ଏପ୍ରିଲ ୧୫ପରଠାରୁ ରବି ଫସଲ ଉତ୍ପାଦନ ଆରମ୍ଭ ହେବ: ଏସଆରସି

ଭୁବନେଶ୍ୱର,୧୩ା୪(ଓଡିଶା ଭାସ୍କର): ଆଜି ଏସଆରସି ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ପ୍ରଥମ ପର୍ଯ୍ୟାୟରେ ତାଲାବନ୍ଦ ଅବଧି ସଫଳ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୩୦ଯାଏଁ ତାଲାବନ୍ଦ କଟକଣା ବଳବତ୍ତର ରହିବ । ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିୟମରେ କିଛି ପରିବର୍ତ୍ତନ କରାଯାଇଛି ବୋଲି ସେ କହିଛନ୍ତି । ଏପ୍ରିଲ ୧୫ପରଠାରୁ ରବି ଫସଲ ଉତ୍ପାଦନ ଆରମ୍ଭ ହେବ । କୃଷି ଓ ଉଦ୍ୟାନ କ୍ଷେତ୍ରରେ ସରକାର ନିଷ୍ପତ୍ତି ଆଣିଛନ୍ତି । ଚାଷୀମାନେ ଧାନ ବୁଣିବା ଏବଂ ଅମଳ କରିପାରିବେ । ଚାଷ କାର୍ଯ୍ୟରେ ବ୍ୟବହୃତ ସମସ୍ତ ଯନ୍ତ୍ରପାତି ମଧ୍ୟ ବ୍ୟବହାର ହୋଇପାରିବ । ସାର, କୃଷିଯନ୍ତ୍ରପାତି ସହ ଜଡ଼ିତ ଦୋକାନ ମଧ୍ୟ ଖୋଲା ରଖାଯିବା ନେଇ ନିଷ୍ପତ୍ତି ହୋଇଛି ।
ଏହାସହ ରାଜ୍ୟରେ ଥିବା ଶୀତଳଭଣ୍ଡାର ଓ ଗୋଦାମ କାମ କରିବ । କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରରେ ଉତ୍ପାଦନ ଜାରି ରହିବ । ଚାଷୀଙ୍କୁ ଖରିଫ ଲୋନ୍ ପାଇଁ ବ୍ୟାଙ୍କଗୁଡ଼ିକ ସେବା ଯୋଗାଇବେ । ରବି ଧାନ ଅମଳ ହେଉଥିବା ସ୍ଥାନରେ ମଣ୍ଡି ଖୋଲା ରହିବ । ମଣ୍ଡିରୁ ଧାନ କିଣିବା ପାଇଁ ଟ୍ରକ-ଟ୍ରାକ୍ଟର ଚଳାଚଳ କରିପାରିବ । ଲକ ଡାଉନରେ ମତ୍ସ୍ୟ ପାଳନ ଓ ଚାଷ କାର୍ଯ୍ୟ ଚାଲୁ ରହିବ । ଅଣ୍ଡା, ମାଛ, ମାଂସ, ଦୁଗ୍ଧ ବ୍ୟବସାୟ ଜଡ଼ିତ ସମସ୍ତ କାର୍ଯ୍ୟ ଚାଲୁ ରହିବ ବୋଲି ପ୍ରଦୀପ ଜେନା କହିଛନ୍ତି । ଫୁଡ଼୍ ପ୍ରୋସେସିଂ, ପ୍ୟାକେଜିଂ କାମ ଚାଲୁ ରହିବ । ତାଲାବନ୍ଦ ସମୟରେ ସାମୁଦ୍ରିକ ମାଛ ଧରାରେ କଟକଣା ନାହିଁ । ଏହା ସହିତ ଜଡ଼ିତ ସମସ୍ତ କାର୍ଯ୍ୟ ଚାଲୁ ରଖିବାକୁ ନିଷ୍ପତ୍ତି ହୋଇଛି । ମାଛ ଜାଲ କାରଖାନା ଗୁଡ଼ିକ ଖୋଲା ରହିବ । ଗ୍ରାମାଞ୍ଚଳରେ ନରେଗା କାର୍ଯ୍ୟକ୍ରମ ମଧ୍ୟ ଚାଲୁ ରହିବ ବୋଲି ସୂଚନା ମିଳିଛି ।