ପେଟରେ ଖାଦ୍ୟ ବଦଳରେ ଥିଲା ଚାମଚ, ଅଳ୍ପକେ ବଞ୍ଚିଲା ଜୀବନ
ପେଟରେ ଥିଲା 8 ସେମି ଲମ୍ବାର ଚାମଚ, 30 ମିନିଟର ଅପରେସନ ପରେ ବଞ୍ଚିଲା ଜୀବନ
ଦିଲ୍ଲୀ: ପେଟରେ ନଥିଲା ଖାଦ୍ୟ, ଥିଲା 8 ସେମି ଲମ୍ବାର ଚାମଚ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀରେ। ଦିଲ୍ଲୀର ଜଣେ 30 ବର୍ଷୀୟ ବ୍ୟକ୍ତି ଭୁଲବଶତଃ 8 ସେମି ଲମ୍ବା ଚାମଚ ଗିଳି ଦେଇଥିଲେ। ଚାମଚଟି ତାଙ୍କ ଅନ୍ତନଳୀର ଉପର ଭାଗରେ ଫସି ଯାଇଥିଲା।
ବ୍ୟକ୍ତିଙ୍କୁ ତୁରନ୍ତ ଦିଲ୍ଲୀର ଏକ ମଲ୍ଟି-ସୁପର-ସ୍ପେଶାଲିଟି ହସ୍ପିଟାଲକୁ ପଠାଯାଇଥିଲା, ତା ପରେ ତାଙ୍କୁ ଶାଲିମାର ବାଗ ସ୍ଥିତ ଫୋର୍ଟିସ୍ ହସ୍ପିଟାଲର ଜରୁରୀକାଳୀନ ବିଭାଗକୁ ପଠାଯାଇଥିଲା।
ଯେତେବେଳେ ବ୍ୟକ୍ତି ଜଣକ ହସ୍ପିଟାଲରେ ପହଞ୍ଚିଲେ, ତାଙ୍କ ଅବସ୍ଥା ଠିକ ଥିଲାପରି ଲାଗୁଥିଲା। ତଥାପି, ଏକ୍ସ-ରେ କରିବା ପରେ ଚାମଚଟି ତାଙ୍କ ପେଟରେ ରହିଛି ବୋଲି ନିଶ୍ଚିତ ହୋଇଥିଲା।
24 ଘଣ୍ଟା ପରେ ଡିସଚାର୍ଜ: ତା ପରେ ତାଙ୍କର ଏଣ୍ଡୋସ୍କୋପି କରାଗଲା ଏବଂ ଅପରେସନ କରି ପେଟରୁ ଚାମଚକୁ ବାହାର କରାଗଲା। ଅପରେସନ ପରେ ତାଙ୍କୁ 24 ଘଣ୍ଟା ପର୍ଯ୍ୟନ୍ତ ଅବଜର୍ଭେସନରେ ରଖାଯାଇଥିଲା। ତା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା।
ଘଟଣା ବିଷୟରେ ଡାକ୍ତର ରମେଶ କହିଛନ୍ତି ଯେ, ଏହା ଏକ ବିରଳ ଏବଂ ଚ୍ୟାଲେଞ୍ଜିଂ ଅପରେସନ ଥିଲା। ଯଦି ଏହା ଅଧିକ ସମୟ ଅପରେସନ ନହେଇ ପେଟ ଭିତରେ ରହିଥାନ୍ତା ତେବେ ଜୀବନ ପ୍ରତି ବିପଦ ହୋଇଥାନ୍ତା ଏବଂ ଜୀବନ ଚାଲିଯିବାର ମଧ୍ୟ ସମ୍ଭାବନା ଥାଆନ୍ତା।