Industrial Policy ୨୦୧୫ର ୨ଟି ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ: ପ୍ରମାଣପତ୍ର ପାଇଁ ଆବେଦନ ଦାଖଲର ସମୟସୀମା ୨ବର୍ଷକୁ ବୃଦ୍ଧି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟ କ୍ୟାବିନେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ, ୧୯୮୯ରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିବା ସହ ଶିଳ୍ପ ନୀତି ୨୦୧୫ର ୨ଟି ସଂଶୋଧନକୁ ମଧ୍ୟ ମଞ୍ଜୁରୀ ମିଳିଛି । ପ୍ରୋତ୍ସାହନ କିମ୍ବା ପ୍ରମାଣପତ୍ର ପାଇଁ ଆବେଦନ ଦାଖଲର ସମୟସୀମା ୨ ବର୍ଷକୁ ବୃଦ୍ଧି କରାଯାଇଛି । ଏଥିସହିତ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ମଧ୍ୟ ସଂଶୋଧନ କରାଯିବା ନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଫଳରେ ଯୋଗ୍ୟ ନିବେଶକମାନେ ପ୍ରୋତ୍ସାହନ ପାଇଁ ସେମାନଙ୍କର ଦାବିକୁ ଠିକ୍ ସମୟରେ ପ୍ରଦାନ କରିବାକୁ ସକ୍ଷମ ହେବେ ଓ ପ୍ରୋତ୍ସାହନ ସୁଗମ ପରିଚାଳନା ପାଇଁ ଏହା ସହାୟକ ହେବ ।
ବିଭିନ୍ନ ପ୍ରୋତ୍ସାହନ ଓ ପ୍ରମାଣପତ୍ର ବିଷୟରେ କିମବା ନୀତି ତଥା ଦରଖାସ୍ ପ୍ରଣାଳୀ ବିଷୟରେ ଅନେକ କ୍ଷେତ୍ରରେ ଶିଳ୍ପ ସଂସ୍ଥା ଆବେଦନପତ୍ର ଦାଖଲ କରିବାରେ ବିଳମ୍ବ ହୋଇଥାଏ । ଏତଦବ୍ୟତୀତ କୋଭିଡ-୧୯ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତିକୁ ମଧ୍ୟ ବିଚାରକୁ ନେଇ ଶିଳ୍ପ ନୀତି ୨୦୧୫ ଅଧିନରେ ସମସ୍ତ ପ୍ରକାରର ପ୍ରୋତ୍ସାହନ ଓ ପ୍ରମାଣପତ୍ର ପାଇଁ ଆବେଦନ ଦାଖଲ ସମୟସୀମାକୁ ୧ ବର୍ଷକୁ ଦୁଇ ବର୍ଷକୁ ବୃଦ୍ଧି କରିବାକୁ ମଞ୍ଜୁରୀ ମିଳିଛି । ୨ ବର୍ଷରୁ ଅଧିକ ବିଳମ୍ବ ପାଇଁ ମୁଖ୍ୟ ଶାସନ ସଚିବଙ୍କ ସ୍ତରରେ ବିଚାର କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।
ସେହିପରି ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୧୬ରେ ୧୩.୧୧.୨୦୧୮ରେ ଏକ ସଂଶୋଧନ କରାଯାଇଥିଲା, ଯେଉଁଥିରେ ଦ୍ରବଣ ନିଷ୍କାସନ ଓ ରିଫାଇନ ତୈଳ ପ୍ରସ୍ତୁତି ଓ ପାନୀୟ ଜଳର ବିଶୋଧନ କାରଖାନା କାର୍ଯ୍ୟକଳାପକୁ ନକାରାତ୍ମକ ତାଲିକାରୁ ହଟାଯାଇଥିଲା । ।କିନ୍ତୁ ୧୮.୦୮.୨୦୨୦ରେ ଆଇପିଆର ୨୦୧୫ରେ ସମାନ ବ୍ୟବସ୍ଥା କରାଯାଇଥିଲା । ଆଇପିଆର ଓ କ୍ଷେତ୍ରୀୟ ନୀତିରେ ଉପରୋକ୍ତ ଅସଙ୍ଗତିକୁ ଦୃଷ୍ଟିରେ ରଖି ସରକାର ଅନୁମୋଦନ କରିଛନ୍ତି ଯେ, ୧୮.୦୮.୨୦୨୦ରେ ଆଇପିଆର ୨୦୧୫ରେ କରାଯାଇଥିବା ସଂଶୋଧନ ଓଏଫପିପି ୨୦୧୬ରେ ହୋଇଥିବା ସଂଶୋଧନ ତାରିଖ ଠାରୁ ଅର୍ଥାତ୍ ୧୩.୧୧.୨୦୧୮ ଠାରୁ କାର୍ଯ୍ୟକାରୀ ହେବ ।