fbpx
BSKY
BJD YOUTH SKY
BJD MS SKY

ରାଜ୍ୟର ବିଧାୟକଙ୍କର ବଢ଼ିବ ଦରମା! ବିଧାନସଭାରେ ବିଲ୍ ଆଗତ କରିବାକୁ ନିର୍ଦ୍ଦେଶ ଦେଲେ ବାଚସ୍ପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଧାୟକମାନଙ୍କର ଦରମା ଓ ଭତ୍ତା ବଢ଼ିବା ସହିତ ସେମାନେ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇବେ । ଗତବର୍ଷ ଏହି ପ୍ରସଙ୍ଗକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିବା ବେଳେ ଏନେଇ ଆଜି ବାଚସ୍ପତି ସୂଚନା ଦେଇଛନ୍ତି । ଏ ସମ୍ପର୍କିତ ବିଲ ବିଧାନସଭାରେ ଆଗତ କରିବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।

ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ପ୍ରସଙ୍ଗରେ ବିଧାନସଭା ଗୃହର ସମସ୍ତ ସଦସ୍ୟ ଉଦବେଗ ପ୍ରକାଶ କରିଛନ୍ତି । ରାଜ୍ୟର ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ସମ୍ପର୍କରେ କମିଟି ରିପୋର୍ଟ ପ୍ରଦାନ କରିସାରିଛି । ଉକ୍ତ ରିପୋର୍ଟକୁ ବାଚସ୍ପତି ସଂସଦୀୟ ବ୍ୟାପାର ବିଭାଗକୁ ପଠାଇ ଦେଇଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହର ନେତାଙ୍କ ସହିତ ଏ ବାବଦରେ ଆଲୋଚନା କରନ୍ତୁ । ଗୃହକୁ ବିଲ କିପରି ଆସିବ ସେନେଇ ସମୟୋଚିତ ପଦକ୍ଷେପ ନେବାକୁ ବାଚସ୍ପତି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବିଧାୟକଙ୍କର ଦରମା ବୃଦ୍ଧି ନେଇ ବିଧାନସଭାରେ ଏକାଧିକ ଥର ଦାବି କରାଯାଇଥିଲା । ଗତବର୍ଷ ଅଗଷ୍ଟ ମାସରେ ବିଧାୟକମାନେ ମୌସୁମୀ ଅଧିବେସନ ଚାଲିଥିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦାବି ଜଣାଇଥିଲେ । ଏହି ଦାବିକୁ ବିଚାର କରି ସେ ସମୟରେ ବାଚସ୍ପତି ୧୦ ଜଣ ବିଧାୟକଙ୍କୁ ନେଇ ଏକ ପରାମର୍ଶଦାତା କମିଟି ଗଠନ କରିଥିଲେ ।

ଏହାପରେ ଗତବର୍ଷ ଡିସେମ୍ବର ମାସରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଗଠିତ ଦରମା ବୃଦ୍ଧି କମିଟି ବାଚସ୍ପତିଙ୍କୁ ଭେଟି ବିଧାୟକଙ୍କ ଗସ୍ତ ଖର୍ଚ୍ଚ, ଦରମା, ପେନସନ ବୃଦ୍ଧି ସହିତ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧିି କରିବାକୁ ସୁପାରିଶ କରିଥିଲା । ବର୍ତ୍ତମାନ ରାଜ୍ୟର ବିଧାୟକମାନେ ଦରମା ଓ ଭତ୍ତା ବାବଦରେ ୯୯.୮ ହଜାର ପାଉଥିବା ବେଳେ ଏହାକୁ ୩ ଲକ୍ଷକୁ ବୃଦ୍ଧି ପାଇଁ ଦାବି ହୋଇଥିଲା । ସେହପରି ପୂର୍ବତନ ବିଧାୟକଙ୍କ ପେନସନ ୩୦ରୁ ୫୦ ହଜାର, ମେଡିକାଲ ଖର୍ଚ୍ଚ ୨ରୁ ୧୦ ହଜାରକୁ ବୃଦ୍ଧି କରିବାକୁ ଦାବି ହୋଇଥିଲା ।

Get real time updates directly on you device, subscribe now.