ଜ୍ୟୋତିଙ୍କୁ ମିଳିଲାନି ଆଶ୍ୱସ୍ତି, ଆଉ ୪ ଦିନ ହେପାଜତ ବୃଦ୍ଧି, ରହିଛି ଲମ୍ବା ଅଭିଯୋଗ

ଚଣ୍ଡୀଗଡ଼,୨୨ା୫: ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରାଙ୍କୁ ମିଳିଲାନି ଆଶ୍ୱସ୍ତି। ଏପର୍ଯ୍ୟନ୍ତ କ’ଣ କ’ଣ ଖୁଲାସା ହୋଇଛି ଜାଣନ୍ତୁ ସେ ସମ୍ପର୍କରେ…
ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ହରିୟାଣାର YouTuber ଜ୍ୟୋତି ମାଲହୋତ୍ରାଙ୍କୁ ଆଜି ମଧ୍ୟ ଆଶ୍ୱସ୍ତି ମିଳିନାନି ଏବଂ କୋର୍ଟ ତାଙ୍କ ହାଜତ ବୃଦ୍ଧି କରିଛନ୍ତି। ଜ୍ୟୋତି ମାଲହୋତ୍ରାଙ୍କ ବିରୋଧରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ପାଇଁ ଗୁପ୍ତଚର କାର୍ଯ୍ୟ କରିବାର ଅଭିଯୋଗ ରହିଛି। ଜ୍ୟୋତି ମଧ୍ୟ ଅନେକ ଥର ପାକିସ୍ତାନ ଗସ୍ତ କରିଛନ୍ତି।

ଜ୍ୟୋତିଙ୍କୁ ମେ’ ୧୭ରେ ହରିୟାଣାର ହିସାରରୁ ଗିରଫ କରାଯାଇଥିଲା ଏବଂ ତାଙ୍କୁ ପାଞ୍ଚ ଦିନିଆ ପୋଲିସ ହେପାଜତକୁ ପଠାଯାଇଥିଲା, ଯାହା ଆଜି ଶେଷ ହୋଇଛି। କୋର୍ଟ ତାଙ୍କ ପୋଲିସ ହେପାଜତକୁ ଆଉ ୪ ଦିନ ବୃଦ୍ଧି କରିଛନ୍ତି। ବୁଧବାର ପୋଲିସ ପ୍ରକାଶ କରିଛି ଯେ, YouTuber ଜ୍ୟୋତି ମାଲହୋତ୍ରା ୨୦୨୩ରୁ ଜଣେ ପାକିସ୍ତାନୀ ଅଧିକାରୀଙ୍କ ସହ ଯୋଗାଯୋଗରେ ଥିଲେ।

ଏ ସମ୍ପର୍କରେ ଏକ ସୂତ୍ର କହିଛି ଯେ, ଗୁପ୍ତଚର ସନ୍ଦେହରେ ଗିରଫ ହୋଇଥିବା ଜ୍ୟୋତି ନଭେମ୍ବର ୨୦୨୩ରୁ ପାକିସ୍ତାନୀ ହାଇକମିଶନରେ କାର୍ଯ୍ୟରତ କର୍ମଚାରୀ ଏହ୍‌ସାନ-ଉର୍‌-ରହିମ୍‌ ଓରଫ ଦାନିଶଙ୍କ ସହ ସମ୍ପର୍କରେ ଥିଲେ। ଦାନିଶଙ୍କୁ ଗୁପ୍ତଚର କାର୍ଯ୍ୟରେ ସମ୍ପୃକ୍ତି ଅଭିଯୋଗରେ ଭାରତ ମେ’ ୧୩ରେ ବହିଷ୍କାର କରିଥିଲା। ସୂତ୍ର ଅନୁଯାୟୀ, ପୋଲିସ ମାଲହୋତ୍ରାଙ୍କ ତିନୋଟି ମୋବାଇଲଏବଂ ଗୋଟିଏ ଲାପଟପ ଫରେନସିକ୍‌ ପରୀକ୍ଷା ପାଇଁ ପଠାଇଛି।

ଜାଣନ୍ତୁ ଜ୍ୟୋତିଙ୍କ ନାଁରେ ଥିବା ଅଭିଯୋଗ:
ଜ୍ୟୋତିଙ୍କୁ ଜାତୀୟ ତଦନ୍ତ ସଂସ୍ଥା, ଗୁଇନ୍ଦା ବ୍ୟୁରୋ ଏବଂ ସାମରିକ ଗୁଇନ୍ଦା ଅଧିକାରୀମାନେ ପଚରାଉଚରା କରିଛନ୍ତି। ଏପର୍ଯ୍ୟନ୍ତ ସେ ପାକିସ୍ତାନ, ଚୀନ, ବାଂଲାଦେଶ ଏବଂ ଅନ୍ୟ କିଛି ଦେଶ ଗସ୍ତ କରିଥିବା ଜଣାପଡ଼ିଛି। ହିସାରର ବାସିନ୍ଦା ୩୩ ବର୍ଷୀୟା ଜ୍ୟୋତି ‘ଟ୍ରାଭେଲ ଓ୍ବିଥ ଜୋ’ ନାମକ ଏକ ୟୁଟ୍ୟୁବ୍‌ ଚ୍ୟାନେଲ ଚଲାଉଥିଲେ ଏବଂ ଗତ ସପ୍ତାହରେ ତାଙ୍କୁ ନ୍ୟୁ ଅଗ୍ରସେନ ଏକ୍ସଟେନ୍ସନ୍‌ ଗିରଫ କରାଯାଇଥିଲା। ପୋଲିସ କହିଛି ଯେ, ଜ୍ୟୋତିଙ୍କ ବିରୋଧରେ ଅଫିସିଆଲ ସିକ୍ରେଟ ଆକ୍ଟ ଏବଂ ଇଣ୍ଡିଆନ ଜଷ୍ଟିସ୍‌ କୋଡର ଧାରା ଅନୁଯାୟୀ, ଏକ ମାମଲା ରୁଜୁ କରାଯାଇଛି। ଗୁପ୍ତଚର ଅଭିଯୋଗରେ ଗତ ଦୁଇ ସପ୍ତାହ ମଧ୍ୟରେ ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶରୁ ଗିରଫ ହୋଇଥିବା ୧୨ ଜଣଙ୍କ ମଧ୍ୟରେ ମାଲହୋତ୍ରା ଅନ୍ୟତମ। ଏଥିରେ କୁହାଯାଇଛି ଯେ, ୨୨ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୪ ଦିନିଆ ସାମରିକ ସଂଘର୍ଷ ସମୟରେ ମଧ୍ୟ ଜ୍ୟୋତି ଦାନିଶଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ଅଭିଯୋଗ ହୋଇଛି।