ନୂଆଦିଲ୍ଲୀ: ରାଜସ୍ଥାନ ଶ୍ରୀଗଙ୍ଗାନଗର ଜିଲ୍ଲା କରଣପୁର ବିଧାନସଭା ସିଟ୍ରେ ହୋଇଥିବା ଉପନିର୍ବାଚନରେ ବିଜେପିକୁ ବଡ ଝଟକା ଲାଗିଛି । ଏଠାରେ ବିଜେପି ପ୍ରତ୍ୟାଶୀ ସୁରେନ୍ଦ୍ର ପାଲ ସିଂହ ଟିଟି ନିର୍ବାଚନରେ ପରାଜୟ ବରଣ କରିଛନ୍ତି । ସବୁଠାରୁ ବଡ କଥା ହେଉଛି ଏହି ଉପନିର୍ବାଚନ ପୂର୍ବରୁ ବିଜେପି ଟିଟିଙ୍କୁ ଭଜନ ଲାଲ କ୍ୟାବିନେଟ୍ରେ ମନ୍ତ୍ରୀ ପଦ ଦେଇଥିଲେ । ଏହି ଦୃଷ୍ଟିରୁ ନିର୍ବାଚନରେ ବିଜେପି ବହୁତ କିଛି ବାଜିରେ ଲଗାଇଥିଲା । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ରୁପିନ୍ଦର ସିଂ କୁନର ଟିଟିଙ୍କୁ ୧୨ହଜାର ଭୋଟରେ ହରାଇ ଦେଇଛନ୍ତି ।
ଏଠାରେ ସୂଚାଇ ଦିଆଯାଇପାରେ କି ଗତ ମାସରେ ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ପ୍ରାର୍ଥୀ ତଥା ତତ୍କାଳୀନ ବିଧାୟକ ଗୁରମିତ ସିଂ କୁନରଙ୍କ ଦେହାନ୍ତ କାରଣରୁ ଏଠାରେ ଭୋଟ ଗ୍ରହଣକୁ ସ୍ଥଗିତ କରିଦିଆଯାଇଥିଲା । ଏହାପରେ ଉପନିର୍ବାଚନ ତାରିଖ ଘୋଷଣା କରିଦିଆଯାଇଥିଲା । କଂଗ୍ରେସ ପକ୍ଷରୁ କୁନର ପୁଅ ରୁପିନ୍ଦର ସିଂଙ୍କୁ ଏହି ଆସନରେ ଛିଡା କରାଯାଇଥିଲା ।
ଏଠାରେ ସୂଚାଇ ଦିଆଯାଇପାରେ କି ୧୦ ଦିନ ତଳେ ସୁରେନ୍ଦ୍ର ପାଲ ଟିଟିଙ୍କୁ ମନ୍ତ୍ରୀ ପଦରେ ଶପଥ ଦିଆଯାଇଥିଲା । ସେ ଜୟପୁର ସ୍ଥିତ ରାଜଭବନରେ ପଦ ଓ ଗୋପନୀୟତାର ଶପଥ ନେଇଥିଲେ । ମନ୍ତ୍ରୀ ହେବା ପରେ ସୁରେନ୍ଦ୍ର ପାଲ ସିଂହ ନିଜର ବିଜୟକୁ ନେଇ ବେଶ୍ ଆଶ୍ୱସ୍ତ ଥିଲେ । କିନ୍ତୁ ତାଙ୍କର ସବୁ ଆକଳନ ଭୁଲ୍ ପାଲଟି ଯାଇଛି । ଫଳାଫଳ ଆସିବା ପରେ ରାଜସ୍ଥାନର ପୂର୍ବ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟର ଅଭିନନ୍ଦନ ଜଣାଇଛନ୍ତି । କୁନ୍ନରରେ ସ୍ୱର୍ଗତଃ ଗୁରମିତ ସିଂହଙ୍କ ଜନସେବା କାରଣରୁ କଂଗ୍ରେସକୁ ଏହି ବିଜୟ ମିଳିଛି ବୋଲି ସେ କହିଛନ୍ତି ।
ଏହା ପୂର୍ବରୁ ରାଜ୍ୟରେ ମୋଟ ୧୯୯ସିଟ୍ରେ ବିଧାନସଭା ନିର୍ବାଚନ ହୋଇଥିଲା ଯେଉଁଥିରେ ବିଜେପି ୧୧୫ ସିଟ୍ରେ ବିଜୟ ହାସଲ କରିଥିଲା ଓ କଂଗ୍ରେସ ୬୯ ସିଟ୍ରେ ଜିତିଥିଲା ।