fbpx

ବନ୍ୟା ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ଏସଆରସି: ଏହିସବୁ ଜିଲ୍ଲାକୁ ଦେଲେ ସତର୍କବାଣୀ

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଯୋଗୁଁ ଜଳସ୍ତର ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ବନ୍ୟା ସ୍ଥିତି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ସେ କହିଛନ୍ତି ଯେ, ‘ରାତି ୯ଟାରୁ ୧୨ ଭିତରେ ଖଇରମାଳରେ ସର୍ବାଧିକ ପାଣି ପାସ୍ କରିଛି । କାଲି ରାତିରେ ଖଇରମାଳାରେ ୧୨.୦୬ ଲକ୍ଷ କ୍ୟୁସେକ ପାସ୍ କରିଛି । କାଲି ଖଇରମାଳ ପାସ୍ କରିଥିବା ପାଣି ଆଜି ସନ୍ଧ୍ୟାରେ ଏଠି ପହଞ୍ଚିବ । ଆଜି ସନ୍ଧ୍ୟାରେ ମୁଣ୍ଡଳିଠାରେ ସର୍ବାଧିକ ପାଣି ପାସ୍ କରିବା ଆକଳନ କରାଯାଉଛି । ସନ୍ଧ୍ୟାରେ ମୁଣ୍ଡଳିରେ ସର୍ବାଧିକ ସାଢ଼େ ୧୧ ଲକ୍ଷ ପାଣି ପାସ୍ କରିପାରେ ।’

ଆଗାମୀ ୪୮ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସି କହିଛନ୍ତି । ଆଜି ସନ୍ଧ୍ୟାରେ ମୁଣ୍ଡଳିରେ ସର୍ବାଧିକ ବନ୍ୟାଜଳ ପ୍ରବାହିତ ହେବ । ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ବିଶେଷ ପ୍ରଭାବିତ ହେବ । ବ୍ୟାକ୍ ୱାଟର ଯୋଗୁଁ କିଛି ଜାଗାରେ ପାଣି ପଶିଛି । ଆବଶ୍ୟକ ଅନୁସାରେ ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କୁ ସ୍ଥାନାନ୍ତର ସହ ରନ୍ଧାଖାଦ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସମୀକ୍ଷା ବୈଠକରେ ଏନେଇ ଜିଲ୍ଲପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ଅନୁସାରେ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ଅନୁସାରେ କର୍ମଚାରୀଙ୍କ ଛୁଟି ବାତିଲ କରିବେ ଜିଲ୍ଲାପାଳ । ସର୍ବାଧିକ ପାଣି ପାସ୍ କରିବାକୁ ଥିବାରୁ ନଦୀ ବନ୍ଧକୁ ଜଗିବା ଜରୁରୀ ବୋଲି ଏସଆରସି କହିଛନ୍ତି ।

ଏହା ସହ ଆଜି ଅପରାହ୍ନ ୩ଟାରେ ହୀରାକୁଦ ଗେଟ୍ ସମ୍ପର୍କରେ ନିଆଯିବ ନିଷ୍ପତ୍ତି । ହୀରାକୁଦର ଆଉ କେତେ ଗେଟ୍ ଖୋଲାଯିବ, ସେନେଇ ୩ଟାରେ ନିଷ୍ପତ୍ତି ନିଆଯିବ । ଏନେଇ ସ୍ୱତନ୍ତ୍ରୀ ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି । ଏବେ ହୀରାକୁଦକୁ ୭.୮୮ ଲକ୍ଷ କ୍ୟୁସେକ୍ ପାଣି ପଶୁଥିବା ବେଳେ ୪.୪୫ ଲକ୍ଷ କ୍ୟୁସେକ୍ ପାଣି ବାହାରୁଛି । ଏବେ ୨୬ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି । ଆଉ କେତେ ଗେଟ୍ ଖୋଲାଯିବ, ସେନେଇ ସମୀକ୍ଷା କରାଯାଉଛି ବୋଲି ସେ କହିଛନ୍ତି । ତେବେ ଦିନ ୧୨ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୬.୦୮ ଫୁଟ ରହିଛି ।

Get real time updates directly on you device, subscribe now.