହା ସହ ଲୋକଙ୍କୁ ଅନାବଶ୍ୟକ ଯାତ୍ରାରୁ ଦୂରେଇ ରହିବାକୁ ସେ କହିଛନ୍ତି ।