fbpx

ପହଣ୍ଡି ବିଜେ କରି ରଥକୁ ଆସୁଛି କଳା ସାଆନ୍ତ: ବାଜୁଛି କାହାଳୀ, ଚାହିଁଛନ୍ତି ଭକ୍ତ

ପୁରୀ: ବଡ ଦେଉଳରୁ ବାହାରି ରଥକୁ ଆସୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । କାହାଳୀର ମଧୁର ଧ୍ୱନୀରେ ପହଣ୍ଡି କରି ଆସୁଛନ୍ତି ଦାରୁ ଦିଅଁ । ରତ୍ନ ସିଂହାସନରୁ ଓହ୍ଲାଇ ଆସି ବଡଦାଣ୍ଡରେ ପହଞ୍ଚିଲେଣି ଶ୍ରୀଜୀଉ । ପୂର୍ବରୁ ବଡଭାଇ ଶ୍ରୀବଳଭଦ୍ର, ଚକ୍ରରାଜ ସୁଦର୍ଶନ ପହଣ୍ଡି ହୋଇ ରଥରେ ଆବର୍ଭାବ ହୋଇ ସାରିଛନ୍ତି । ବର୍ତ୍ତମାନ ଜଗା କାଳିଆ ପହଣ୍ଡିରେ ଝୁଲି ଝୁଲି ରଥରେ ବିଜେ ହେବା ପାଇଁ ଶ୍ରୀମନ୍ଦିରରୁ ବାହାରି ଆସିଛନ୍ତି । ମହାପ୍ରଭୁଙ୍କ ରଥରେ ପହଞ୍ଚିବା ପରେ ରଥ ଉପରେ ନୀତିକାନ୍ତି ଆରମ୍ଭ ହେବ । ଏହାପରେ ନଅ ଦିନ ପାଇଁ ମାଉସୀ ଗୁଣ୍ଡିଚାଙ୍କ ଘର ଅଭିମୁଖେ ଘୋଷଯାତ୍ରାରେ ବାହାରିବେ ତିନି ଠାକୁର ।

ତେବେ ନିର୍ଧାରିତ ସମୟ ଅନୁଯାୟୀ ଆରମ୍ଭ ହୋଇଛି ଚତୁର୍ଧାମୂର୍ତ୍ତିଙ୍କ ପହଣ୍ଡିବିଜେ ନୀତି । ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ପରେ ଆରମ୍ଭ ହୋଇଛି ବଡଠାକୁର ପ୍ରଭୁ ଶ୍ରୀବଳଭଦ୍ରଙ୍କ ପହଣ୍ଡିବିଜେ ନୀତି । ଧାଡି ପହଣ୍ଡିରେ ଶ୍ରୀବିଗ୍ରହଙ୍କୁ ଜଣ ଜଣ କରି ସେବାୟତ ମାନେ ପହଣ୍ଡି କରି ତିନି ରଥକୁ ଆଣୁଛନ୍ତି । ତାଳଧ୍ୱଜରେ ଶ୍ରୀ ବଳଦେବ ଏବଂ ଦର୍ପଦଳନରେ ମା ସୁଭଦ୍ରା ବିରାଜମାନ କରିବା ପରେ ନନ୍ଦିଘୋଷ ରଥକୁ ଆସୁଛନ୍ତି ଭାବଗ୍ରାହନ୍ମଦନମୋହନ । ଚକାଆଖି ସାଙ୍ଗକୁ ନାଲି ଅଧରରେ ମିଠା ହସ ନେଇ ଭକ୍ତଙ୍କ ଦଃୁଖ ଦୂର କରିବା ପାଇଁ ଆଜି ସିଂହାସନ ଛାଡି ଭକ୍ତଙ୍କ ମେଳକୁ ଆସୁଛନ୍ତି ସ୍ୱୟଂ ବିଗ୍ରହ । ପାରମ୍ପରିକ ଭାବେ ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ଦେବୀ ସୁଭଦ୍ରାଙ୍କ ରଥରେ ସ୍ଥାପନା କରାଯିବା ପରେ ବଡ ଭାଇ ତଥା ପ୍ରଭୁ ବଳଭଦ୍ରଙ୍କ ପହଣ୍ଡିବିଜେ ନୀତି ଅନୁଷ୍ଠିତ ହୋଇଛି । ଶେଷରେ ଭକ୍ତଙ୍କ ଦୁଃଖ ଶୁଣି ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜେ ପହଣ୍ଡିବିଜେ କରି ରଥକୁ ଆଗମନ ହେଉଛନ୍ତି ।

Get real time updates directly on you device, subscribe now.